ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଓଡ଼ିଆ ସିନେମା ଶିଳ୍ପରେ ଶବ୍ଦର ଇମାରତ୍ ଗଢୁଛନ୍ତି ସେ। ୧୯୮୯ ମସିହାରେ ‘ଏଇ ସଂଘର୍ଷ’ ଚଳଚ୍ଚିତ୍ରରୁ ଜଣେ ଗୀତିକାର ଭାବେ ତାଙ୍କର ଓଲିଉଡ୍ ଯାତ୍ରା ଆରମ୍ଭ ହୋଇଥିଲା। ପରେ ଗୀତ ସହ ଯୋଡ଼ିହେଲା ସଂଳାପ। ୧୯୯୨ ମସିହାର ଛବି ‘ମୋ ଭାଇ ଜଗା’ରେ ସଂଳାପ ଲେଖି ପ୍ରଶଂସିତ ହେଲେ ସେ। ତା’ପରେ କାହାଣୀ, ସଂଳାପ ଓ ଗୀତ ରଚନାରେ ସକ୍ରିୟ ରହି ୧୦୦ରୁ ଅଧିକ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଛନ୍ତି ସେ। ଓଲିଉଡ୍ର ଚିହ୍ନା ଚେହେରା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ରଜନୀ ରଞ୍ଜନଙ୍କ ସହ ଅଳ୍ପ ଆଳାପ।
ବନ୍ଦନା ମିଶ୍ର୍ର
ଆପଣ ଏକାଧାରରେ ଗୀତିକାର, ସଂଳାପକାର ଓ କାହାଣୀକାର ମଧ୍ୟ। କେଉଁ କାମ ପାଇଁ ଅଧିକ ପାରିଶ୍ରମିକ ମିଳେ ଏବଂ କେଉଁ କାମରୁ ବେଶୀ ଆନନ୍ଦ ପାଆନ୍ତି?
ନିଶ୍ଚିତ ଭାବେ ସଂଳାପ ଲେଖିବା ପାଇଁ ଅଧିକ ପାରିଶ୍ରମିକ ମିଳେ। ହେଲେ ଗୀତ ମୋ ଜୀବନ। ମୋତେ ଗୀତ ଲେଖିବାରେ ବେଶି ଆତ୍ମତୃପ୍ତି ମିଳେ। ‘ମୋ ଭାଇ ଜଗା’ ସିନେମାର ଗୀତ ‘ନଈ ଏ ପାରିରେ ମୁଁ, ନଈ ସେପାରିରେ ତୁ’ ସେ ସମୟରେ ସୁପର୍ଡୁପର୍ ହିଟ୍ ହୋଇଥିଲା। ଗୀତଟି ମୋତେ ଗଭୀର ଆତ୍ମସନ୍ତୋଷ ଦେଇଥିଲା।
ଆପଣ ବୃତ୍ତିରେ ଅଧ୍ୟାପକ ଥିଲେ। ତେବେ କେବଳ ଜଣେ ସଂଳାପକାର ଭାବେ ଓଡ଼ିଶାରେ ନିଜ କ୍ୟାରିୟର୍ ଗଢ଼ିବା ସମ୍ଭବ କି?
ହଁ.. ହଁ, ନିଶ୍ଚିତ ସମ୍ଭବ। ଏମିତି ଅନେକ ସଂଳାପକାର ଅଛନ୍ତି। ମୋର ଯିଏ ସହଯୋଗୀ, ତାଙ୍କର ନିଜର ଘର, ଗାଡ଼ି ଅଛି। ଗୀତ ଲେଖି ବି ଲୋକ ଆରାମରେ ଚଳୁଛନ୍ତି। ସଂଳାପ ଲେଖିଲେ ତ ତା’ଠାରୁ ଅଧିକ ରୋଜଗାର ହୋଇଥାଏ। ଜଣେ ଯଦି ଦୃଢ଼ ମନରେ ଗୀତ କିମ୍ବା ସଂଳାପ ଲେଖିବା କାମକୁ ବୃତ୍ତି ଭାବେ ଗ୍ରହଣ କରେ ତ ଅର୍ଥର ଅଭାବ ରହିବ ନାହିଁ।
ଆପଣ ସଂଳାପ ଲେଖି ସାରିବା ପରେ ସୁଟିଂ ସମୟରେ ଯଦି ଆବଶ୍ୟକ ପଡ଼େ ତେବେ ନିର୍ଦ୍ଦେଶକ ତାହାକୁ ବଦଳାଇ ଦେଇପାରିବେ କି?
ଏହା ବେନିୟମ। ଜଣେ ସଂଳାପକାରର ସଂଳାପକୁ ଆବଶ୍ୟକ ପଡ଼ିଲେ ସେହି ସଂଳାପକାର ହିଁ ବଦଳାଇବ। ଏମିତି ଅନେକ ପରିସ୍ଥିତି ଆସିଛି। କଳାକାରମାନଙ୍କୁ ସହଜ ଲାଗିବା ପରି ଶବ୍ଦ ବା ବାକ୍ୟ ପୁଣି ଥରେ ଲେଖିବାକୁ ପଡ଼େ। ଅଧିକାଂଶ ସମୟରେ ମୁଁ ନିଜେ ସୁଟିଂ ସେଟ୍ରେ ରହି ସେ କାମ କରିଦିଏ। ଆମ ଇଣ୍ଡଷ୍ଟ୍ରିର ଯେଉଁମାନେ ଆଗଧାଡ଼ିର ନିର୍ଦ୍ଦେଶକ ସେମାନେ ସଂଳାପକାରର ଗୁରୁତ୍ବ ବୁଝନ୍ତି। ତେଣୁ ସଂଳାପ ବଦଳିବା ଆବଶ୍ୟକ ହେଲେ ମୋତେ କଲ୍ କରି ମୋଠାରୁ ପରାମର୍ଶ ନିଅନ୍ତି। ସଂଳାପ ହେଉଛି କାହାଣୀର ମେରୁଦଣ୍ଡ, ତାହାକୁ ମନଇଚ୍ଛା ବଦଳାଇବା ଅନୁଚିତ।
ଆପଣ ଗୀତ ଲେଖନ୍ତି, ସଂଳାପ ଲେଖନ୍ତି ଓ ଅଭିନୟରେ ବି ସଉକ ରଖନ୍ତି। ହେଲେ କେବେ ଗୀତ ଗାଇବାକୁ ଚେଷ୍ଟା କରିଛନ୍ତି କି?
ଚେଷ୍ଟା କରିଛି ଆଜ୍ଞା। ଚେଷ୍ଟା କରି ବିଫଳ ବି ହେଇଛି। କଲେଜ୍ ସମୟରେ ଥରେ ଗୀତ ଗାଇବାକୁ ମଞ୍ଚକୁ ଚଢ଼ିଯାଇଥିଲି। ଅଧା ଗୀତ ଗାଇ ଅଟକିଗଲି। ସେଦିନ ଯେଉଁ ଅପଦସ୍ଥ ହୋଇ ତଳକୁ ଫେରିଲି, ତା’ପରଠାରୁ ଆଉ ଗୀତ ଗାଇବାକୁ ଇଚ୍ଛା ହେଇନି କେବେ। ଇଚ୍ଛା କ’ଣ ହେବ, ସାହସ ତ ହୋଇନି ଆଉ।
ସିନେମାରେ ପ୍ରଥମେ କାହାଣୀ ଓ ସଂଳାପ ଲେଖା ହେବାପରେ କଳାକାର ଚୟନ ହୁଅନ୍ତି ନା କଳାକାର ବଛାଯିବା ପରେ ସେମାନଙ୍କ ବ୍ୟକ୍ତିତ୍ବ ଅନୁସାରେ ସଂଳାପ ଲେଖାଯାଏ?
ଦୁଇଟାଯାକ ହୁଏ। ବେଳେ ବେଳେ ସଂଳାପକୁ ଖାପଖାଇବା ପରି ଚେହେରା ଖୋଜାଯାଇଥାଏ। ଆଉ କେବେ କେବେ କଳାକାରମାନଙ୍କୁ ଦେଖି ସଂଳାପ ଲେଖିବାକୁ ହୁଏ। ତେବେ ଦ୍ବିତୀୟ କାମଟି ବେଶି କଷ୍ଟ। ସେଥିରେ ସଂଳାପକାରର ସ୍ବାଧୀନତା କ୍ଷୁଣ୍ଣ ହୁଏ। କଳାକାରଙ୍କ ବ୍ୟକ୍ତିତ୍ବକୁ ଦେଖି ସଂଳାପ ଲେଖିବା ବେଳେ ଇଚ୍ଛାନୁସାରେ ଶବ୍ଦ ବା ଭାଷା ବ୍ୟବହାର କରିହୁଏ ନାହିଁ। ମୋ ମତରେ କାହାଣୀ ବା ସଂଳାପ ଲେଖିବା ବେଳେ ଜଣେ ଲେଖକ ସମ୍ମୁଖରେ କୌଣସି ପ୍ରତିବନ୍ଧକ ନରହିବା ଉଚିତ।
ଆପଣଙ୍କ ଗୀତ ଶୁଣିବା ପରେ କେହି ବି କହିଦେବ ଆପଣଙ୍କର ପ୍ରେମ ବିବାହ। ପତ୍ନୀଙ୍କ ସହ କିପରି ସାକ୍ଷାତ୍ ହୋଇଥିଲା?
ପ୍ରେମ ଅସୀମ ଓ ପ୍ରେମ ଶାଶ୍ବତ। ପ୍ରେମ ବିନା ଏ ଜୀବନ ବ୍ୟର୍ଥ। ମୋ ପତ୍ନୀଙ୍କୁ ପ୍ରଥମେ ମୋ ପରିବାର ଲୋକ ପସନ୍ଦ କଲେ। ପରିବାର ଲୋକ ପସନ୍ଦ କଲା ପରେ ମୁଁ ତାଙ୍କ ସହ ପ୍ରେମରେ ପଡ଼ିଲି ଓ ଆମର ବିବାହ ହେଲା। ମୋଟାମୋଟି ଠିକ୍ ଅନୁମାନ କରିଛନ୍ତି। ବିବାହ ପୂର୍ବରୁ ମୁଁ ମୋ ପତ୍ନୀଙ୍କ ସହ ପ୍ରେମରେ ପଡ଼ିଥିଲି।
ଏବେ ସୁଦ୍ଧା ଆପଣଙ୍କ ଗୀତକୁ କେଉଁ କଣ୍ଠଶିଳ୍ପୀ ବେଶି ନ୍ୟାୟ ଦେଇପାରିଛନ୍ତି?
ଆମ ଇଣ୍ଡଷ୍ଟ୍ରିରେ ଅନେକ ଭଲ କଣ୍ଠଶିଳ୍ପୀ ଅଛନ୍ତି। ମୁଁ କାହାକୁ କମ୍ କହିବି ନାହିଁ। ମାତ୍ର ମୋର ଲୋକପ୍ରିୟ ଗୀତ ମଧ୍ୟରୁ ‘ସବୁ ପାପର ପ୍ରାୟଶ୍ଚିତ୍ତ ଥାଏ...’କୁ ଗାଇଥିଲେ ସୌରଭ ନାୟକ ଓ ‘ଜିଇବାର ନାମ ଯଦି ଜୀବନ ହୁଏ...’ ଗୀତକୁ ଗାଇଥିଲେ ବିଭୁକିଶୋର ଦାସ। ଏ ଦୁଇଜଣ ସର୍ବଦା ମୋ ପାଇଁ ସ୍ବତନ୍ତ୍ର ହୋଇ ରହିବେ। ମୋ ଗୀତକୁ ଏହି ଦୁଇ କଣ୍ଠଶିଳ୍ପୀ ସବୁଠାରୁ ଅଧିକ ନ୍ୟାୟ ଦେଇଛନ୍ତି ବୋଲି ମୁଁ ଭାବେ।