୨୦୧୪ରେ ‘ରଜ କୁଇନ୍’, ପରେ ରିୟାଲିଟି ସୋ’ ‘ମୁଁ ବି ହିରୋଇନ୍ ହେବି’ର ବିଜେତା ହେବା ପରେ ‘ରଘୁପତି ରାଘବ ରାଜାରାମ’ ଫିଲ୍ମ ଜରିଆରେ ଓଲିଉଡ୍ରେ ପାଦ ରଖିଥିଲେ ଦେବସ୍ମିତା। ଏହାପରେ ଧାରାବାହିକ ‘ତୋ ପାଇଁ ମୁଁ’ର ଭୂମି ଚରିତ୍ର ଓ ‘ବିଜୟିନୀ’ର ଦୂର୍ଗା ଚରିତ୍ର ଜରିଆରେ ଦର୍ଶକଙ୍କ ପ୍ରଶଂସା ସାଉଁଟି ଚର୍ଚ୍ଚାକୁ ଆସିଥିଲେ ସେ। ଫିଲ୍ମ, ସିରିୟଲ୍ ବ୍ୟତୀତ ଅନେକ ମ୍ୟୁଜିକ୍ ଭିଡିଓରେ ନାୟିକା ସାଜିଥିବା ଦେବସ୍ମିତାଙ୍କ ସହ ଏଥର ଅଳ୍ପ-ଆଳାପ।
ପରିବାର ଲୋକଙ୍କ ଇଚ୍ଛା ସହ ନିଜ ପସନ୍ଦକୁ ବି ଗୁରୁତ୍ବ ଦେବି। କାରଣ ପରିଶେଷରେ ମୋତେ ହିଁ ସେ ବିବାହକୁ ନିଭାଇବାର ଅଛି।
ବନ୍ଦନା ମିଶ୍ର୍ର
‘ରଜ କୁଇନ୍’ ଓ ‘ମୁଁ ବି ହିରୋଇନ୍ ହେବି’ ରିୟାଲିଟି ସୋ’ ଆପଣ ଜିତିଛନ୍ତି। କେଉଁଟି ଅଧିକ କଠିନ ଥିଲା?
ଦୁଇଟିଯାକ କଠିନ। ‘ରଜ କୁଇନ୍’ ବିଷୟରେ କିଛି ବି ଜାଣି ନଥିଲି। ଭାବିଥିଲି ଖାଲି ଦୋଳିଖେଳ, ପୁଚିଖେଳ ହେବ। ହେଲେ ନୂଆ ନୂଆ କଥା ସବୁ ହେଲା ବେଳକୁ ଭାରି କଷ୍ଟ ଲାଗିଥିଲା। ହେଲେ ‘ମୁଁ ବି ହିରୋଇନ୍ ହେବି’ ବେଳକୁ ମାନସିକ ସ୍ତରରେ ଆଗରୁ ପ୍ରସ୍ତୁତ ଥିଲି। କଷ୍ଟ ଥିଲେ ବି କ’ଣ କ’ଣ କରିବାକୁ ହେବ ମୁଁ ଜାଣିଥିଲି।
ଆପଣ ସିନେମା ଅପେକ୍ଷା ଅଧିକ ଧାରାବାହିକରେ ନଜର ଆସୁଛନ୍ତି। ଏହା ବ୍ୟକ୍ତିଗତ ପସନ୍ଦ ହେତୁ ନା ଯାହା ଯେତେବେଳେ ଅଫର୍ ଆସେ ସେଇ ହିସାବରେ କରନ୍ତି?
ପ୍ରଥମରୁ ତ ମୁଁ ସିନେମା ହିଁ କରୁଥିଲି। ମାତ୍ର ପରେ ମୋତେ ଧାରାବାହିକରୁ ଅଫର୍ ଆସିଲା। ମୁଁ କଲି ଓ ଲୋକ ତାହାକୁ ଗ୍ରହଣ ବି କଲେ। ଏଥିପାଇଁ ମୋର ଦୁଇ ଭଉଣୀ ମୋତେ ବହୁତ ପ୍ରୋତ୍ସାହନ ଦେଇଛନ୍ତି। ସେମାନେ ହିଁ ଚାପ ପକାଇ ମୋତେ ଏ କ୍ଷେତ୍ରକୁ ଆଣିଛନ୍ତି।
ସିନେମା ଅପେକ୍ଷା ଧାରାବାହିକରେ ଅଧିକ ଲୋକ ପସନ୍ଦ କରୁଛନ୍ତି ବୋଲି ଅନୁଭବ ହୁଏ କି?
ହଁ, ସେଭଳି ଅନୁଭବ ହୁଏ। ‘ତୋ ପାଇଁ ମୁଁ’ ଧାରାବାହିକର ‘ଭୂମି’ ଚରିତ୍ରରେ ଲୋକେ ମୋତେ ବହୁତ ଭଲପାଇବା ଦେଇଛନ୍ତି। ମୋତେ ଲାଗେ ସିନେମା ଅପେକ୍ଷା ସିରିୟଲ୍ରେ ମୁଁ ଅଧିକ ଭାବେ ଦର୍ଶକଙ୍କ ସହ ସଂଯୁକ୍ତ ହୋଇପାରେ।
ଭଲ ଚରିତ୍ର ନା ପାରିଶ୍ରମିକ, କାହାକୁ ବେଶି ଗୁରୁତ୍ବ ଦିଅନ୍ତି?
ଦୁଇଟିଯାକ। ଜଣେ କଳାକାରର ରୋଜଗାରର ଉତ୍ସ ତ ହେଲା ଅଭିନୟ। ଯଦି କେବଳ ଚରିତ୍ର ଦେଖିବି ତ ଚଳିବି କେମିତି? ମୋତେ ଲାଗେ ଭଲ ଚରିତ୍ର ନିଭାଇବା ଯେପରି ଜରୁରି, ଉଚିତ ପରିମାଣର ପାରିଶ୍ରମିକ ବି ସେତିକି ଜରୁରି।
କେଉଁ ପୋଷାକରେ ଆପଣ ବେଶି ସହଜ ଅନୁଭବ କରନ୍ତି? ୱେଷ୍ଟର୍ଣ୍ଣ ନା ଇଣ୍ଡିଆନ୍?
ଦର୍ଶକ ମାତେ ଅଧିକାଂଶ ସମୟରେ ଶାଢ଼ି ଓ ସାଲ୍ୱାର୍ରେ ଦେଖିଛନ୍ତି। ମୋର ସାଧାପଣକୁ ଖୁବ୍ ଭଲପାଇବା ଦେଇଛନ୍ତି। ମୋ ଓଡ଼ିଆଣୀ ଲୁକ୍ ପାଇଁ ମୋତେ ଅଧିକ ଗ୍ରହଣୀୟତା ମିଳିଛି। ମାତ୍ର ବାସ୍ତବ ଜୀବନର କଥା ଭିନ୍ନ। ମୁଁ ରିଲ୍ରେ ‘ଇଣ୍ଡିଆନ୍’ ଓ ରିୟଲ୍ରେ ‘ୱେଷ୍ଟର୍ଣ୍ଣ’ ପରିଧାନ କରିବାକୁ ଭଲପାଏ।
ପରିବାର ଲୋକଙ୍କ ଇଚ୍ଛା ଅନୁସାରେ ବିବାହ କରିବେ ନା ନିଜ ପସନ୍ଦର ପିଲାକୁ ବିବାହ କରିବେ ଓ କେବେ?
ପରିବାର ଲୋକଙ୍କ ଇଚ୍ଛା ସହ ନିଜ ପସନ୍ଦକୁ ବି ଗୁରୁତ୍ବ ଦେବି। କାରଣ ପରିଶେଷରେ ମୋତେ ହିଁ ସେ ବିବାହକୁ ନିଭାଇବାର ଅଛି। ୨୦୨୫ କିମ୍ବା ୨୦୨୬ ଭିତରେ ବାହାଘରର ଯୋଜନା ଅଛି।
ଏମିତି ଏକ ଘଟଣା ମନେପକାନ୍ତୁ, ଯାହାକୁ ଆପଣ ଭୁଲିଯିବାକୁ ଚାହାନ୍ତି? ଜୀବନରେ କେବେ ବି ମନେପକାଇବାକୁ ଚାହିଁବେ ନାହିଁ।
ଥରେ ମୋ ଉଭଣୀ ସହ ମୋର ଝଗଡ଼ା ହୋଇଥିଲା ଓ ଆମେ ୨ ମାସ ଧରି ପରସ୍ପର ସହ କଥା ହୋଇ ନଥିଲୁ। ସେଦିନର କଥା ମନେପଡ଼ିଲେ ବହୁତ କଷ୍ଟ ଲାଗେ। ସେହି ସମୟକୁ ମୁଁ ଭୁଲିଯିବାକୁ ଚାହେଁ।