ଏକ ପୁଲିସ ପରିବାରର ପୁଅ ସେ। ବାପା, ମାଆ ଓ ଦୁଇ ଭଉଣୀ ପୁଲିସ କର୍ମଚାରୀ। ଚାରି ବର୍ଷ ପାଇଁ ସେ ନିଜେ ମଧ୍ୟ ପୁଲିସ କନେଷ୍ଟବଳ ଥିଲେ। ହେଲେ କଳା ପ୍ରତି ତାଙ୍କର ଆକର୍ଷଣ ତାଙ୍କୁ ଚାକିରି ଛାଡ଼ିବାକୁ ବାଧ୍ୟ କରିଥିଲା। ପ୍ରଥମେ ଧାରାବାହିକ ଓ ସିନେମାରେ ଛୋଟମୋଟ ଚରିତ୍ରରେ ଅଭିନୟ କରିବା ପରେ ଯାତ୍ରାରେ ପାଦ ଦିଅନ୍ତି ସେ। ଜଣେ ଅଚିହ୍ନା କଳାକାରରୁ  ସେ ଏବେ ପାଲଟିଛନ୍ତି ଯାତ୍ରାର ଚିହ୍ନା ‌େଚହେରା ପୀୟୂଷ ତ୍ରିପାଠୀ। ତାଙ୍କ ସହ ଅଳ୍ପ ଆଳାପ।

Advertisment

ବନ୍ଦନା ମିଶ୍ର୍ର

ଆପଣ ପୁଲିସ ପରିବାରର ପୁଅ। ନିଜେ ବି ପୁଲିସ ବିଭାଗରେ ଚାକିରି କରିଥିଲେ। ଏମିତି କ’ଣ ହେଲା ଯେ ଆପଣ ଚାକିରି ଛାଡ଼ି ଅଭିନୟକୁ ଆପଣେଇଲେ?
ଘରେ ସମସ୍ତେ ପୁଲିସ ଥିଲେ ବି କଳା ପ୍ରତି ଥିବା ମୋର ଆକର୍ଷଣ ଓ ଦୁର୍ବଳତା ମୋତେ ଅଭିନୟ ଜଗତକୁ ଟାଣି ଆଣିଲା। ଚାକିରି ମତେ ବାନ୍ଧି ରଖିପାରିଲାନି।

ଯାତ୍ରା କଳାକାରମାନେ  ଅତିରଞ୍ଜିତ ଶୈଳୀରେ ସଂଳାପ ପରିବେଷଣ କରନ୍ତି। ସେଇ ଧାରା ଆଗକୁ ବି ରହିବା ଦରକାର ନା ବଦଳିବା ଉଚିତ ବୋଲି ଭାବନ୍ତି?
ଯାତ୍ରାର ଏକ ଧାରା ଅଛି। ସେ ଧାରା ସବୁବେଳେ ବଜାୟ ରହିବା ଉଚିତ ବୋଲି ମୁଁ ଭାବେ। ଯେଉଁ ଶୈଳୀ କଥା ଆପଣ କହୁଛନ୍ତି ସେ ଶୈଳୀ କିଛି ମାତ୍ରାରେ ବଦଳିଗଲେ ଭଲ ବୋଲି ମୋର ମତ।

ଆପଣ ବିବାହିତ ହୋଇଥିବା ସତ୍ତ୍ବେ ଅନ୍ୟ ମହିଳାଙ୍କ ସହ ଆପଣଙ୍କ ନାମ  ଅତୀତରେ ଯୋଡ଼ି ହୋଇ ବିବାଦ ସୃଷ୍ଟି ହୋଇଛି। ହେଲେ ଆପଣଙ୍କ ପତ୍ନୀ ଆପଣଙ୍କ ହାତ ଛାଡ଼ିନାହାନ୍ତି। ତାହା ଆପଣଙ୍କର କେଉଁ ଭଲ ଗୁଣ ପାଇଁ ନା ପତ୍ନୀଙ୍କ ବଡ଼ପଣ?
ନିଶ୍ଚିତ ଭାବେ ଏହା ମୋ ପତ୍ନୀଙ୍କ ବଡ଼ପଣ। ତା’ଛଡ଼ା ଏହା କେବଳ ଆମ ଉଭୟଙ୍କ ମଧ୍ୟରେ ଥିବା ବିଶ୍ବାସ ଓ ବୁଝାମଣା ହେତୁ ସମ୍ଭବ ହୋଇପାରିଛି।

ଯଦି ଆପଣଙ୍କୁ ଯାତ୍ରା ଶିଳ୍ପ ଅପେକ୍ଷା କମ୍ ପାରିଶ୍ରମିକରେ ସିନେମାରେ ଅଭିନେତା ହେବାର ସୁଯୋଗ ମିଳେ ଆପଣ କରିବେ କି?
ଯାତ୍ରାଠାରୁ କମ୍ ପାରିଶ୍ରମିକ ମିଳିବାଟା ବଡ଼ କଥା ନୁହଁ। ସିନେମାରେ ଭଲ ଚରିତ୍ର ମିଳିବା ଦରକାର। ଭଲ ଚରିତ୍ର ମିଳିଲେ ମୁଁ ନିହାତି କରିବି।

ପରଦାରେ ଆପଣ ଜଣେ ଖତରନାକ୍‌ ଖଳନାୟକ। କିନ୍ତୁ ବାସ୍ତବରେ ଆପଣ ଖୁବ୍ ଭଦ୍ର। ଅଭିନୟର ପ୍ରଭାବ ଆପଣଙ୍କ ସ୍ବଭାବରେ ପ୍ରତିବିମ୍ବିତ ନହେଉ ବୋଲି ଚିନ୍ତା କରି ଆପଣ ସଚେତନ ହୋଇ କଥା ହୁଅନ୍ତି କି?
ନିହାତି। ସଚେତନ ହେବା ଆବଶ୍ୟକ ମଧ୍ୟ। ରାତିରେ ମୁଁ ଖଳନାୟକ ଭୂମିକାରେ ଅଭିନୟ କରୁଛି ବୋଲି ଯେ ଦିନରେ ବି ଖଳନାୟକ ହେବି, ତାହା ନୁହେଁ। କେବଳ ମୁଁ ନୁହେଁ, ସମସ୍ତେ କଥା ହେଲା ବେଳେ ସଚେତନ ହୋଇ କଥା ହେବା ଦରକାର। କାରଣ ଆମେ ଜାଣନ୍ତି ଯେ ମୁହଁରୁ ଥରେ କଥା ବାହାରିଗଲେ ଆଉ ଫେରେଇ ହୋଇ ନଥାଏ।

ଆପଣ ଏକ ସାକ୍ଷାତ୍‌କାରରେ କହିଥିଲେ ଆଜିକାଲି ସମ୍ଭ୍ରାନ୍ତ ଘରର ପିଲା ଯାତ୍ରା କରୁଛନ୍ତି। ସମୟକ୍ରମେ ଯଦି ଆପଣଙ୍କ ଝିଅ ଯାତ୍ରା କଳାକାର ହେବାକୁ ଚାହାନ୍ତି ତେବେ ଅନୁମତି ଦେବେ?
ନିଶ୍ଚିତ ଦେବି। ମୋ ପୁଅ ଏବେ ସପ୍ତମ ଶ୍ରେଣୀରେ ପଢୁଛି। ମୁଁ ତାକୁ ସବୁବେଳେ ଭଲ ପାଠ ପଢ଼ିବାକୁ ଏବଂ ଭଲ ମଣିଷ ହେବାକୁ ପରାମର୍ଶ ଦିଏ। ଆଉ ଏକଥା ବି କହେ, ଭବିଷ୍ୟତରେ ତତେ ଯାତ୍ରା କଳାକାର କରିବାର ଦାୟିତ୍ବ ମୋର। ମୋ ଝିଅ ଏବେ ଛୋଟ ଅଛି। ଭବିଷ୍ୟତରେ ଯଦି କଳା ପ୍ରତି ସେ ଆକୃଷ୍ଟ ହୁଏ; ତେବେ ତାକୁ ଯାତ୍ରା ଅଭିନେତ୍ରୀ କରିବାରେ ମୋର କୌଣସି ଆପତ୍ତି ରହିବ ନାହିଁ।

ଆପଣ ନିଜ ଭୁଲ୍ ସ୍ବୀକାର କରିବାରେ କେବେ ହେଳା କରନ୍ତିନି। ଜୀବନର ଏମିତି ଏକ ଭୁଲ୍ କହନ୍ତୁ ଯାହା ପାଇଁ ସବୁବେଳେ ପଶ୍ଚାତ୍ତାପ କରନ୍ତି?
ପ୍ରେମ।