ମୁମ୍ବାଇ: ସୁରପ୍‌ଷ୍ଟାର୍‌ ଶାହରୁଖ୍‌ ଖାନ୍‌ ତାଙ୍କର ନମ୍ର ଭାବ ପାଇଁ ବେଶ୍‌ ଜଣାଶୁଣା। ସର୍ବସାଧାରଣରେ ତାଙ୍କ ଉତ୍ତମ ବ୍ୟବହାର ତାଙ୍କୁ ଅଧିକ ଲୋକପ୍ରିୟ କରାଇଥାଏ। ନିକଟରେ ଏକ କାର୍ଯ୍ୟକ୍ରମରେ ଶାହରୁଖ ଖାନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇ‌ସ୍ରୋ)ର ବୈଜ୍ଞାନିକମାନଙ୍କ ସହ ଭେଟ ହୋଇଥି‌ଲେ।

Advertisment

ବୁଧବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ମଞ୍ଚରେ ବୈଜ୍ଞାନିକମାନଙ୍କୁ ସାକ୍ଷାତ୍‌ କରିଥିଲେ। ଏହି ସମୟରେ, ଶାହାରୁଖଙ୍କ ଅଙ୍ଗଭଙ୍ଗୀ କ୍ୟାମେରାରେ କଏଦ ହୋଇଥିଲା। ସେଠାରେ ତାଙ୍କର ଏକ ଆଚରଣ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି।

ଭିଡିଓରେ ଆପଣ ସ୍ପଷ୍ଟ ଦେଖି ପାରୁଥିବେ ‌ଯେ ‘ଚନ୍ଦ୍ରଯାନ’ ମିସନର ପ୍ରୋଜେକ୍ଟ ନିର୍ଦ୍ଦେଶକ ତଥା ଇସ୍ରୋ ବୈଜ୍ଞାନିକ ପଲାନିବେଲ ବୀରମୁଥୁବେଲ୍‌ ମଞ୍ଚରେ ଛିଡ଼ା ହୋଇଥିବା ବେଳେ କିଙ୍ଗ୍‌ଖାନ୍‌ ସେଠାକୁ ଯାଉଛନ୍ତି। ଶାହରୁଖ୍‌ଙ୍କୁ ସ୍ଥାନ ଦେବାକୁ ଯାଇ ବୈଜ୍ଞାନିକ ଜଣକ ସେ ଜାଗା ଛାଡ଼ି ପଛକୁ ପଛକୁ ପଳାଉଛନ୍ତି। ହେଲେ ସେହି ସମୟରେ ବୈଜ୍ଞାନିକଙ୍କ ହାତକୁ ଧରି ସାମ୍ନାକୁ ଟାଣି ଆଣୁଛନ୍ତି ଶାହରୁଖ୍‌। ତାଙ୍କୁ ଧରି ଫଟୋ ପୋଜ୍‌ ଦେଉଛନ୍ତି। ଶାହରୁଖ୍‌ଙ୍କ ଏହି ଗୁଣ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କୁ ବେଶ୍‌ ପସନ୍ଦ ଆସିଛି।

ଲୋକମାନେ ଏହି ଭିଡିଓକୁ ଇଣ୍ଟରନେଟରେ ବହୁତ ସେୟାର କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ଏହା  କୌଣସି ବକ୍ସ ଅଫିସ୍ ରେକର୍ଡ ନୁହେଁ, କିନ୍ତୁ ଏକ ଛୋଟ କାମରୁ ଜଣାପଡ଼ିଯାଉଛି ସେ କ’ଣ ଓ କିଏ’’।

ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘ମନକୁ ଖାଲି ଲୋକେ ତାଙ୍କୁ ‘କିଙ୍ଗ୍‌ଖାନ୍‌’ କୁହନ୍ତି ନାହିଁ।’’