ବନ୍ଦନା ମିଶ୍ର୍ର

Advertisment

ଅଭିନୟକୁ କିପରି ଆସିଲେ? ଏହି କ୍ଷେତ୍ରରେ ଆପଣଙ୍କର ‘ଗଡ୍ ଫାଦର୍’ କିଏ?
ମୋର କେହି ‘ଗଡ୍ ଫାଦର୍’ ନାହାନ୍ତି କି ଆମ ପରିବାର ବା ସଂପର୍କୀୟଙ୍କ ଭିତରେ କେହି ବି ଏ କ୍ଷେତ୍ରର ନୁହନ୍ତି। କାଷ୍ଟିଂ କମ୍ପାନି ‘କାଷ୍ଟିଂ ବାଏ ବ୍ଲାଙ୍କ୍ କାନ୍‌ଭାସ୍‌’ ଜରିଆରେ ହିଁ ମୁଁ ଅଭିନୟ କ୍ଷେତ୍ରରେ ପାଦ ରଖିଛି। ତେବେ ପ୍ରାରମ୍ଭିକ ସମୟରେ ବାଲେଶ୍ବରରେ ଥିବା ବିଭାସ ମହାରଣାଙ୍କ ‘ମ୍ୟୁଜିକ୍ ଷ୍ଟୁଡିଓ’ରୁ ମୁଁ ଅଭିନୟ, ଏଡିଟିଂ, ସଂଗୀତ, ଭିଡିଓଗ୍ରାଫି ସହିତ ଡ୍ରମିଂ ବି ଶିଖିଛି।

ଆପଣଙ୍କର ଦୁଇଟିଯାକ ଧାରାବାହିକ ପ୍ରସାରଣ ସରିଛି ଏବଂ ସିନେମା ବି ରିଲିଜ୍ ହୋଇଯିବ। ଆଗକୁ ଯୋଜନା କ’ଣ?
ମୁଁ କେତୋଟି ପ୍ରୋଜେକ୍ଟ ପାଇଁ ଚୁକ୍ତିବଦ୍ଧ ହୋଇଛି। ସେ ସବୁ କାମ ସହ ହିନ୍ଦୀ ସିନେମାରେ ଅଭିନୟ କରିବା ଯୋଜନା ବି ଅଛି। ଯଦି ଠିକ୍‌ ଭାବେ ସମୟ ପରିଚାଳନା କରିପାରିଲି ତ ଏଇ ଲକ୍ଷ୍ୟରେ ଆଗକୁ ଚାଲିବି।

କେଉଁ ଓଡ଼ିଆ ଅଭିନେତ୍ରୀ ଆପଣଙ୍କୁ ଭଲ ଲାଗନ୍ତି ଏବଂ ଆପଣଙ୍କ ପ୍ରିୟ ଅଭିନେତା କିଏ?
ରଚନା ବାନାର୍ଜୀ ଓ ଅନୁ ଚୌଧୁରୀ ମୋତେ ଭଲ ଲାଗନ୍ତି। ବାବୁସାନ୍‌ ମହାନ୍ତି ମୋର ପ୍ରିୟ ଓଡ଼ିଆ ତାରକା। ତେବେ ମୁଁ ବିଶେଷ ଭାବେ ହିନ୍ଦୀ ଟେଲିଭିଜନ୍ ଅଭିନେତ୍ରୀ ଜେନିଫର୍ ୱିଙ୍ଗେଟ୍‌ଙ୍କ ଦ୍ବାରା ଅନୁପ୍ରେରିତ। ଏମାନଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ, ଜୁହି ଚାୱାଲା, ଐଶ୍ବର୍ଯ୍ୟା ରାୟଙ୍କ ପରି ପୁରୁଣା ଅଭିନେତ୍ରୀ ମୋତେ ଭାରି ଭଲ ଲାଗନ୍ତି।

ଆପଣ ଯେତିକି ବି ସଫଳ ହୋଇଛନ୍ତି ତାହାର ଶ୍ରେୟ କାହାକୁ ଦେବାକୁ ଚାହିବେ?
ସଫଳତାର ଶ୍ରେୟ ବାପା ଶେଖ୍‌ ମୋତାଲିଫ୍ ହୁସେନ୍‌ ଓ ମାଆ ମମ୍‌ତାଜ୍‌ ବିବିଙ୍କୁ ଦେବି। ସେମାନଙ୍କ ସମର୍ଥନ ବିନା ମୋ କ୍ୟାରିୟର୍ ଆଗକୁ ବଢ଼ିପାରି ନଥା’ନ୍ତା। ସେମାନେ ସବୁବେଳେ ମୋତେ ପ୍ରେରଣା ଦେଇ ଆସିଛନ୍ତି।

ପର୍ବପର୍ବାଣି ଭିତରେ କେଉଁଟି ଆପଣଙ୍କୁ ବେଶି ଭଲ ଲାଗେ?
ସବୁ ପର୍ବପର୍ବାଣିରୁ ମୁଁ ଆନନ୍ଦ ଉଠାଏ। ବିଶେଷ କରି ମେଳା କି ଯାତ୍ରା ବୁଲିବା ମୋର ଭାରି ପସନ୍ଦ। ତେବେ ଦୀପାବଳି, ଇଦ୍ ଓ ଖ୍ରୀଷ୍ଟମାସ୍‌ ମୋର ବହୁତ ପସନ୍ଦ।

ବିବାହ ନେଇ କ’ଣ ଚିନ୍ତା କରିଛନ୍ତି? ଜୀବନସାଥୀ କେମିତି ହେବା ଦରକାର?
ମୁଁ ମୋ କ୍ୟାରିୟର୍‌କୁ ବିବାହ କରିସାରିଛି। ଆପଣ ଜାଣିଥିବେ ଆଜିକାଲିକା ବାହାଘରର ଆୟୁଷ କେତେ! ଯେତେ ଶୀଘ୍ର ଯୋଡ଼ି ହେଉଛି ସେତେ ଶୀଘ୍ର ଭାଙ୍ଗି ବି ଯାଉଛି। ଯଦି କେବେ ବାହାହେବି ତ ଜଣେ ବାସ୍ତବବାଦୀ ସାଧାସିଧା ମଣିଷଙ୍କୁ ବିବାହ କରିବି। ତେ‌ବେ ଏତିକି କହିବି, ଯାହାଙ୍କୁ ବି ବିବାହ କରିବି ତାଙ୍କର ଶୃଙ୍ଖଳା, ବ୍ୟାବହାରିକ ଜ୍ଞାନ ଓ ଦାୟିତ୍ବସଂପନ୍ନତା ପରି ଗୁଣ ଥିବା ଆବଶ୍ୟକ।

ଆପଣ ନିଜର କେଉଁ ଗୁଣକୁ ନିୟନ୍ତ୍ରଣ କରିବାକୁ ଚାହି ମଧ୍ୟ କରି ପାରନ୍ତିନି?
‘ମୁଡ୍ ସୁଇଙ୍ଗ୍‌ସ୍’। ମୋର ପ୍ରତି ମୁହୂର୍ତ୍ତରେ ମନ ବଦଳେ।  ଝିଅମାନେ ‘ମୁଡି’ ବୋଲି ଶୁଣିଛି। ମୋତେ ଲାଗେ ମୋ ପରି ‘ମୁଡି’ ଆଉ କେହି ନଥିବେ। ମୁଁ ବହୁତ ଗଭୀରକୁ ଯାଇ ଚିନ୍ତାକରେ ଏବଂ ସବୁବେଳେ ସାମ୍ନା ଲୋକର ସ୍ଥାନରେ ନିଜକୁ ରଖି ଚିନ୍ତାକରେ। ପ୍ରତ୍ୟେକ କ୍ଷଣରେ ମୋ ମନ ଓ ଚିନ୍ତାଧାରା ବଳଦିଯାଏ। ମୁଁ ଚାହିଲେ ବି ମୋର ସେ ଗୁଣକୁ ବଦଳାଇ ପାରିବିନି।