‘ଆଇ ଲଭ୍‌ ୟୁ’ ଭଳି ହିଟ୍‌ ଛବିର ସିକ୍ବେଲ୍‌ରେ ନାୟକ ଭୂମିକାରୁ ସେ ଆରମ୍ଭ କରିଛନ୍ତି ଅଭିନୟ ଜୀବନ। ଯଦିଓ ତାଙ୍କର ପ୍ରଥମ ଛବି ‘ଆଇ ଲଭ୍ ୟୁ-୨’ ସେତେଟା ଦର୍ଶକ ଆଦୃତି ପାଇ ପାରିନାହିଁ, ତଥାପି ଆଦିତ୍ୟ ସିନେଶିଳ୍ପର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି। ଆଗକୁ ଦୁଇଟି ଓଡ଼ିଆ ସିନେମାରେ କାମ କରିବାକୁ ଯାଉଛନ୍ତି ଆଦିତ୍ୟ ଏବଂ ସେ ମଧ୍ୟରୁ ଗୋଟିକର କାହାଣୀ ସେ ରଚନା କରିଛନ୍ତି। ଏଥର ଉଦୟମାନ ଅଭିନେତା ଆଦିତ୍ୟ ମହାପାତ୍ରଙ୍କ ସହ ଅଳ୍ପ ଆଳାପ।

Advertisment

‘ଆଇ ଲଭ୍ ୟୁ-୨’ ସିନେମାରେ ଆପଣ ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କ ଲାଗି ଉଦ୍ଦିଷ୍ଟ ଭୂମିକାରେ ଅଭିନୟ କରିଥିଲେ?
ନା। ସମସ୍ତେ ସେମିତି ଭାବୁଛନ୍ତି। ବାସ୍ତବରେ ମୁଁ ମୋ ଲାଗି ଉଦ୍ଦିଷ୍ଟ ଚରିତ୍ର ହିଁ କରିଛି। ସିନେମାର ମୂଳ କାହାଣୀ‌େର ଦୁଇଭାଇ ଥିଲେ। ବଡ଼ଭାଇ ଚରିତ୍ର ଅନୁଭବଭାଇ କରିଥାନ୍ତେ ଓ ସାନଭାଇ ଭୂମିକା ମୁଁ ତୁଲାଇଥାନ୍ତି। ମାତ୍ର ପ୍ରଯୋଜକ ଟୁଟୁ ନାୟକ ଓ ଅନୁଭବଭାଇଙ୍କ ମଧ୍ୟରେ କୌଣସି ସମସ୍ୟା କାରଣରୁ ସେ ଫିଲ୍ମ କଲେନାହିଁ। ଫଳରେ ବଡ଼ଭାଇ ଚରିତ୍ର ସିନେମାରୁ ବାଦ୍ ଦିଆଗଲା। ମୁଁ ଅନୁଭବ ମହାନ୍ତିଙ୍କ ଚରିତ୍ରରେ ଅଭିନୟ କରିନାହିଁ। 

ପ୍ରଥମ ସିନେମାରେ ଯେତିକି ସଫଳତା ପାଇବାର ଆଶା ରଖିଥିଲେ ସେତିକି ପାଇଛନ୍ତି ନା ପାଇନାହାନ୍ତି?
ପାଇଛି ବି, ପାଇନି ବି। ଲୋକଙ୍କ ଭଲପାଇବା ପାଇଛି। ଯେଉଁମାନେ ବି ଦେଖିଛନ୍ତି ମୋ ଅଭିନୟ ସେମାନଙ୍କୁ ଭଲ ଲାଗିଛି। ମାତ୍ର ‘ଆଇ ଲଭ୍ ୟୁ-୨’ ଭଳି ଏକ ସିନେମା ଯେତେ ଆୟ କରିବ ବୋଲି ଆଶା ଥିଲା, ସେ ତୁଳନାରେ କରିପାରିନାହିଁ। ବ୍ୟାବସାୟିକ ଦୃଷ୍ଟିରୁ ଅସଫଳ ହୋଇଥିଲେ ବି ବ୍ୟକ୍ତିଗତ ସ୍ତରରେ ମୁଁ ଅନେକ ଲାଭପାଇଛି।

ଆପଣଙ୍କ ପ୍ରଥମ ସିନେମା ଚାଲିଲା ନାହିଁ ବୋଲି ଆଉ ଅଫର୍ ମିଳୁନାହିଁ କି? ଆପଣଙ୍କ ନୂଆ ସିନେମା ନେଇ କୌଣସି ଚର୍ଚ୍ଚା ନାହିଁ ତ?
୧୨/୧୩ଟା ସିନେମା ଲାଗି ଅଫର୍‌ ଆସି ସାରିଲାଣି। ହେଲେ ଚରିତ୍ର ପସନ୍ଦ ହେଉନାହିଁ ବୋଲି ମୁଁ ମନା କରିଦେଉଛି। ମାତ୍ର ଖୁବ୍ ଶୀଘ୍ର ମୋର ଦୁଇଟି ସିନେମା ଫ୍ଲୋର୍‌କୁ ଯିବ। ସେଥିପାଇଁ ଦର୍ଶକ ମୋତେ ଭଲପାଇବା ଦେବେ ବୋଲି ଆଶା।

ଫିଲ୍ମ ଶିଳ୍ପ ସହ କୌଣସି ସଂପର୍କ ବିନା ଆପଣଙ୍କୁ ସୁଯୋଗ କେମିତି ମିଳିଲା?
ପ୍ରଯୋଜକ ଟୁଟୁ ନାୟକ ମୋତେ ଆଗରୁ ଚିହ୍ନିଥିଲେ। ମୁଁ କଲେଜ୍‌ରେ ଡ୍ରାମା କଲାବେଳେ ମୋ ଅଭିନୟ ବି ଦେଖିଥିଲେ। ମୁଁ ତାଙ୍କୁ ମୋ ଆଡୁ ସୁଯୋଗଟିଏ ମାଗିଥିଲି। ସେତେବେଳେ ମୁଁ କିନ୍ତୁ ବହୁତ ମୋଟା ଥିଲି। ପ୍ରାୟ ୧୪୮ କେ.ଜି.। ସେ ମୋତେ କହିଲେ, ଯଦି ହିରୋ ହେବାକୁ ଚାହୁଛୁ ତେବେ ଓଜନ କମାଇବାକୁ ପଡ଼ିବ। ମୁଁ ତା’ପରେ ୮୫ କେଜିକୁ ଓଜନ ହ୍ରାସ କଲାପରେ ସେ ମୋତେ ସୁଯୋଗ ଦେଲେ। 

କେଉଁ ଓଡ଼ିଆ ଅଭିନେତ୍ରୀ ଆପଣଙ୍କୁ ଭଲଲାଗନ୍ତି?
ଆମ ସମୟର ଭୂମିକା, ଶିବାନୀ, ଏଲିନା ଖୁବ୍ ଭଲଲାଗନ୍ତି। ପୁରୁଣା ଅଭିନେତ୍ରୀଙ୍କ ମଧ୍ୟରୁ ମହାଶ୍ବେତା ରାୟ, ଅପରାଜିତା ମହାନ୍ତି, ରଚନା ବାନାର୍ଜୀ, ଅନୁ ଚୌଧୁରୀ ମଧ୍ୟ ଖୁବ୍ ଭଲଲାଗନ୍ତି।

ଆପଣ ତ ଏବେ ଏବେ ‘ଟିନ୍ଏଜ୍’ ପାର୍ କରିଛନ୍ତି। ପ୍ରେମରେ ତ ନିଶ୍ଚୟ ପଡ଼ିଥିବେ?
ନାଇଁ ନାଇଁ। ମୋର ବହୁତ ସାଙ୍ଗ ଅଛନ୍ତି। ମୁଁ ସାଙ୍ଗ ବନେଇବାକୁ ଖୁବ୍ ଭଲପାଏ। ହେଲେ ପ୍ରେମିକା ବନେଇବା ସୁଯୋଗ ପାଇନି। ଅଭିନୟ ଓ କ୍ରିକେଟ୍ ମୋ ଜୀବନ। ମୋ ବାପା ଯେହେତୁ ଜଣେ ଓଏଏସ୍ ଅଧିକାରୀ ତ ମୁଁ ପ୍ରଶାସନିକ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲି। ତେଣୁ, ଏତେ ସବୁ ଭିତରେ ପ୍ରେମ ପାଇଁ ସମୟ ପାଇନି।

ସାଙ୍ଗମାନଙ୍କୁ ପ୍ରେମରେ ଦେଖି କେବେ ଇଚ୍ଛା ହୁଏନି, ମୋର ବି ପ୍ରେମିକାଟିଏ ଦରକାର?
ମୋର ଯଦି କେହି ପ୍ରେମିକା ହେବେ ତ ସେ କୋମଳ ହୃଦୟର ହେବା ସହ ଖୁବ୍ ସ୍ନେହୀ ହୋଇଥିବା ଜରୁରି। ସେ ତାଙ୍କ ପରିବାର ଓ ମୋ ପରିବାରକୁ ଭଲପାଇବା ଦେଇ ପାରୁଥିବା ଦରକାର। ଏମିତି ଜଣେ ଝିଅ ସଂସ୍ପର୍ଶରେ ଆସିଲେ ମୁଁ ପ୍ରେମରେ ପଡ଼ିପାରେ।