ଟିଭି ରିୟଲିଟି ସୋ’ ‘ଭାରତ୍ କା ଅମୃତ୍ କଲସ୍’ରେ ଗୋଟାଏ ପରେ ଗୋଟାଏ ପାହାଚ ଚଢ଼ି ଏବେ ଘରେ ଘରେ ପରିଚିତ ହୋଇଛନ୍ତି ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା। ଏହି ସୋ’ରେ ଆମ ରାଜ୍ୟକୁ ପ୍ରତିନିଧିତ୍ବ କରି ତାଙ୍କର ନିଅାରା କଣ୍ଠସ୍ବର ଜରିଆରେ ଓଡ଼ିଶାର ଟେକ ରଖିଛନ୍ତି। ଏଥର ଗାୟିକା ବର୍ଣ୍ଣାଳୀ ହୋତାଙ୍କ ସହ ଅଳ୍ପ ଆଳାପ।
ବନ୍ଦନା ମିଶ୍ର୍ର
ରିୟଲିଟି ସୋ’ ‘ଭାରତ୍ କା ଅମୃତ୍ କଲସ୍’ରେ ପଣ୍ଡିତ ଗୋଦାବରୀଶ ମହାପାତ୍ରଙ୍କର ‘ଉଠ କଙ୍କାଳ ଛିଡୁ ଶୃଙ୍ଖଳ’ ଗୀତ ଜରିଆରେ ଓଡ଼ିଶାର ନାଁ ଚମକାଇବା ପରେ ଆଗାମୀ ଦିନରେ ଆଉ କେଉଁ ଓଡ଼ିଆ ଗୀତକୁ ନେଇ ମଞ୍ଚକୁ ଯିବାର ଯୋଜନା ରଖିଛନ୍ତି?
‘ଉଠ କଙ୍କାଳ ଛିଡୁ ଶୃଙ୍ଖଳ’ ପରେ ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’, ‘କୋଠ ଭୋଗଖିଆ ମୋ ଚକା ଆଖିଆ’ ଏବଂ ଆହୁରି କିଛି ସମ୍ବଲପୁରୀ ଓ କୋରାପୁଟିଆ ଗୀତ ଗାଇବାର ଯୋଜନା ରହିଛି।
ଓଡ଼ିଶାରେ ଅନେକ ଲୋକଗୀତ ଥିବା ବେଳେ ଆପଣ ଏଭଳି ଏକ ବିପ୍ଲବ ସୃଷ୍ଟିକାରୀ ଗୀତକୁ କାହିଁକି ଚୟନ କଲେ?
କାରଣ ସେ ଏପିସୋଡ୍ର ଥିମ୍ ଥିଲା ‘ମାଇଁ ଷ୍ଟେଟ୍, ମାଇଁ ଆଇଡେଣ୍ଟିଟି’ (ମୋ ରାଜ୍ୟ, ମୋ ପରିଚୟ)। ରାଜ୍ୟର ପରିଚୟର କଥା ଯେତେବେଳେ ଉଠିଲା ତ ଆମେ (ମୋ ମାମା, ବାବା, ମୋ ମାଉସୀ ନିଖିଳପ୍ରଭା ମିଶ୍ର, ମୁଁ ନିଜେ ଏବଂ ମୋର ପୂରା ଟିମ୍) ପ୍ରଥମେ ‘ବନ୍ଦେ ଉତ୍କଳ ଜନନୀ’ ପାଇଁ ଚିନ୍ତା କରିଥିଲୁ। ମାତ୍ର ଏଇ ଗୀତଟି ଯେହେତୁ ଆମର ରାଜ୍ୟ ସଂଗୀତ ତ ତାକୁ ଗାଇବାର ବହୁତ କଟକଣା ରହିଛି। କେଉଁ କାରଣରୁ ତାହାକୁ ନେଇ ବିବାଦ ହେଉ ବୋଲି ମୁଁ ଚାହିଁ ନଥିଲି। ମୋ ମାମା ଓ ମାଉସୀ ‘ଉଠ କଙ୍କାଳ..’ ଗୀତଟି ବାଛିଥିଲେ। ତା’ଛଡ଼ା ମୋତେ ଲାଗେ ଏହି ଗୀତଟି ଏବେକା ସମୟ ପାଇଁ ଖୁବ୍ ପ୍ରାସଂଗିକ। କାରଣ ଏକବିଂଶ ଶତାବ୍ଦୀରେ ବି ବାହାର ଲୋକେ ଓଡ଼ିଶାର ଭୌଗୋଳିକ ସ୍ଥିତି ସଂପର୍କରେ ପ୍ରଶ୍ନ କରିବାର ମୁଁ ଶୁଣିଛି। ଏଥିପାଇଁ ମୋତେ ରାଗ ଲାଗେ ଓ କାନ୍ଦ ବି ଲାଗେ।
ଯଦି ‘ଭାରତ୍ କା ଅମୃତ୍ କଲସ୍’ର ବିଜେତା ହେଉଛନ୍ତି ତ ନିଜ ରାଜ୍ୟ ପାଇଁ ଆପଣ ଆଗାମୀ ଦିନରେ କ’ଣ କରିବାକୁ ଚିନ୍ତା କରିଛନ୍ତି?
କେବଳ ଯେ ବିଜେତା ହେଲେ କିଛି କରିବି ତାହା ନୁହେଁ। ଫାଇନାଲ୍ ଫଳାଫଳ ଯାହା ବି ହେଉ, ମୋ ରାଜ୍ୟ ପାଇଁ ମୁଁ କିଛି କରିବାକୁ ଭାବିଛି। ସବୁ ଭଲ ଜିନିଷ ସମୟ ନିଏ। ତେଣୁ ଆମେ ସେ ଉପରେ କାମ କରୁଛୁ। ଓଡ଼ିଶାର ଲୋକକଳା ଓ ପରମ୍ପରାକୁ ନେଇ ଯେଉଁ ଗୀତ ଅଛି ତାହାକୁ ଆମେ କାହାଣୀ ସହିତ ପ୍ରଦର୍ଶନ କରିବୁ। ହଜି ଯାଇଥିବା ଓଡ଼ିଶାର କଥା, ଗୀତ, କବିତା ଓ ଗପକୁ ଆମେ ଲୋକଙ୍କୁ ମନେ ପକାଇ ଦେବୁ। ଯାହା ଗୀତ ଆକାରରେ ନାହିଁ ତାହାକୁ ନୂଆ ଶୈଳୀରେ ଆମେ ଲୋକଙ୍କ ପାଖରେ ପହଞ୍ଚାଇବୁ।
ମଞ୍ଚକୁ ଯିବା େବଳେ ଆପଣ ଓଡ଼ିଆ ଲୋକଗୀତ ସହିତ ଓଡ଼ିଶାର ପାରମ୍ପରିକ ପୋଷାକକୁ ବି ପ୍ରଦର୍ଶନ କରିଥାନ୍ତି। ଗୀତର ଥିମ୍ ଅନୁସାରେ ଆପଣଙ୍କୁ ସେଭଳି ପୋଷାକ ପରିଧାନ କରିବାକୁ ପଡ଼େ ନା ଏହି ନିଷ୍ପତ୍ତି ଆପଣଙ୍କର ନିଜସ୍ବ?
ନିଶ୍ଚିତ ଭାବରେ ସୋ’ ତାହା ଦାବି କରିଥାଏ। ଆମେ ଯେଉଁ ରାଜ୍ୟକୁ ସେଠାରେ ପ୍ରତିନିଧିତ୍ବ କରୁଛୁ ତ ତାହାର ପାରମ୍ପରିକ ପୋଷାକକୁ ପ୍ରଦର୍ଶନ କରିବାକୁ ପଡ଼ିଥାଏ। ଏପରିକି ମୁଁ ଏକ କୋରାପୁଟିଆ ଗୀତ ଗାଇବା ବେଳେ ବିନା ବ୍ଲାଉଜ୍ରେ ଆଦିବାସୀ ସଂପ୍ରଦାୟର ଲୋକଙ୍କ ଭଳି ଶାଢ଼ି ପିନ୍ଧି ମଞ୍ଚକୁ ଯାଇଥିଲି। ସେଥିପାଇଁ ମୋତେ ସମାଲୋଚିତ ହେବାକୁ ପଡ଼ିଲା। ମାତ୍ର ମୁଁ ବିଶ୍ବାସ କରେ, ଏଥିରେ କୌଣସି ଖରାପ ଜିନିଷ ନାହିଁ। ପୋଷାକ ଜରିଆରେ ହେଉ ବା ସଂଗୀତ ହେଉ ମୁଁ ଆମ ଓଡ଼ିଶାକୁ ସେଠାରେ ପ୍ରତିନିଧିତ୍ବ କରିଛି।
ଆପଣ ଟିଭି ସୋ’ ‘ଦିଲ୍ ହୈ ହିନ୍ଦୁସ୍ତାନୀ’ର ରନ୍ର୍ସ ଅପ୍ ହୋଇଛନ୍ତି। ‘ସାରେଗାମାପା ଲିଟ୍ଲ୍ ଚାମ୍ପ୍ସ୍’ରେ ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ରହିବା ପରେ ଏବେ ‘ଅମୃତ୍ କଲସ୍’ରେ ବି ସଫଳତା ସାଉଁଟି ଚାଲିଛନ୍ତି। ୩ଟି ବଡ଼ ରିୟଲିଟି ସୋ’ ମଧ୍ୟରୁ ଆପଣଙ୍କର ପ୍ରିୟ କେଉଁଟି ଓ କାହିଁକି?
୩ଟି ସୋ’ ମଧ୍ୟରୁ ‘ଭାରତ କା ଅମୃତ୍ କଲସ୍’ ସବୁବେଳେ ମୋର ପ୍ରିୟ ହୋଇ ରହିବ। ବାକି ୨ଟା ରିୟଲିଟି ସୋ’ ମୁଁ ଯୋଜନା ମୁତାବକ ଯାଇଥିଲି। ମାତ୍ର ‘ଭାରତ୍ କା ଅମୃତ୍ କଲସ୍’କୁ ଯିବା ମୋ ଯୋଜନା ଭିତରେ ନଥିଲା। ଏହି ସୋ’ ପାଇଁ ମୁଁ କିଛି କରିନି। ସବୁ ପ୍ରଭୁ ଜଗନ୍ନାଥ ନିଜେ କରିଛନ୍ତି।
ଆମେ ଜାଣିବାକୁ ପାଇଲୁ ଆପଣ ଜଣେ ପ୍ରଶାସନିକ ଅଧିକାରୀ ହେବାର ଇଚ୍ଛା ରଖିଛନ୍ତି। ସଂଗୀତ ଓ ଚାକିରି ମଧ୍ୟରୁ ଭବିଷ୍ୟତରେ କାହାକୁ ବେଶି ଗୁରୁତ୍ବ ଦେବେ?
ମୋ ବାବାମାମାଙ୍କର ବହୁତ ଇଚ୍ଛା ମୁଁ ୟୁପିଏସ୍ସି ଦିଏ। ଏହି ସୋ’ ଆସି ନଥିଲେ ହୁଏତ ମୁଁ ଏହି ବର୍ଷ ଦେଇଥାନ୍ତି। ମୁଁ ସର୍ବଦା ବିଶ୍ବାସ କରେ ଯେ ଭାଗ୍ୟରେ ଯାହା ଲେଖା ଥାଏ ସେୟା ହୁଏ। ସତ କହିବାକୁ ଗଲେ, ମୁଁ ଏହାର ଉତ୍ତର ଦେଇପାରିବିନି। ମୁଁ ସବୁବେଳେ ପରିସ୍ଥିତିର ଦାବି ଅନୁସାରେ କାମ କରିଥାଏ। ଆଗକୁ ମୋ ସାମ୍ନାରେ ଯେଉଁ ରାସ୍ତା ଆସିବ ମୁଁ ତାକୁ ବାଛିବି।
ଓଡ଼ିଶାର ସଂସ୍କୃତିକୁ ସଂଗୀତ ଜରିଆରେ ବିଶ୍ବ ଦରବାରରେ ପରିଚିତ କରାଇଥିବା ବର୍ଣ୍ଣାଳୀଙ୍କୁ ଆଗକୁ ଶସ୍ତା ଆଧୁନିକ ଗୀତର ଅଫର୍ ମିଳିଲେ ସେ ଗାଇବେ?
ମୁଁ ବିଶ୍ବାସ କରେ ଯେ ଜଣେ କଳାକାର ସବୁ ପ୍ରକାରର ଗୀତ ଗାଇପାରିବା ଦରକାର। ମୋତେ ଯେଉଁ ପ୍ରକାରର ଗୀତ ଦେଲେ ବି ମୁଁ ନିଶ୍ଚିତ ଗାଇବି। ମୁଁ ଏକଥା ବି ବିଶ୍ବାସ କରେ ଯେ ଜଣେ କଳାକାରର ସମାଜ ପ୍ରତି କିଛି ଦାୟିତ୍ବବୋଧ ଥାଏ।