ଓଡ଼ିଆ ଟେଲିଭିଜନ୍ ପରିସରର ଜଣେ ଚିହ୍ନା ଚେହେରା ସୁମନ୍ ପଟ୍ଟନାୟକ। ସେ ଅନେକ ଲୋକପ୍ରିୟ ଟେଲି ଧାରାବାହିକରେ ନଜର ଆସିବା ସହ ଛତିଶଗଡ଼ୀ ସିନେମାରେ ବି ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ତାଙ୍କ ସହ ଅଳ୍ପ ଆଳାପ।
ବନ୍ଦନା ମିଶ୍ର୍ର
‘ଭାଗ୍ୟରେଖା’ ଧାରାବାହିକରେ ଏବେ ଆପଣ ଦର୍ଶକଙ୍କ ମନୋରଞ୍ଜନ କରାଇ ଚାଲିଛନ୍ତି। ତା’ ସହିତ ଆଉ କ’ଣ କରୁଛନ୍ତି?
‘ଭାଗ୍ୟରେଖା’ ତ ଏବେ ଆପଣମାନେ ଦେଖୁଛନ୍ତି। ସେଥିରେ ମୁଁ ରେଖା ଚରିତ୍ର ନିଭାଉଛି; ଯାହାକୁ ଦର୍ଶକ ଖୁବ୍ ଭଲପାଇବା ଦେଉଛନ୍ତି। ଆମେ ସବୁବେଳେ ଚେଷ୍ଟା କରୁଛୁ, ଆମେ ଯେପରି ଦର୍ଶକମାନଙ୍କ ମନୋରଞ୍ଜନ ଖୁବ୍ ଭଲରେ କରିପାରିବୁ। ସିରିୟଲ୍ ସହିତ ମୁଁ ଛତିଶଗଡ଼ୀ ସିନେମାରେ କାମ ବି କରୁଛି। ମୋର ଦୁଇଟି ଛତିଶଗଡ଼ୀ ସିନେମା ରିଲିଜ୍ ହୋଇ ସାରିଲାଣି।
ଆପଣଙ୍କ ଅଭିନୀତ ଛତିଶଗଡ଼ୀ ଛବିଗୁଡ଼ିକୁ ସେଠାକାର ଦର୍ଶକ କିଭଳି ଗ୍ରହଣ କରିଛନ୍ତି?
ମୋର ଏକ ଛତିଶଗଡ଼ୀ ଫିଲ୍ମ ‘ଦସ୍ତାବେଜ୍: ଏକ୍ ପନେ କି କାହାନୀ’କୁ ବହୁତ ଭଲପାଇବା ମିଳିଛି। ମୋତେ ଭିନ୍ନ ଏକ ସିନେମା ଇଣ୍ଡଷ୍ଟ୍ରିରେ ଏତେ ଭଲପାଇବା ମିଳିବ ବୋଲି ମୁଁ ଆଶା କରି ନଥିଲି। ତେଣୁ ଏଇଟା ନିଶ୍ଚିତ ଭାବେ ଈଶ୍ବରଙ୍କ ଆଶୀର୍ବାଦ, ମୋ ବାପାମାଆଙ୍କ ସହଯୋଗ ଓ ଦର୍ଶକଙ୍କ ଭଲପାଇବାର ପରିଣାମ।
ସାପ୍ଲିନ୍ଙ୍କ ସହ ଆପଣ ‘ରିଲେସନ୍ସିପ୍’ରେ ଅଛନ୍ତି ବୋଲି ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି। ପ୍ରେମ ପ୍ରଥମେ କାହା ପକ୍ଷରୁ ଆରମ୍ଭ ହୋଇଥିଲା?
ସାପ୍ଲିନ୍ ସହ ମୋର ଯାହା ସଂପର୍କ ତାହା ପୂରାପୂରି ଲୋକମାନଙ୍କ ଆଗରେ ହିଁ ଅଛି। ମୁଁ ଆଉ ଟିକେ ସମୟ ଚାହୁଛି। ଠିକ୍ ସମୟ ଆସିଲେ ମୋର ବ୍ୟକ୍ତିଗତ ଜୀବନର ବାକି କଥା ବି ପ୍ରଶଂସକମାନଙ୍କ ସମ୍ମୁଖରେ ରଖିବି।
ପ୍ରେମୀଯୁଗଳଙ୍କୁ ଦର୍ଶକ କେବେ ବିବାହିତ ଦମ୍ପତି ଭାବେ ଦେଖିବେ? କେମିତି ବାହାଘର ଚାହାନ୍ତି ସୁମନ?
ସବୁ ଝିଅଙ୍କର ନିଜ ବାହାଘରକୁ ନେଇ କିଛିଟା ସ୍ବପ୍ନ ରହିଥାଏ। ମୋ ମନରେ ବି ସେପରି କିଛି ଭାବନା ଅଛି।
ମୋତେ ବହୁତ ଜାକଜମକ ବାହାଘର ଦରକାର ନାହିଁ କି, ଅତି ସାଧାରଣ ବାହାଘର ବି ମୁଁ କରିବି ନାହିଁ। ମୁଁ, ମୋ ପାର୍ଟନର୍ ଓ ଆମ ଦୁଇ ପରିବାର ଲୋକଙ୍କ ଇଚ୍ଛା ଅନୁସାରେ ହିଁ ବାହାଘର ହେବ। ବାହାଘର ହେଲେ ଆପଣମାନେ ନିହାତି ଜାଣିବେ ଏବଂ ମୁଁ ମୋ ବାହାଘରରେ ଆପଣମାନଙ୍କୁ ନିଶ୍ଚୟ ସାମିଲ୍ କରିବି।
କୁହାଯାଏ ପ୍ରତ୍ୟେକ ଝିଅ ତାଙ୍କ ଜୀବନସାଥୀ ଭିତରେ ନିଜ ବାପାଙ୍କର ଗୁଣ ଖୋଜିଥାନ୍ତି। ଆପଣଙ୍କ କ୍ଷେତ୍ରରେ ତାହା କେତେ ଦୂର ପ୍ରଯୁଜ୍ୟ?
ହଁ, ଏଇଟା ସତ। ପ୍ରତ୍ୟେକ ଝିଅ ଚାହାନ୍ତି କି ଯିଏ ତା’ର ଜୀବନସାଥୀ ହେବ ତା’ପାଖରେ ତା’ ବାପାଙ୍କର ଗୁଣ ସବୁ ରହିଥାଉ। ସବୁ ନହେଲେ ବି ଅନ୍ତତଃ କିଛିଟା ଗୁଣ ରହୁ। ବାପା ଯେପରି ନିଜ ଝିଅର ଯତ୍ନ ନିଅନ୍ତି, ଝିଅର ସ୍ବପ୍ନକୁ ନିଜର ବୋଲି ଭାବନ୍ତି; ଜୀବନସାଥୀଙ୍କ ଭିତରେ ବି ସେଇ ଗୁଣ ରହୁ ବୋଲି ଝିଅଟିଏ ଅଭିଳାଷ ରଖିଥାଏ। ମୋ ବାପାଙ୍କ ପାଖରୁ ଯେଉଁ ସମର୍ଥନ ମୁଁ ଆଜି ଯାଏ ପାଇଛି ସେଇ ସମର୍ଥନ ମୁଁ ଭବିଷ୍ୟତରେ ମୋ ଜୀବନସାଥୀଙ୍କଠାରୁ ବି ଚାହେଁ। ସବୁଠାରୁ ବଡ଼ କଥା ହେଲା ସେ ସମର୍ଥନ ମୋତେ ମିଳୁଛି ମଧ୍ୟ।
ଉପହାର ଦେବା ଓ ଗ୍ରହଣ କରିବା ଉଭୟ ଝିଅମାନଙ୍କର ପ୍ରିୟ। ଆପଣଙ୍କୁ କେମିତି ଉପହାର ଭଲ ଲାଗେ?
ମୋତେ ଉପହାର ଦେବା ଓ ବିଶେଷକରି ଗ୍ରହଣ କରିବା ଭାରି ପସନ୍ଦ। ମୋ ଜନ୍ମଦିନ ଆଗରୁ ହିଁ ମୁଁ ସମସ୍ତଙ୍କୁ କହି ଦେଇଥାଏ ମୋତେ କ’ଣ ଦରକାର। ଏହାଛଡ଼ା ମୋତେ ‘ସର୍ପ୍ରାଇଜ୍ ଗିଫ୍ଟ’ ଭାରି ଭଲଲାଗେ। ମୁଁ ସବୁବେଳେ ଚାହେ କି ମୋତେ କିଏ ସର୍ପ୍ରାଇଜ୍ କରୁ।
ଶାଢ଼ି, ସାଲ୍ୱାର୍, ଗାଉନ୍ ଓ ଜିନ୍ସ-ଟପ୍। ଆପଣ କେଉଁଟିକୁ ପିନ୍ଧିବାକୁ ବେଶି ପସନ୍ଦ କରନ୍ତି। କ୍ରମାନୁସାରେ କହନ୍ତୁ?
ପୋଷାକକୁ ନେଇ ମୁଁ ବେଶି ‘ଚୁଜି’ ନୁହେଁ। ବାସ୍ ମୋତେ ଭଲ ପୋଷାକ ଦରକାର। ଆପଣ କ୍ରମାନୁସାରେ ପଚାରିଛନ୍ତି ଯେହେତୁ ମୁଁ ପ୍ରଥମେ ଜିନ୍ସ-ଟପ୍, ଶାଢ଼ି, ସାଲ୍ୱାର୍ ଓ ଶେଷରେ ଗାଉନ୍କୁ ବାଛିବି।