କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ ତଥା ସାଉଣ୍ଡ୍ ଡିଜାଇନର୍ ପ୍ରିୟବ୍ରତ ପାଣିଗ୍ରାହୀ କେବଳ ଓଲିଉଡ୍ ନୁହେଁ, ବଲିଉଡ୍‌ରେ ମଧ୍ୟ ନିଜ ପ୍ରତିଭାର ପରିଚୟ ଦେଇସାରିଛନ୍ତି। ୨୦୧୯ରେ ‘ଓସ୍କାର୍’ ପାଇଁ ମନୋନୀତ ସିନେମା ‘ଦ ଲାଷ୍ଟ୍ କଲର୍’ରେ କାମ କରି ପ୍ରଥମେ ଲୋକଲୋଚନକୁ ଆସିଥିବା ପ୍ରିୟବ୍ରତ ହିନ୍ଦୀ ଛବି ‘କୁଛ୍ ସପ୍‌ନେ ଅପ୍‌ନେ’ରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ‘ଶୁକ ଆସୁଛି’ ଜରିଆରେ ଓଲିଉଡ୍‌ରେ ପାଦ ରଖି ସେ ‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ୱାଇଫ୍’, ‘ଭୋଟ୍’ ଓ ‘ତ୍ରିକନ୍ୟା’ ଆଦି ଓଡ଼ିଆ ଛବିର ପ୍ରେକ୍ଷାପଟ୍ଟ ସଂଗୀତ ପ୍ରସ୍ତୁତ କରିଛନ୍ତି। ଏ ସପ୍ତାହରେ ତାଙ୍କ ସହ ଅଳ୍ପ ଆଳାପ।

Advertisment

ଆପଣ ଜଣେ ସଂଗୀତ ନିର୍ଦ୍ଦେଶକ, ସାଉଣ୍ଡ୍ ଡିଜାଇନର୍ ଓ କଣ୍ଠଶିଳ୍ପୀ ମଧ୍ୟ। ପ୍ରଥମେ କେଉଁ କାମରୁ କ୍ୟାରିୟର୍ ଆରମ୍ଭ କରିଥିଲେ?
ପିଲାଦିନରୁ ମୁଁ ଗୀତ ଗାଉଛି। ହୀରାକୁଦରେ ବାବା ଚାକିରି କଲାବେଳେ ଆମେ ଯେଉଁ କଲୋନିରେ ରହୁଥିଲୁ, ସେଠାରେ ମୋତେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ସୁଯୋଗ ମିଳୁଥିଲା। ଗୀତ ଗାଇବା ପ୍ରତି ମୋର ପ୍ରଥମରୁ ରୁଚି ଥିଲା, ସମୟକ୍ରମେ ସଂଗୀତ ନିର୍ଦ୍ଦେଶନା ପ୍ରତି ଆଗ୍ରହ ସୃଷ୍ଟି ହେଲା। ତେବେ ଏଫ୍‌ଟିଆଇଆଇରେ ପଢ଼ିବା ପରେ ସାଉଣ୍ଡ୍ ଡିଜାଇନର୍‌ ହେଲି।

ଆପଣ ବଲିଉଡ୍ ଛବିରେ ସଂଗୀତ ନିର୍ଦ୍ଦେଶନାର ସୁଯୋଗ ପାଇଛନ୍ତି। ଓଡ଼ିଶା ଓ ମୁମ୍ବାଇ ଭିତରେ କାମର ତରିକାରେ ମୁଖ୍ୟ ପାର୍ଥକ୍ୟ କ’ଣ?
‘କୁଛ୍ ସପ୍‌ନେ ଅପ୍‌ନେ’ରେ ମୁଁ ଗୀତ କରିଛି ଓ ଶାନ୍‌ ତାହାକୁ ଗାଇଛନ୍ତି। ତାଙ୍କ ସହ କାମ କରି ମୋତେ ଏମିତି ଲାଗିଲା, ଯେମିତି ମୋ ସ୍ବପ୍ନ ପୂରା ହୋଇଗଲା। ଏତିକି କହିବି, ବଲିଉଡ୍ ଓ ଓଲିଉଡ୍ ଭିତରେ ତଫାତ୍‌ ହେଉଛି ଗତି ବା ସ୍ପିଡ୍। ବଲିଉଡ୍‌ରେ ସବୁକିଛି ଦ୍ରୁତ ଗତିରେ ଚାଲେ। ସେଠି କଣ୍ଟାଟେ ମାନେ ଘଣ୍ଟାଟେ, ଆମର ଏଠି ଘଣ୍ଟାଟେ ମାନେ ୪ ଘଣ୍ଟା। ରୋଜଗାରରେ ବି ପାର୍ଥକ୍ୟ ରହିଛି। 

କିଟ୍‌ରେ ଇଞ୍ଜିନିୟରିଂ ପଢୁଥିଲେ। ଏତେ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ିବା ପରେ ଦିଗ ବଦଳାଇଲେ କାହିଁକି?
ଯେହେତୁ ମୋ ବାବା ଜଣେ ଇଞ୍ଜିନିୟର୍ ତ, ବାବାମାମା ଚାହିଁଲେ କି ମୁଁ ଇଞ୍ଜିନିୟରିଂ କରେ ବୋଲି। ମୁଁ ଭଲ ପାଠ ବି ପଢୁଥିଲି। ସେହି ସମୟରେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୩’ରେ ଭାଗ ନେଲି। ମୁଁ ମୁମ୍ବାଇ ଯାଏ ଯାଇଥିଲି, କିନ୍ତୁ ଶୀର୍ଷ ୧୦୦ ଭିତରେ ହିଁ ରହିଲି। ତା’ପରେ ସଂଗୀତ ଦୁନିଆକୁ ଯିବାକୁ ସଂକଳ୍ପ ନେଲି ଏବଂ ପୁଣେସ୍ଥିତ ଫିଲ୍ମ ଆଣ୍ଡ୍ ଟେଲିଭିଜିନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ’(ଏଫ୍‌ଟିଆଇଆଇ)ରେ ସାଉଣ୍ଡ୍ ଇଞ୍ଜିନିୟରିଂ ପଢ଼ିବାକୁ ନିଷ୍ପତ୍ତି କଲି। ସେଇଠୁ ମୋ ପାଇଁ ବାଟ ଫିଟିଗଲା।

ଆପଣ ଗ୍ଲାମର୍ ଦୁନିଆରେ କାମ କରୁଛନ୍ତି। ତାହାର ପ୍ରଭାବ କେବେ ଆପଣଙ୍କ ପରିବାର ଉପରେ ପଡ଼ିଛି କି?
ଗ୍ଲାମର୍ ଦୁନିଆରେ ଥିଲେ ବି କୌଣସି ପ୍ରଭାବ ପଡ଼ିନି। ଲୋକମାନେ ଫିଲ୍ମ ଦୁନିଆକୁ ଗ୍ଲାମର୍ ଲାଇନ୍ ବୋଲି କହନ୍ତି, ସେଇଟା ଖୁବ୍ ଭଲ କଥା। ମାତ୍ର ମୁଁ ଏଠି ଗୋଟିଏ କଥା ସ୍ପଷ୍ଟ କରି‌େଦବାକୁ ଚାହେଁ ଯେ, ଅନ୍ୟ ସବୁ ଶିଳ୍ପ ପରି ସିନେମା ମଧ୍ୟ ଏକ ଶିଳ୍ପ। ସେଠାରେ ଅନେକ ସାଧାରଣ ଲୋକ ବି କାମ କରନ୍ତି। ସାଧାରଣ ପୋଷାକ ପିନ୍ଧି, ହାତରେ ଟିଫିନ୍ ଧରି ସେଟ୍‌ସ୍‌କୁ ଆସନ୍ତି। ଆମେ ଗୋଟାଏ ପ୍ରତିଶତ ଗ୍ଲାମର୍/ ଗ୍ଲିଟର୍ ଦେଖି ଟିକେ ଭିନ୍ନ ବିଚାର କରୁ, ବାସ୍ତବତା ସେପରି ନୁହେଁ।

ଆପଣଙ୍କର ପ୍ରେମ ବିବାହ ନା ଆୟୋଜିତ? ପତ୍ନୀଙ୍କର ଏକ ମନ୍ଦ ଗୁଣ କହନ୍ତୁ; ଯାହାକୁ ଆପଣ ବଦଳାଇବାକୁ ଚାହାନ୍ତି?
ମୋର ପ୍ରେମ ବିବାହ ଓ ମୁଁ ମୋ ପତ୍ନୀଙ୍କୁ ଖୁବ୍ ଭଲପାଏ। ତାଙ୍କର ସେପରି କୌଣସି ଖରାପ ଗୁଣ ମୁଁ ଦେଖି ପାରିନାହିଁ। ହଁ, ତାଙ୍କର ଏହି ଗୁଣକୁ ଆପଣ ଭଲ ବି କହିପାରନ୍ତି ଏବଂ ମନ୍ଦ ବି କହିପାରନ୍ତି। ସେ ବହୁତ ‘ପର୍‌ଫେକ୍‌ସନିଷ୍ଟ୍’। ବାସ୍ ସେଇ ଗୋଟାଏ ଗୁଣ ମୁଁ ଏଠାରେ କହିବି।

ଆପଣଙ୍କ ପତ୍ନୀ ଆପଣଙ୍କ ବିରୋଧରେ ବିଶେଷ କରି କେଉଁ ଅଭିଯୋଗ ଆଣନ୍ତି?
ମୋ ପତ୍ନୀଙ୍କ ଅଭିଯୋଗ ହେଲା ମୁଁ ବହୁତ ‘ୱାର୍କହଲିକ୍’। ମୁଁ ଯେତେବେଳେ କାମରେ ପଶିଯାଏ ତ ସବୁକିଛି ଭୁଲିଯାଏ। ତାଙ୍କ ଫୋନ୍ ବି ଉଠାଏ ନାହିଁ। ବେଳେ ବେଳେ ସମୟ ଦେଇପାରେନି ଏବଂ ଫୋନ୍ ରିସିଭ୍ କରିପାରେନି ବୋଲି ସେ ଅଭିଯୋଗ କରନ୍ତି। ଏବେ କିନ୍ତୁ ସେ ବୁଝିଗଲେଣି।

ଆବଶ୍ୟକ ପଡ଼ିଲେ ପତ୍ନୀଙ୍କ ଖୁସି ପାଇଁ ନିଜକୁ ବଦଳାଇବାକୁ ଆପଣ ଉଚିତ ଭାବିବେ ନା ଆପଣ ଯେପରି ସେ ଆପଣଙ୍କୁ ସେପରି ଗ୍ରହଣ କରନ୍ତୁ ବୋଲି ଇଚ୍ଛା ରଖିବେ?
ଆପଣ ଯଦି ଜଣକୁ ଭଲପାଉଛନ୍ତି ତ ଆପଣଙ୍କ ଜୀବନସାଥୀ ଯେମିତି ଆପଣଙ୍କୁ ତାଙ୍କୁ ସେଇଭଳି ଭାବେ ଗ୍ରହଣ କରିବାକୁ ହେବ। ଭଲପାଇବା ନଥିଲେ ସର୍ତ୍ତ ଆସେ। ମୁଁ ଆଉ ଗୋଟେ କଥାରେ ବି ବିଶ୍ବାସ କରେ ଯେ ମଣିଷ ପରିସ୍ଥିତିରେ ପଡ଼ିଲେ ଓ ପ୍ରେମରେ ପଡ଼ିଲେ ନିଜକୁ ବଦଳାଇଥାଏ।