ଜୀସାର୍ଥକରେ ପ୍ରସାରିତ ହେଉଥିବା ‘ରଜ କୁଇନ୍’ ସୋ’ରେ ନଜର ଆସିବା ପରେ ‘ସୁନାଝିଅ’ ଧାରାବାହିକରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ସେ। ଅଭିନୟର ମୋହରେ ନିଜ ଘର ଯାଜପୁର ଛାଡ଼ି ଭଉଣୀଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି ଅଙ୍କିତା। ‘ସୁନାଝିଅ’ ଜରିଆରେ ଘରେ ଘରେ ପରିଚିତା ଏହି ଅଭିନେତ୍ରୀ ଆଗକୁ ବଡ଼ ପରଦାରେ ନିଜକୁ ଦେଖିବାକୁ ଚାହାନ୍ତି। ଟେଲି ଅଭିନେତ୍ରୀ ଅଙ୍କିତା ମିଶ୍ରଙ୍କ ସହ ଅଳ୍ପ ଆଳାପ।
ବନ୍ଦନା ମିଶ୍ର୍ର
ଅଭିନୟ କରିବା ସହିତ ଆପଣ ଏବେ +୩ ପଢୁଛନ୍ତି। ପଢ଼ିବା ବେଶି କଷ୍ଟଦାୟକ ନା ଅଭିନୟ କରିବା?
ଦୁଇଟାଯାକ କଷ୍ଟ ନୁହେଁ। ଯେହେତୁ ଏକସଙ୍ଗେ ଦୁଇଟା କରିବାକୁ ପଡୁଛି, ତେଣୁ ବେଳେ ବେଳେ କଷ୍ଟଲାଗେ। ଆମକୁ ରାତି ରାତି ସୁଟିଂରେ ରହିବାକୁପଡ଼େ, ପାଠ ପଢ଼ିବାକୁ ସମୟ ମିଳେନି। ହେଲେ ଦୃଢ଼ ଇଚ୍ଛାଶକ୍ତି ରହିଲେ ଜଣେ ସବୁ କରିପାରିବ। ପାଠ ତ ପ୍ରଥମେ ଦରକାର। ଯେତେବେଳେ ଏପଟେ ସୁଟିଂ ଏବଂ ସେପଟେ ପରୀକ୍ଷା ରହିଯାଏ, ସେତେବେଳେ କଷ୍ଟ ପଡ଼ିଯାଏ।
ସୁନାଝିଅ ସିରିୟଲ୍ରେ ଆପଣ ଉଭୟ ମାଆ ଓ ଝିଅର ଚରିତ୍ର ନିଭାଉଛନ୍ତି। କେଉଁ ଚରିତ୍ର ଆପଣଙ୍କୁ ବେଶି ଭଲ ଲାଗୁଛି?
ମୁଁ ଏବେ ଉଭୟ ମାଆ ଓ ଝିଅ ଚରିତ୍ର ନିଭାଉଛି, ତେଣୁ ଟିକେ କଷ୍ଟ ଲାଗୁଛି। ହେଲେ ତାହାକୁ ମୁଁ ଉପଭୋଗ କରୁଛି। କାରଣ ଜଣେ କଳାକାରକୁ ଯେତେ ପ୍ରକାରର ଚରିତ୍ର ମିଳିବ ତା’ର ଅଭିନୟ ଦକ୍ଷତା ସେତେ ଫୁଟି ବାହାରିବ। ଦୁଇଟିଯାକ ଚରିତ୍ର ମୋର ପ୍ରିୟ।
ଯେତେ ପ୍ରକାରର ଫ୍ୟାସନ୍ ସାମଗ୍ରୀ ଅଛି ସେଥିରୁ ଆପଣଙ୍କ ପ୍ରିୟ କେଉଁଟି?
ମୁଁ ବେଶି ଫ୍ୟାସନେବଲ୍ ନୁହେଁ। ହେଲେ କଥାରେ ଅଛି ଯେମିତି ପରିବେଶରେ ରହିବ ନିଜକୁ ସେପରି କରିବାକୁ ହେବ। ମାତ୍ର ମୋର ବ୍ୟକ୍ତିଗତ ପସନ୍ଦ ହେଉଛି ଶାଢ଼ି। ମୋତେ ଶାଢ଼ି ପିନ୍ଧିବାକୁ ବହୁତ ଭଲ ଲାଗେ।
ରାଗିଲେ ନିଜର ଲୋକଙ୍କ ସହ କଳି କରିବାକୁ ଭଲପାଆନ୍ତି ନା ଅଭିମାନ କରି ଚୁପ୍ ରହିବାକୁ?
ସତ କହିବାକୁ ଗଲେ ମୁଁ ଟିକେ କ୍ଷଣକୋପୀ। ବହୁତ ଜଲ୍ଦି ରାଗିଯାଏ। ରାଗିଲେ ମୁଁ ଜମା ବି ଚୁପ୍ ରହିପାରେନି। ସେଇ ୫-୧୦ ମିନିଟ୍ ଭିତରେ ଯାହା ମୋ ପାଟିକୁ ଯାହା ଆସେ ମୁଁ ବକିଯାଏ। ମୁଁ ଯାହା କହେ ତାହା ସାମ୍ନା ଲୋକକୁ ବହୁତ ଖରାପ ଲାଗେ। ମୋର ଏଇ ଗୁଣ ମୁଁ ବଦଳେଇବାକୁ ଚେଷ୍ଟା କରୁଛି।
ଦିନମାନ ଭିତରେ କେଉଁ ସମୟ ସବୁଠାରୁ ବେଶି ପ୍ରିୟ ଓ କାହିଁକି?
ଯେଉଁ ସମୟରେ ସୁଟିଂ ଥାଏ ମୋତେ ସେହି ସମୟ ଭଲଲାଗେ। ମୁଁ ଯେବେ ରୁମ୍ରେ ଥାଏ ବହୁତ ବୋର୍ ଲାଗେ। ପ୍ରଥମେ ଲାଗୁଥିଲା ମୁଁ ଘର ଛାଡ଼ି ବାହାରେ ରହୁଛି ତ ଘରଲୋକଙ୍କ କଥା ବହୁତ ମନେପଡ଼ିବ, ମୁଁ ରହିପାରିବିନି। କିନ୍ତୁ ମୋତେ ଏବେ ଲାଗୁଛି ଏଠି ମୋର ଆଉ ଏକ ଘର ହୋଇଯାଇଛି। ସେଟ୍ରେ ଥିବା ବେଳେ ମୋ ସମୟ କିପରି କଟିଯାଏ ମୁଁ ଜାଣିପାରେନି।
ଆପଣଙ୍କ ଡ୍ରିମ୍ବୟ କେମିତି ହୋଇଥିବା ଦରକାର?
ଏ ବିଷୟରେ ଏଯାଏ ଭାବିନାହିଁ। କାରଣ ମୋତେ କ୍ୟାରିୟର୍ରେ ଆହୁରି ଆଗକୁ ବଢ଼ିବାର ଅଛି। ଯେବେ ବି ମୁଁ ଡ୍ରିମ୍ବୟ ଖୋଜିବି ତ ଭଲ ମଣିଷଟିଏ ଖୋଜିବି। ଟଙ୍କା ମୋ ପାଇଁ ଆଦୌ ଗୁରୁତ୍ବପୂର୍ଣ୍ଣ ନୁହେଁ। ଭଲ ହୃଦୟର ମଣିଷଟିଏ ମୋର ଦରକାର।
ଲମ୍ବା କେଶ ଭଲ ଲାଗେ ନା ଛୋଟ?
ଲମ୍ବା କେଶ ଭଲ ଲାଗେ। ମୋର ସାଧାସିଧା ଓଡ଼ିଆ ଝିଅମାନେ ବହୁତ ପସନ୍ଦ। ମୁଁ ନିଜକୁ ବି ସେପରି ହିଁ ରଖେ। ସାଲ୍ୱାର୍ ପିନ୍ଧା, ଲମ୍ବାକେଶବାଲା ଝିଅ ମୋତେ ଭଲଲାଗନ୍ତି।