ଏକାଧାରରେ ଅଭିନେତ୍ରୀ, ନୃତ୍ୟ ନିର୍ଦ୍ଦେଶିକା ଓ ନିର୍ଦ୍ଦେଶିକା। ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ ନ କରିଥିଲେ ବି ଓଡ଼ିଆ ଝିଅ ଭାବନା ପାଣି ମାତ୍ର ୧୬ ବର୍ଷ ବୟସରେ ହିନ୍ଦୀ ଫିଲ୍ମ ‘ତେରେ ଲିୟେ’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାପରେ ‘ଦିଲ୍ ଭିଲ୍ ପ୍ୟାର୍‌ ଭ୍ୟାର୍’, ‘ଫାଷ୍ଟ୍ ଫର୍‌ୱାର୍ଡ’ ଓ ‘ତେଜ୍‌’ ଭଳି ହିନ୍ଦୀ ଫିଲ୍ମରେ ଅଭିନୟ କରି ପ୍ରଶଂସିତ ହୋଇଥିଲେ। ଏହା ବ୍ୟତୀତ ଅଧିକାଂଶ ଦକ୍ଷିଣ ଭାରତୀୟ ଫିଲ୍ମରେ ସେ ଅଭିନୟ କରିଛନ୍ତି। ସଂପ୍ରତି ନିର୍ଦ୍ଦେଶନା କ୍ଷେତ୍ରକୁ ପ୍ରବେଶ କରିଥିବା ଭାବନାଙ୍କ ସହ ଏଥରର ଅଳ୍ପ-ଆଳାପ।

Advertisment

ବନ୍ଦନା ମିଶ୍ର୍ର

ଆପଣ ଜଣେ ଓଡ଼ିଆ ଝିଅ। ହିନ୍ଦୀ ସମେତ ଅନେକ ଭାଷାର ଚଳଚ୍ଚିତ୍ରରେ ଆପଣ କାମ କରିଛନ୍ତି। କିନ୍ତୁ ଏଯାଏ ଓଡ଼ିଆ ସିନେମା କାହିଁକି କରିନାହାନ୍ତି?
ମୁଁ ବହୁତ ଛୋଟ ବୟସରୁ ହିଁ ସିନେମା‌େର ଅଫର୍ ପାଇଗଲି। ମୁଁ ଅଭିନେତ୍ରୀ ହେବି ବୋଲି ଭାବି ନଥିଲି। ମୋର ସ୍କୁଲ୍ ସରିଥାଏ। ମୋତେ ସୁଯୋଗ ମିଳିବାରୁ ମୁଁ ‘ହଁ’ କରିଥିଲି। ଯେଉଁ ଭାଷାରେ ମିଳିଲା ମୁଁ ସେଇ ଭାଷାର ସିନେମା କଲି। ଓଡ଼ିଆରେ ଅଫର୍‌ ମିଳିନି ବୋଲି ମୁଁ କରିନି।

ଓଡ଼ିଆ ସିନେମା ଅଫର୍ ମିଳିଲେ କରିବେ କି?
ନିଶ୍ଚୟ କରିବି। ମୁଁ ଯଦି ତାମିଲ୍, ତେଲୁଗୁ, କନ୍ନଡ, ମଲୟାଲମ୍‌ ସିନେମା କରିପାରୁଛି ତ ମୋ ମାତୃଭାଷାରେ ମୁଁ ନିଶ୍ଚୟ କରିବାକୁ ଚାହିବି।

କୋରିଓଗ୍ରାଫି, ଡିରେକ୍ସନ୍‌ ଓ ଆକ୍ଟିଂ- ତିନିଟି କ୍ଷେତ୍ରରେ ଆପଣଙ୍କର ଦକ୍ଷତା ଅଛି। ଏ ଭିତରୁ କେଉଁଟିକୁ ବେଶି ଉପଭୋଗ କରନ୍ତି?
ବହୁତ ବଢ଼ିଆ ପ୍ରଶ୍ନ। ଉତ୍ତର ଦେବା ମୋ ପାଇଁ ଖୁବ୍ କଠିନ। ମୁଁ ନିକଟ ଅତୀତରେ ହିଁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଛି। ସବୁଠାରୁ ଅଧିକ କଳାତ୍ମକ ସନ୍ତୋଷ ମୁଁ ସେଥିରୁ ହିଁ ପାଉଛି। ଯଦିଓ ଲୋକେ ମୋତେ ଅଭିନେତ୍ରୀ ଭାବେ ବେଶି ଜାଣନ୍ତି। ମାତ୍ର ମୁଁ ତାହାକୁ ବିଶେଷ ଉପଭୋଗ କରିନାହିଁ। ବାକି ରହିଲା କୋରିଓଗ୍ରାଫି କଥା, ଯେହେତୁ ମୁଁ ଜଣେ ପ୍ରଶିକ୍ଷିତ ନୃତ୍ୟଶିଳ୍ପୀ, ତେଣୁ ଏହା କିଛି ବଡ଼ ଜିନି‌ଷ ନୁହେଁ। ମୁଁ ନିର୍ଦ୍ଦେଶନା ଦେବାରୁ ହିଁ ସବୁଠାରୁ ଅଧିକ ଖୁସି ପାଉଛି।

ଆପଣ ପିଲାଦିନରୁ ଅଭିନେତ୍ରୀ ହେବାକୁ ଭାବିଥିଲେ ନା ଆଉ କିଛି?
ମୁଁ ପିଲାଦିନରୁ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ହେବାକୁ ଭାବିଥିଲି। ପାଞ୍ଚ ବର୍ଷ ବୟସରେ ଇସ୍କନ୍ ମନ୍ଦିରରେ ମିନାକ୍ଷୀ ଶେଷାଦ୍ରିଙ୍କ ସହ ମୁଁ କୁନି କୃଷ୍ଣ ହୋଇ ନାଚିଥିଲି। ସେବେଠୁ ମୋ ଯାତ୍ରା ଆରମ୍ଭ ହୋଇଥିଲା। ମୋ ବାପା ଉଦୟଶଙ୍କର ପାଣି ଜଣେ ସିନେ-ନିର୍ଦ୍ଦେଶକ। ତେଣୁ ଘରେ ଫିଲ୍ମ ଓ କଳାର ପରିବେଶ ଥିଲା। ମୋତେ ଯେତେବେଳେ ଅଫର୍ ମିଳିଲା ତ ମୁଁ ଅଭିନୟ କରିବାକୁ ରାଜି ହୋଇଗଲି।

କହନ୍ତି ବଲିଉଡ୍‌ରେ କ୍ୟାରିୟର୍ ଗଢ଼ିବା ବହୁତ କଷ୍ଟ। ଯଦି ଜଣେ ସାଧାରଣ ଓଡ଼ିଆ ପିଲାଟେ ସେଠି ଷ୍ଟାର୍ ହେବାକୁ ଚାହିବ; ତା’ର ଦକ୍ଷତା ଥିବ କିନ୍ତୁ ଚିହ୍ନାପରିଚୟ ନଥିବ, ତେବେ ସମ୍ଭବ ହେବ କି?
ମୁଁ କେବେ କହିବିନି କି ଓଡ଼ିଶାରୁ ଜଣେ ଆସି ବମ୍ବେରେ ପହଞ୍ଚୁ ପହଞ୍ଚୁ ହିଁ ତାରକା ବନିଯିବ। ମୁମ୍ବାଇକୁ ସ୍ବପ୍ନର ସହର ବୋଲି କୁହାଯାଏ। ଏଠି ଲୋକେ ବହୁତ ଭାଗ୍ୟବିଶ୍ବାସୀ। ଯଦି ଭାଗ୍ୟ ସାଥ୍‌ ଦିଏ ଏବଂ ଆପଣ ଭଲ କାମ କରନ୍ତି ଓ କଠିନ ପରିଶ୍ରମ କରନ୍ତି, ତେ‌େବ ବାଟ ଫିଟିଯିବ। ଏହାକୁ କେବଳ ଏକ ଗ୍ଲାମର୍ ଇଣ୍ଡଷ୍ଟ୍ରି ବୋଲି ଭାବି ହାଲୁକାରେ ନିଅନ୍ତୁନି। ଯଦି ବି ଓଡ଼ିଶାରୁ କିଏ ମୁମ୍ବାଇ ଆସୁଛନ୍ତି, ତେବେ କଳାତ୍ମକ ପ୍ରତିଭା ସହ ବ୍ୟାବସାୟିକ ସଫଳତା ଦେବା ଭଳି ଦକ୍ଷତା ନେଇ ଆସନ୍ତୁ। କେବଳ ଗ୍ଲାମର୍ ପାଇଁ ଆସନ୍ତୁନି।

ଆପଣଙ୍କ ପ୍ରିୟ ଓଡ଼ିଆ ଖାଦ୍ୟ କ’ଣ?
ପଖାଳ। ଆଉ କେଉଁ ବି ଖାଦ୍ୟ ପଖାଳ ସହ ତୁଳନୀୟ ନୁହେଁ।

ଓଡ଼ିଶାର କେଉଁ ଜିନିଷ ଆପଣଙ୍କୁ ବେଶି ଭଲ ଲାଗେ?
ଅପରାହ୍‌ଣ। ଭୁବନେଶ୍ବରର ନୂଆପଲ୍ଲୀରେ ଆମ ବଡ଼ମାମାଙ୍କ ଘର ଅଛି। ଆମେ ଓଡ଼ିଶା ଆସିଲେ ଅପରାହ୍‌ଣରେ ବସି ସମସ୍ତେ ଗପସପ କରୁ। ସେ ସମୟ ମୋତେ ବହୁତ ଭଲ ଲାଗେ।