ଓଲିଉଡ୍ର ଲୋକପ୍ରିୟ କଳାକାରମାନଙ୍କ ମଧ୍ୟରୁ ସେ ଅନ୍ୟତମ। ଧାରାବାହିକ ଜରିଆରେ ଅଭିନୟ କ୍ଷେତ୍ରରେ ପାଦ ଥାପି ପରବର୍ତ୍ତୀ ସମୟରେ ମ୍ୟୁଜିକ୍ ଭିଡିଓ, ଷ୍ଟେଜ୍ ସୋ’ ଓ ସିନେମା ଆଦି ପ୍ରତ୍ୟେକ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ସେ। ଆଗକୁ ଆସୁଛି ତାଙ୍କ ଅଭିନୀତ ସିନେମା ‘ହରଣ’ ଓ ‘ରଙ୍ଗଶୁର’। ଓଡ଼ିଆ ସିନେମା ଶିଳ୍ପର ଲୋକପ୍ରିୟ ଅଭିନେତା ଶୁଭାଶିଷ ଶର୍ମା (ମଣ୍ଟୁ)ଙ୍କ ସହ ଅଳ୍ପ ଆଳାପ।
ବନ୍ଦନା ମିଶ୍ର୍ର
ଧାରାବାହିକରେ ସଫଳତା ପାଇବା ପରେ ଏବେ ସିନେମାରେ ସକ୍ରିୟ ଅଛନ୍ତି। କେଉଁ ଶିଳ୍ପରେ ପାରିଶ୍ରମିକ ଅଧିକ?
ମୁଁ ଯେତେବେଳେ ନିୟମିତ ସିରିୟଲ୍ କରୁଥିଲି ସବୁଠୁ ଅଧିକ ପାରିଶ୍ରମିକ ନେଉଥିଲି। ତେଣୁ ରୋଜଗାର ନିର୍ଦ୍ଦିଷ୍ଟ ଥିଲା। ମାତ୍ର ସିନେମାରେ ହିସାବ ଟିକେ ଅଲଗା। ବର୍ଷକୁ ଜଣେ କେତୋଟି ସିନେମାରେ କାମ କରୁଛି, ତା’ ଉପରେ ରୋଜଗାର ନିର୍ଭର କରେ। ସେମିତି ଦେଖିବାକୁ ଗଲେ ସିରିୟଲ୍ ଅପେକ୍ଷା ସିନେମାରେ ରୋଜଗାର କମ୍। ମାତ୍ର ସିନେମାରେ କାମ କଲେ ସମୟ ମିଳୁଛି। ସେହି ସମୟରେ ମୁଁ ବିଭିନ୍ନ ସୋ’ ଏବଂ ବ୍ୟବସାୟ ଉପରେ ଧ୍ୟାନ ଦେଉଛି। ଯଦି ହିସାବ କରିବି ତ ସିନେମାର ରୋଜଗାର ଅଧିକ ହେବ।
ଅନେକ ଅଭିନେତା ଯାତ୍ରାମଞ୍ଚକୁ ଆପଣେଇ ନେଉଛନ୍ତି। ସୁଯୋଗ ମିଳିଲେ ଆପଣ ବି କରିବେ କି?
ଯେଉଁମାନେ ଯାତ୍ରାକୁ ବାଛୁଛନ୍ତି ସେଇଟା ସେମାନଙ୍କର ବ୍ୟକ୍ତିଗତ ପସନ୍ଦ। ମୁଁ ଶୁଣିଛି, ଯାତ୍ରାର ରୋଜଗାର ଭଲ। ଯଦି ସେମାନେ ତୁଲାଇ ପାରୁଛନ୍ତି ତ ମୁଁ କହିବି ଭଲ କରୁଛନ୍ତି। ତେବେ ମୁଁ ଯାତ୍ରାକୁ ଯିବାକୁ ଆଗ୍ରହୀ ନୁହେଁ। ଏଯାଏ ସେକଥା ମୁଁ କେବେ ଭାବିନାହିଁ। ଯାତ୍ରା ପାଇଁ ଯେତିକି ସମୟ ଦରକାର ମୁଁ ସେତିକି ସମୟ ଦେଇପାରିବି ନାହିଁ।
ଶୁଣାଯାଏ ଆପଣଙ୍କ ପତ୍ନୀ ଅନୀଷାଙ୍କ ସହ ଆପଣଙ୍କର ପ୍ରେମ ବିବାହ। ପ୍ରଥମେ କିଏ କାହାକୁ ପ୍ରେମ ନିବେଦନ କରିଥିଲେ?
ପ୍ରେମ ନିବେଦନ କେହି କାହାକୁ କେବେ କରିନୁ। ପ୍ରଥମରୁ ଆମେ ଦୁହେଁ ବହୁତ ଭଲ ସାଙ୍ଗ ଥିଲୁ। ତା’ପରେ ସଂପର୍କରେ ନିବିଡ଼ତା ଆସିଲା। ହଉ ହଉ ପ୍ରେମ ହେଇଗଲା। ଏବେ ବିବାହ ପରେ ଝିଅକୁ ନେଇ ଆମର ଏକ ଛୋଟ ଓ ସୁଖୀ ପରିବାର।
ଜଣେ ଅଭିନେତା ହେବା ସହ ଆପଣ ଜଣେ ଭଲ ନୃତ୍ୟଶିଳ୍ପୀ ମଧ୍ୟ। ଦୁଇଟି ଭିତରୁ କେଉଁ କାମ ଆପଣଙ୍କ ପାଇଁ ବେଶୀ ଉପଭୋଗ୍ୟ?
ଜଣେ ଅଭିନେତା ଭିତରେ ଅଭିନୟ ଓ ନୃତ୍ୟକଳା ଉଭୟ ରହିବା ଜରୁରି। ଦୁଇଟି ଗୁଣ ଭଲ ଥିଲେ ହିଁ ଯାଇ ଜଣେ ଦକ୍ଷ ଅଭିନେତା ହୋଇପାରିବ। ଅଭିନୟ ଓ ନୃତ୍ୟ ଅଲଗା ନୁହେଁ। ମୋ ଜାଣିବାରେ ସେ ଦୁଇଟାଯାକ ମିଶିଲେ ହିଁ ଯାଇ ଭଲ ଅଭିନେତାଟିଏ ତିଆରି ହୁଏ।
ଆପଣଙ୍କ ଝିଅ ଓଲିଉଡ୍ର ଖୁବ୍ ଲୋକପ୍ରିୟ ଷ୍ଟାର୍ କିଡ୍। ବାପମାଆଙ୍କ ପରି ଭବିଷ୍ୟତରେ ସେ ବି ଏହି ଦିଗରେ ଯାଉ ବୋଲି ଆପଣ ଭାବୁଛନ୍ତି କି?
ସେଇଟା ପୂରାପୂରି ତା’ ଉପରେ ନିର୍ଭର କରେ। ଆମେ କୌଣସି ପ୍ରକାରର ଚାପ ତା’ ଉପରେ ପକାଇବୁ ନାହିଁ। ୨୦ ବର୍ଷ ପରେ ପରିସ୍ଥିତି କ’ଣ ଥିବ, ତା’ ପସନ୍ଦ କ’ଣ ଥିବ; ସେ ସବୁକିଛି ସମୟ ଉପରେ ନିର୍ଭର କରୁଛି। ତା’ ଖୁସିରେ ଆମେ ଖୁସି। ସେ ଯାହା କରିବାକୁ ଚାହିବ ତାହା ହିଁ କରିବ।
ସକାଳୁ ଉଠି ପ୍ରଥମେ ଆପଣ କ’ଣ ପିଅନ୍ତି? ସାଦା ପାଣି, ଚା, କଫି, ଜୁସ୍ ନା ଆଉ କିଛି?
ମୁଁ ଉଠିବା ପରେ ହାଲୁକା ଉଷୁମ ପାଣି ପିଏ। ତା’ପରେ ଟିକେ ଡ୍ରାଏ ଫ୍ରୁଟ୍ ଖାଇ ଜିମ୍ ପଳାଏ।
କୁକୁର ଓ ଶୁଆ ଭିତରୁ କେଉଁ ଗୃହପାଳିତ ପ୍ରାଣୀକୁ ଆପଣ ଘରେ ପାଳିବାକୁ ପସନ୍ଦ କରିବେ?
ମୁଁ କେବେ ରଖିନି ଆଜିଯାଏ। ଯଦି କେବେ ସୁଯୋଗ ମିଳେ ତ ମୁଁ ଦୁଇଟିଯାକ ପ୍ରାଣୀଙ୍କୁ ରଖିପାରିବି। ମୁଁ ଗାଁରେ ଥିଲା ବେଳେ ଆମ ଘରେ ସବୁ ଥିଲେ। ଏବେ ବ୍ୟସ୍ତ-ବହୁଳ ଜୀବନ ପାଇଁ ଆମେ ରଖିପାରିନୁ। ମାତ୍ର କୁକୁର ଓ ଶୁଆ ଉଭୟ ମୋତେ ପସନ୍ଦ।