ପ୍ରଥମେ ରଣଧୀର କପୁର ତାଙ୍କୁ ‘ସେକ୍ସି’ ବୋଲି ସମ୍ବୋଧନ କରିଥିଲେ। ପରେ ଅମିତାଭ ବଚ୍ଚନ ତାଙ୍କୁ ‘ସେକ୍ସି’ ନାଁ ଧରି ଡାକିଲେ। ଆଉ ଏବେ ସଲମାନ୍ ଖାନ୍ ତାଙ୍କୁ ‘ସେକ୍ସି ସାର୍’ ବୋଲି ଡାକୁଛନ୍ତି। ବର୍ଷୀୟାନ ଅଭିନେତା ଶରତ ସକ୍ସେନାଙ୍କ ଏହା ହେଉଛି ଅକୁହା କଥା। ଶରତ କହନ୍ତି, ପ୍ରଥମେ ତାଙ୍କର ରଣଧୀର କପୁରଙ୍କ ସହ ଭେଟ ହେଇଥିଲା। ପରେ ରିଷି କପୁର ଓ ଅମିତାଭ ବଚ୍ଚନଙ୍କ ସହିତ। ତାଙ୍କୁ ଦେଖୁଦେଖୁ ରଣଧୀର କହିଥିଲେ, ‘ୟୁ ଆର୍ ସେକ୍ସି’। ଏହାପରେ ଅମିତାଭ ନିୟମିତ ତାଙ୍କୁ ‘ସେକ୍ସି’ ନାଁ ଧରି ଡାକିଲେ। ତାଙ୍କଠାରୁ ବୟସରେ ଯଥେଷ୍ଟ ସାନ ହେଲେ ବି ସଲମାନ୍ ଖାନ୍ ମଧ୍ୟ ସାହସ ଜୁଟେଇ ତାଙ୍କୁ ‘ସେକ୍ସି ସାର୍’ ବୋଲି ସମ୍ବୋଧନ କଲେଣି। ‌ସକ୍ସେନାଙ୍କ କହିବା କଥା, ସମ୍ଭବତଃ ତାଙ୍କ ଟାଇଟଲ୍ ‘ସକ୍ସେନା’ ହେଇଥିବାରୁ ତାଙ୍କୁ ସେମାନେ ‘ସେକ୍ସି’ ବୋଲି ସମ୍ବୋଧନ କରୁଛନ୍ତି।

Advertisment

୧୯୭୮ରେ ମହେଶ ଭଟ୍ଟଙ୍କ ‘ନୟା ଦୌର’ ଚଳଚ୍ଚିତ୍ରରେ ଶରତଙ୍କୁ ସୁଯୋଗ ମିଳିଲା, ଏଥିରେ ରିଷି କପୁର ନାୟକ ଭୂମିକାରେ ଥିଲେ। ଶରତ କହିଛନ୍ତି ସେ ସଲମାନ୍, ଶାହରୁଖ୍ ଓ ଅମିର ଖାନ୍‌ଙ୍କ ପରି ପରିଚିତ ଅଭିନେତାମାନଙ୍କ ସହ କାମ କରିଛନ୍ତି, ସେମାନଙ୍କ ଭିତରେ ଇଗୋ ନାହିଁ, ସେମାନେ ବେଶ୍ ପରିଶ୍ରମୀ ଏବଂ ସମସ୍ତେ ତାଙ୍କୁ ସୁଟିଂ ସେଟ୍‌ରେ ସହଯୋଗ କରିଛନ୍ତି। ଅତୀତରେ ବିନୋଦ ଖାନ୍ନାଙ୍କ ସହ ‌ସକ୍ସେନା ଅଭିନୟ କରିଥିଲେ, ବିନୋଦ ତାଙ୍କୁ ସବୁଠୁ ଅଧିକ ସମ୍ମାନ ଦିଅନ୍ତି। ଶେଷଥର ପାଇଁ ବିନୋଦଙ୍କ ସହ ସେ ‘ଦିୱାନାପନ୍‌’ରେ ଅଭିନୟ କରିଥିଲେ। ସୁଟିଂ ସରିବା ଯାଏ ବିନୋଦ ତାଙ୍କୁ ଭ୍ୟାନ୍ ଉପରେ ବସି ଅପେକ୍ଷା କରିଥିଲେ। ସଂସଦକୁ ଯିବା ପରେ ଏକଦା ବିନୋଦ ତାଙ୍କୁ ଫୋ‌ନ୍ କରି କହିଥିଲେ, ଶରତ ତୁମେ କେବେ ମୋତେ ଫୋନ୍‌ କରୁନାହଁ କାହିଁକି? ଶରତ କହିଥିଲେ, ଆପଣ ଏତେବଡ଼ ତାରକା, ପୁଣି ସାଂସଦ; ମୁଁ ତ ଛୋଟ ମଣିଷଟିଏ ଆପଣଙ୍କୁ ଫୋନ୍ କରିବି କେମିତି? ବିନୋଦ କହିଥିଲେ, ଆରେ ନା ୟାର୍, ଏମିତି କଥା ଜମାରୁ କୁହନି। ଏମିତି କେତେ ବଡ଼ ଓ ନାମକରା ଲୋକ ବି ଚାଲିଗଲେଣି। ସେମାନଙ୍କ କଥା ଭାବିଲେ ଦୁଃଖ ଲାଗେ। ମୁଁ ଅବା କେତେ ବଡ଼ ଯେ!

publive-image Twitter

ଶରତ ନିର୍ଦ୍ଦେଶକ ଦୀପକ ବାହରୀଙ୍କ କଥା ମନେ ପକେଇ କହନ୍ତି, ମିଥୁନ ଚକ୍ରବର୍ତ୍ତୀ ଓ ଧର୍ମେନ୍ଦ୍ର ପ୍ରମୁଖଙ୍କୁ ନେଇ ଅନେକ ସିନେମା କରିଥିବା ଦୀପକ ତାଙ୍କୁ ‘ଏଜେଣ୍ଟ ବିନୋଦ (୧୯୭୭)ରେ ସୁଯୋଗ ଦେଇଥିଲେ। ଏହାପରେ ୧୯୭୯ରେ ‘ତରାନା’ ମୁଭିରେ ଶରତଙ୍କୁ ସେ ଖଳନାୟକ ଭୂମିକାରେ ସୁଯୋଗ ଦେଇଥିଲେ। ନିର୍ଦ୍ଦେଶକ ରମେଶ ବେହଲ୍‌ଙ୍କ ବିଷୟରେ ଶରତ କହନ୍ତି, ସେ ଜଣେ ହୃଦୟବାନ ମଣିଷ, ଯେତେବେଳେ ବି ସେ ସିନେମାଟିଏ କରନ୍ତି, ସେଥିରେ ଶରତଙ୍କୁ ସୁଯୋଗ ଦିଅନ୍ତି। ୧୯୮୧ ମସିହାରେ ଯେତେବେଳେ ଜାଣିଲେ ଶରତ ବାହା ହେଉଛନ୍ତି, ରମେଶ ନିଜ କପ୍‌ବୋର୍ଡରୁ ୫ ହଜାର ଟଙ୍କା କାଢ଼ି ଦେଇଥିଲେ, ସେତେବେଳେ ଏତିକି ଟଙ୍କା କିଛି କମ୍‌ ନଥିଲା। ନିର୍ଦ୍ଦେଶକ ରମେଶ ସିପ୍ପିଙ୍କୁ ବି ଶରତ ବହୁତ ପ୍ରଶଂସା କରନ୍ତି।

ପ୍ରାଣଲାଲ୍ ମେହେଟ୍ଟାଙ୍କୁ ସକ୍ସେନା ଜଣେ ପ୍ରତ୍ୟୁତ୍ପନ୍ନମତି ପ୍ରଯୋଜକ ବୋଲି କହିଛନ୍ତି। ଏକଦା ସିନେମାରେ ପ୍ରାଣଲାଲ୍ ଶରତଙ୍କୁ ଚାମଚା ରୋଲ୍ ଅଫର୍ ଦେଲେ। ଶରତ କହିଥିଲେ, ସାର୍ ମୁଁ ଚାମଚା ରୋଲ୍ କରିପାରିବିନି, କେବଳ ଚାମଚା ରଖିଥିବା ସାହେବଙ୍କ ରୋଲ୍ କରିବି। କବୀର ବେଦୀ ବସ୍ ରୋଲ୍ କରିବେ ବୋଲି ସ୍ଥିର ହେଲା। ସେତେବେଳେ ଶରତ କହିଲେ, ମୋତେ ତାଙ୍କରି ଚରିତ୍ରଟି ଦିଅନ୍ତୁ। ସେତେବେଳେ ପ୍ରାଣଲାଲ୍ କହିଥିଲେ, ଫିଲ୍ମ ତିନିଟି ପ୍ୟାକେଜ୍‌କୁ ନେଇ ସେଲ୍ ହୁଏ। ହିରୋ, ହିରୋଇନ୍ ଓ ଭିଲିଆନ୍। ତୁମକୁ ଭିଲିଆନ୍ କଲେ ପ୍ୟାକେଜ୍ ଗଡ଼ବଡ଼ ହେଇଯିବ। ସେଇଦିନ ଶରତ ଶପଥ ନେଇଥିଲେ ଯେ ସେ ମଧ୍ୟ ଗୋଟେ ପ୍ୟାକେଜ୍‌ରେ ଆସିବେ। ୧୯୮୮ରେ ‘ଗୁଲାମ୍‌’ ଫିଲ୍ମରେ ସେ ସାଜିଥିଲେ ମୁଖ୍ୟ ଖଳନାୟକ।