୭ବର୍ଷ ତଳେ, ୨୦୧୮ରେ ‘ରେଡ୍’ ଜରିଆରେ ଅଭିନେତା ଅଜୟ ଦେବଗନ ଆସିଥିଲେ ଜଣେ ସତ୍ୟନିଷ୍ଠ ଆୟକର ଅଧିକାରୀ ଅମୟ ପଟ୍ଟନାୟକ ଭୂମିକାରେ। ଦେଶପ୍ରେମକୁ ନେଇ ହାଇଟେକ୍ ଆକ୍ସନ (ଯୁଦ୍ଧ), ବାରମ୍ବାର ୟୁରୋପର ପର୍ବତମାଳାକୁ ଫେରୁଥିବା ରୋମାନ୍ସ, ବାୟୋପିକ୍ ତଥା ହାଇବଜେଟ୍ ରାଜା କାହାଣୀର ଯୁଗ ଚାଲିଥିଲେ ହେଁ ସେ ଫିଲ୍ମଟି ଉଭୟ ଦର୍ଶକ ଓ ଫିଲ୍ମ ସମାଲୋଚକଙ୍କ ଦ୍ବାରା ଆଦୃତ ହୋଇଥିଲା। ପାଖାପାଖି ସମାନ ପ୍ରସଙ୍ଗକୁ ନେଇ ଆସିଛି ନୂଆ ଫିଲ୍ମ ‘ରେଡ୍ ୨’। ଏହାକୁ ପ୍ରଥମ ଫିଲ୍ମର ସିକ୍ବେଲ୍ କୁହାଯାଉଛି। ଏଥର ଅଜୟଙ୍କ ସହିତ ନାୟିକା ଭାବେ ଅଛନ୍ତି ବାଣୀ କପୁର। ୭ ବର୍ଷ ତଳେ ‘ରେଡ୍’ର କାହାଣୀ ଯେଉଁଠି ଶେଷ ହୋଇଥିଲା ‘ରେଡ୍ ୨’ର କାହାଣୀ ସେଇଠୁ ଆରମ୍ଭ ହେଉଛି। ‘ରେଡ୍’ରେ ଥିଲା ଲକ୍ଷ୍ନୌରେ ରହୁଥିବା ଖଳନାୟକ ରାଜନେତା ରାମେଶ୍ବର ସିଂହ (ସୌରଭ ଶୁକ୍ଳ)ର ଘରେ ଅମୟ ପଟ୍ଟନାୟକର ଟିମ୍ର ଆୟକର ଚଢ଼ଉ। ତା’ପରେ ରାମେଶ୍ବର ଜେଲ୍ ଯାଇଛି।
‘ରେଡ୍ ୨’ରେ ମଧ୍ୟ କାହାଣୀ ବେଳେ ବେଳେ ସେଇ ଲକ୍ଷ୍ନୌକୁ ଫେରିଛି। କିନ୍ତୁ ଏ ଫିଲ୍ମର କେନ୍ଦ୍ରରେ ଅଛି ଭୋଜ୍ ନାମକ ଏକ ଛୋଟ ସହର। କୌଣସି ପ୍ରଭାବଶାଳୀ ଲୋକ ଘରେ ଚଢ଼ଉ ପରେ ‘ପୁରସ୍କାର’ ରୂପେ ଅମୟ ପଟ୍ଟନାୟକର ବଦଳି ହୋଇଛି ଏଇ ଭୋଜ୍କୁ। ସେଇଠି ତା’ର ଭେଟ ହୋଇଛି ସ୍ବଚ୍ଛ ରାଜନେତା-ସମାଜସେବୀର ଖୋଳପା ଭିତରେ ନିଜର କଳା ସାମ୍ରାଜ୍ୟ ଚଳାଇଥିବା ମନୋହର ଧନକାର ଓରଫ୍ ଦାଦାଭାଇ (ରୀତେଶ ଦେଶମୁଖ) ସହିତ। ଏତିକି ପରେ, ଆଉ କିଛି ନୂଆ କାହାଣୀ ‘ରେଡ୍ ୨’ରେ ନାହିଁ କହିଲେ ଭୁଲ୍ ହେବନାହିଁ। ‘ରେଡ୍’ରେ କର୍ତ୍ତବ୍ୟନିଷ୍ଠ ଆୟକର ଅଧିକାରୀ ଅମୟ ପଟ୍ଟନାୟକ ଯେମିତି ସ୍ଥିତିକୁ ସାମ୍ନା କରିଥିଲା, ‘ରେଡ୍ ୨’ରେ ମଧ୍ୟ କରିଛି - ହୁଏତ କେବଳ ନାୟିକା ଓ ଖଳନାୟକମାନେ ବଦଳିଛନ୍ତି ବା ସହର ବଦଳିଛି। ଏ ଫିଲ୍ମର ସମର୍ଥନରେ ୟା’କୁ ଆମେ ହଲିଉଡ୍ର ଜେମ୍ସ ବଣ୍ଡ୍ ସିରିଜ୍ର ଫିଲ୍ମଗୁଡ଼ିକ ସହିତ ତୁଳନା କରି ପାରିବା! ସବୁ ବଣ୍ଡ୍ ଫିଲ୍ମର କାହାଣୀ ପ୍ରାୟ ସମାନ- ନାୟକ ସମାନ ଥାଇ କେବଳ ଯାହା ଖଳନାୟକ ଓ ନାୟିକା ବଦଳନ୍ତି।
ଭୋଜ୍ ଛୋଟ ସହର ହେଲେ ହେଁ ‘ରେଡ୍ ୨’ରେ ସଂଖ୍ୟାଧିକ ଚରିତ୍ର ଅଛନ୍ତି, ସେମାନଙ୍କୁ ଯୁକ୍ତିଯୁକ୍ତ ଭାବେ କାହାଣୀ ଭିତରେ ରଖିବାକୁ ନିର୍ଦ୍ଦେଶକ ବେଶ୍ ପରିଶ୍ରମ କରିଛନ୍ତି ଓ ଅନେକଟା ସଫଳ ମଧ୍ୟ ହୋଇଛନ୍ତି। କଳାକାରଙ୍କ ଅଭିନୟ ଏ ଫିଲ୍ମର ବଡ଼ ଆକର୍ଷଣ। ନିରବରେ ଆଖିରେ ହିଁ ଅଭିନୟ କରି ପାରନ୍ତି ବୋଲି ଅଜୟଙ୍କର ଯେଉଁ ସୁନାମ ରହିଆସିଛି, ଏ ଫିଲ୍ମଟି ତାହାକୁ ଆଉ ଟିକିଏ ଆଗକୁ ନେଇଛି ନିଶ୍ଚୟ। ଅନେକ ଦୃଶ୍ୟରେ ବିନା ସଂଳାପରେ ନିରବରେ ନିଜ କ୍ରୋଧକୁ ସେ ଚମତ୍କାର ଭାବେ ଫୁଟାଇ ପାରିଛନ୍ତି। ତେବେ ଯିଏ ବଡ଼ ବାଜି ମାରି ନେଇଛନ୍ତି, ସେ ହେଉଛନ୍ତି ରୀତେଶ ଦେଶମୁଖ। ରୀତେଶ ଭିନ୍ନ ଧରଣର ଖଳନାୟକ ଭାବେ ଏଇ ଫିଲ୍ମଟି ଜରିଆରେ ନିଜ ଅଭିନୟ ଦକ୍ଷତାର ଏକ ନୂଆ ଦିଗକୁ ଆବିଷ୍କାର କରିବାରେ ସକ୍ଷମ ହୋଇଛନ୍ତି। ବାଣୀ କପୁରଙ୍କ ଅଭିନୟକୁ ଚଳଣୀୟ କୁହାଯିବ। ତେବେ ସୌରଭ ଶୁକ୍ଳ, ସୁପ୍ରିୟା ପାଠକ ଓ ଅମିତ ସିଆଲଙ୍କ ଭଳି ଅନ୍ୟ ପାର୍ଶ୍ବ କଳାକାରମାନେ ମଧ୍ୟ ଏଥିରେ ଚମତ୍କାର ଅଭିନୟ କରିଛନ୍ତି ଓ ପାଇଥିବା ସମୟ ଓ ସୁଯୋଗର ଭରପୂର ଉପଯୋଗ କରିଛନ୍ତି। ଏହି ଅଭିନୟ ତଥା ମନୋରଞ୍ଜନ ପାଇଁ ‘ରେଡ୍ ୨’କୁ ଦେଖା ଯାଇପାରେ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/03/d3bEeJEwrUlhxBgAfGyd.jpg)