ନୂଆଦିଲ୍ଲୀ: କୌଣସି ଜିନିଷକୁ ଯଦି ପୂରା ମନରୁ ପାଇବାକୁ ଚେଷ୍ଟା କରାଯାଏ, ତେବେ ତାହାକୁ ତୁମ ନିକଟରେ ପହଞ୍ଚାଇବାକୁ ପୂରା ପୃଥିବୀ ଚେଷ୍ଟା କରିଥାଏ। ଶାହାରୁଖ ଖାନଙ୍କ ୨୦୧୭ରେ ଆସିଥିବା ସିନେମା ‘ଓମ ଶାନ୍ତି ଓମ’ର ସଂଳାପ ଖୁବ୍ ଚର୍ଚ୍ଚାରେ ଥିଲା। ଶାହାରୁଖ ଖାନ ଆଜି ୫୭ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନରେ ‘ ଓମ ଶାନ୍ତି ଓମ’ ସିନେମାର ସଂଳାପକୁ ମନେ ପକାଇଛନ୍ତି ଶିଳ୍ପପତି ଅନିଲ ଅଗ୍ରୱାଲ। କାରଣ ସେ ଶାହାରୁଖଙ୍କ ଏହି ସଂଳାପରେ ପ୍ରେରିତ ହୋଇ ଏକ ବଡ଼ ଡିଲ ଫାଇନାଲ କରିଥିଲେ।
ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ସେ ଟୁଇଟର ଭଳି ପ୍ଲାଟଫର୍ମରେ ନିଜର ପ୍ରେରଣାଦାୟକ ପୋଷ୍ଟ ସେୟାର କରିଥାଆନ୍ତି।
ବୁଧବାର ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଜନ୍ମଦିନ ଅବସରରେ ସେ ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ଏଥିରେ ଅନିଲ ଅଗ୍ରୱାଲ ଓ ଶାହାରୁଖ ଖାନ ଏକାଠି ନଜର ଆସୁଛନ୍ତି। ସେ ଫଟୋ କ୍ୟାପସନରେ ଲେଖିଛନ୍ତି, ‘କୌଣସି ଜିନିଷକୁ ଯଦି ପୂରା ମନରୁ ପାଇବାକୁ ଚେଷ୍ଟା କରାଯାଏ, ତେବେ ତାହାକୁ ତୁମ ନିକଟରେ ପହଞ୍ଚାଇବାକୁ ପୃଥିବୀ ଚେଷ୍ଟା କରିଥାଏ। ଯେଉଁଦିନ ମୁଁ ‘ଓମ ଶାନ୍ତି ଓମ’ ସିନେମା ଦେଖିଥିଲି ସେ ଦିନ ମୋର କେୟର୍ନ ଡିଲ୍ ଫାଇନାଲ ହୋଇଥିଲା।’
Agar kisi cheez ko dil se chaho toh puri kainaat usse tumse milane ki koshish mein lag jati hai...My dream of getting the bid for Cairn became a reality after release of Om Shanti Om…& this dialogue by @iamsrk has stuck with me since.
A very happy birthday to our Badshah... pic.twitter.com/A4xKEV1VP6
— Anil Agarwal (@AnilAgarwal_Ved) November 2, 2022
ବ୍ରିଟିଶ କମ୍ପାନି କେୟର୍ନ ଏନର୍ଜିକୁ ଭାରତୀୟ ମାଟିରେ ଏଯାବତ ସବୁଠାରୁ ବଡ଼ ତୈଳକୂପ ଆବିଷ୍କାରର ଶ୍ରେୟ ଯାଇଥାଏ, ଯାହାକି ରାଜସ୍ଥାନରେ ରହିଛି। ଏହି କମ୍ପାନିର ଭାରତୀୟ ୟୁନିଟ, କେୟର୍ନ ଇଣ୍ଡିଆକୁ ଶିଳ୍ପପତି ଅନିଲ ଅଗ୍ରୱାଲଙ୍କ କମ୍ପାନି ବେଦାନ୍ତ ଗ୍ରୁପ କିଣି ନେଇଥିଲା । ସେ ୨୦୧୮ ପର୍ଯ୍ୟନ୍ତ କେୟର୍ନ ଇଣ୍ଡିଆ ଲିମିଟେଡ ନାମରେ ଉକ୍ତ କମ୍ପାନିକୁ ପରିଚାଳନା କରୁଥିଲେ। ଶେଷରେ ସେ ଏହାକୁ ବେଦାନ୍ତ ଲିମିଟେଡରେ ମିଶାଇ ଦେଇଥିଲେ।