ଅନେକ ମ୍ୟୁଜିକ୍ ଭିଡିଓରେ ନଜର ଆସିବା ପରେ ଏବେ ଧାରାବାହିକରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ସେ। ଜି- ସାର୍ଥକରେ ପ୍ରସାରିତ ହେଉଥିବା ‘ତୁ ଖରା ମୁଁ ଛାଇ’ରେ ଦ୍ବିତୀୟ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣହୋଇ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଉଛନ୍ତି। ଆଗକୁ ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ହେବାର ସ୍ବପ୍ନ ଦେଖୁଥିବା ଅଙ୍କିତା ପଟ୍ଟନାୟକଙ୍କ ସହ ଅଳ୍ପ ଆଳାପ।
ବନ୍ଦନା ମିଶ୍ର୍ର
ଓଲିଉଡ୍ରେ ଆପଣଙ୍କ ପ୍ରିୟ ତାରକା କିଏ? କାହା ପରି ହେବାକୁ ଚାହାନ୍ତି ଆପଣ?
ବାବୁସାନ୍ ମହାନ୍ତି ଓ ଅର୍ଚ୍ଚିତା ମୋର ପ୍ରିୟ କଳାକାର। ମାତ୍ର ଅର୍ଚ୍ଚିତାଙ୍କ ବିପକ୍ଷରେ ମୋତେ ସବ୍ୟସାଚୀଙ୍କୁ ଦେଖିବାକୁ ଭଲଲାଗେ। ଯଦି କେବେ ବାବୁସାନ୍ଙ୍କ ସହ ଚଳଚ୍ଚିତ୍ର କରିବାର ସୁଯୋଗ ମିଳେ ତେବେ ମୋ ସ୍ବପ୍ନ ସାକାର ହୋଇଯିବ।
କାହା ସହାୟତାରେ ଆପଣ ଅଭିନୟ ଦୁନିଆକୁ ଆସିପାରିଲେ?
କାହାର ବି ସହାୟତା ନାହିଁ। ମୁଁ ଏକ ଅଡିସନ୍ରେ ମନୋନୀତ ହେବା ପରେ ସିରିୟଲ୍ କରିବାର ସୁଯୋଗ ପାଇଛି। ମୁଁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ। ଉତ୍କଳ ସଂଗୀତ ମହାବିଦ୍ୟାଳୟ ପାସ୍ଆଉଟ୍ ଛାତ୍ରୀ। ତେଣୁ ମନୋରଞ୍ଜନ ଶିଳ୍ପ ପ୍ରତି ମୋର ରୁଚି ରହିଛି। ସୁଯୋଗ ମିଳିଲେ ମୁଁ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଚାହିବି।
ଆପଣ କାହା ଉପରେ ରାଗିଲେ; ସାମ୍ନା ଲୋକ କ’ଣ କଲେ ମାନିଯାଆନ୍ତି?
ଚକୋଲେଟ୍ କିମ୍ବା ଡ୍ରେସ୍ ଉପହାର ଦେଇ ମୋତେ କେହି ମନାଇଲେ ମୁଁ ଶୀଘ୍ର ମାନିଯାଏ।
ଆପଣ ତା’ହେଲେ ଉପହାରପ୍ରେମୀ। ଆପଣଙ୍କୁ ଉପହାର ଦେବାକୁ ନା ନେବାକୁ ଅଧିକ ଭଲ ଲାଗେ?
ମୋତେ ଉପହାର ଦେବାକୁ ବହୁତ ଭଲଲାଗେ। ଉପହାର ଦେବା ବେଳେ ସାମ୍ନା ଲୋକର ଚେହେରାର ଆନନ୍ଦ ମୋତେ ଖୁବ୍ ଭଲଲାଗେ।
ଆପଣ ଦେଇଥିବା ସର୍ବଶ୍ରେଷ୍ଠ ଉପହାରଟି କ’ଣ ବୋଲି ଆପଣଙ୍କର ଅନୁଭବ ହୁଏ?
ମୋ ମାଆଙ୍କର ଥରେ ଫୋନ୍ ଚୋରି ହୋଇଯାଇଥାଏ। ମୁଁ ସେତେବେଳେ ଖୁବ୍ କମ୍ ରୋଜଗାର କରୁଥାଏ। ମୋ ସ୍ବଳ୍ପ ସଞ୍ଚୟରୁ ମୁଁ ମାଆଙ୍କୁ ଏକ ଫୋନ୍ କିଣି ଉପହାର ଦେଇଥିଲି। ମୋତେ ଲାଗେ ସେଇଟା ବୋଧହୁଏ ମୁଁ ଦେଇଥିବା ଉପହାର ଭିତରୁ ସବୁଠାରୁ ଭଲ ଉପହାର।
ଅଭିନୟ ବ୍ୟତୀତ ଆପଣଙ୍କର ଅନ୍ୟ କେଉଁ କାମରେ ରୁଚି ରହିଛି?
ମୋତେ ରୋଷେଇ କରିବାକୁ ବହୁତ ଭଲାଗେ। ଯେହେତୁ ଆମ ଘର ପଶ୍ଚିମବଙ୍ଗ ସୀମାରେ ତ ମୋତେ ଆମିଷ ତରକାରୀ ରାନ୍ଧିବାକୁ ବହୁତ ଭଲଲାଗେ। ମାଛ ବେସରରେ ଆମ୍ବୁଲ ପକେଇ ମୁଁ ବହୁତ ସ୍ବାଦିଷ୍ଠ ତରକାରୀ କରିପାରେ।
ଆପଣଙ୍କ ପ୍ରିୟ ପୋଷାକ କ’ଣ?
ଶାଢ଼ି ମୋର ବହୁତ ପସନ୍ଦ। ମୋ ଆଲମିରାରେ ବହୁତ ଶାଢ଼ି ଅଛି। ମୋତେ ଲାଗେ ଶାଢ଼ି ପିନ୍ଧିଲେ ନାରୀ ବହୁତ ସୁନ୍ଦର ଦିଶେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/12/dgdagdzcvcvzvc-2025-10-12-04-10-24.jpg)