ନିଜ ପାଖରେ ବେଶୀ ଟଙ୍କା ନଥିବା ବେଳେ ‘ମନତ୍‌’ କିଣିଥିଲେ ଗୌରୀ-ଶାହାରୁଖ୍‌: ଜାଣନ୍ତୁ ତାପରେ କେମିତି କଲେ ଘର ଡିଜାଇନ୍‌

ନୂଆଦିଲ୍ଲୀ: ଶାହରୁଖ ଖାନ ସୋମବାର ରାତିରେ ମୁମ୍ବାଇରେ ତାଙ୍କ ପତ୍ନୀ ଗୌରୀ ଖାନଙ୍କ କଫି ଟେବୁଲ ବୁକ୍ ‘ମାଇଁ ଲାଇଫ ଇନ୍ ଡିଜାଇନ୍’ ଲଞ୍ଚ କରିଛନ୍ତି। ଉନ୍ମୋଚନ କାର୍ଯ୍ୟକ୍ରମରେ ଷ୍ଟାର ଦମ୍ପତି ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଥିଲେ। ଏହି କଥାବାର୍ତ୍ତା ସମୟରେ ଗୌରୀ ଖାନଙ୍କ ଡିଜାଇନର ହେବା ଉଦ୍ୟମ ପଛରେ ଥିବା କାହାଣୀକୁ ମଧ୍ୟ ଷ୍ଟାର୍‌ ଦମ୍ପତି ପ୍ରକାଶ କରିଥିଲେ।

ଶାହାରୁଖ୍‌ କହିଛନ୍ତି ଯେ ପ୍ରଥମରୁ ସେମାନଙ୍କ ପାଖରେ ଘର କିଣିବାକୁ ସେତେ ଟଙ୍କା ନଥିଲା। ଘର କିଣି ଦେଇଥିଲେ ସତ ତାହାକୁ ଡିଜାଇନ୍‌ କିପରି କରିବେ ଦ୍ବନ୍ଦ୍ବରେ ଥିଲେ। ଇଣ୍ଟେରିୟର୍‌ ଡିଜାଇନର୍‌ଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେମାନଙ୍କ ଦାବି ଏତେ ଅଧିକ ଥିଲା ‌ଯେ ସେ ମୁତାବକ ଟଙ୍କା ଦେବାକୁ କିଙ୍ଗ୍‌ ଖାନ୍‌ ସମର୍ଥ ନଥି‌ଲେ। ସେହି କାରଣରୁ ନିଜେ ଇଣ୍ଟେରିଅର୍ ଡିଜାଇନ୍ କରିବା ପାଇଁ ତାଙ୍କ ପତ୍ନୀ ଗୌରୀ ନିଷ୍ପତ୍ତି ନେଇଥିଲେ ଓ ନିଜ ଘରକୁ ସେ ନି‌ଜେ ହିଁ ଡିଜାଇନ୍‌ କରିଥିଲେ।

ସେ ଗଣମାଧ୍ୟମକୁ କହିଛନ୍ତି, ‘ଆମ ପାଖରେ ଅଧିକ ଟଙ୍କା ନଥିଲା, ଆମେ କିଛି ଟଙ୍କା ସଂଗ୍ରହ କରିବା ମାତ୍ରେ ଏ ବଙ୍ଗଳା କିଣିଥିଲୁ। ଆମେ କିଣିବାରେ ସଫଳ ହୋଇଥିଲୁ ସତ ମାତ୍ର ଘର ପାଇଁ ଛୋଟ ଛୋଟ ଘରକରଣା ସାମଗ୍ରୀ ଯୋଗାଡ଼ କରିବାକୁ ଆମକୁ ଦୀର୍ଘ ବର୍ଷ ସମୟ ଲାଗି ଯାଇଥିଲା।’

ସେ କହିଛନ୍ତି, ‘ଆମର ବିବାହିତ ଜୀବନର ପ୍ରାୟ ୨୩-୨୪ ବର୍ଷ ଧରି ଆମେ ମୁମ୍ବାଇରେ  ଏତେ ବ୍ୟସ୍ତ ଥିଲୁ ଯେ ଗୌରୀ କେବେ ଅନୁଭବ କରି ନଥିଲେ ଯେ ତାଙ୍କ ପାଖରେ ଏକ ଦକ୍ଷତା ଅଛି, ଯାହାକୁ ସେ ଆଗକୁ ନେବା ଆବଶ୍ୟକ।’

ସମ୍ବନ୍ଧିତ ଖବର