ଶାହରୁଖଙ୍କ ମା’ କହୁଥି‌ଲେ, ସେ ଦେଖିବାକୁ ଦିଲ୍ଲୀପ କୁମାରଙ୍କ ଭଳି

ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଦିଗ୍‌ଗଜ ଅଭିନେତା ଦିଲ୍ଲୀପ କୁମାରଙ୍କ କେତେ ବଡ଼ ପ୍ରଶଂସକ, ତାହା କାହାକୁ ଅଛପା ନାହିଁ। ଅନେକ ସାକ୍ଷାତକାରରେ ଶାହରୁଖ୍‌ ଏହି କଥା କହିଛନ୍ତି। ଦିଲ୍ଲୀପ କୁମାର ତାଙ୍କ ଆ‌ଦର୍ଶ ଓ ତାଙ୍କ ସହ ଶାହରୁଖ୍‌ଙ୍କ ସମ୍ପର୍କ ଚଳଚ୍ଚିତ୍ର ଦୁନିଆରୁ ବହୁ ଊର୍ଧ୍ବରେ ବୋଲି ସେ ବାରମ୍ବାର ସ୍ବୀକାର କରିଛନ୍ତି। ଜାତୀୟ ସିନେ ପତ୍ରିକା ‘ଫିଲ୍ମଫେୟାର’କୁ ଦେଇଥି‌ବା ଏକ ସାକ୍ଷାତକାରରେ ଶାହରୁଖ କହିଛନ୍ତି, ଦିଲ୍ଲୀପ କୁମାରଙ୍କୁ ମୁଁ ପିଲାଟି ଦିନୁ ଜାଣେ। ଦିଲ୍ଲୀରେ ଗୋଟିଏ ସ୍ଥାନରେ ହିଁ ଉଭୟଙ୍କ ଘର। ମୁଁ ଅଧିକାଂଶ ସମୟରେ ବାପାଙ୍କ ସହ ଦିଲ୍ଲୀପ ସାହେବଙ୍କ ଘରକୁ ଯାଏ। ଦିଲ୍ଲୀପ ସାହେବଙ୍କ ପତ୍ନୀ ସାଇରାଜୀ ବୋଧ ହୁଏ ଏହି କଥାକୁ ମନେ ପକାଇ ପାରୁ ନଥିବେ, କିନ୍ତୁ ମୋର ମନେ ଅଛି, ମୋର ଜଣେ ଆଣ୍ଟି ସାଇରାଜୀଙ୍କ ଔଷଧ ଲଣ୍ଡନରୁ ପଠାଉଥିଲେ। ବହୁତ ବର୍ଷ ପରେ ମୁଁ ଯେତେବେଳେ କେତନ ମେହେଟାଙ୍କ ସହ କାମ କରୁଥିଲି, ତାଙ୍କ ଅଫିସ୍‌ରେ ମୁଁ ଦିଲ୍ଲୀପ କୁମାରଙ୍କ ଏକ ଫଟୋ ଦେଖିଥିଲି। ଫଟୋଟି ମତେ ଆଶ୍ଚର୍ଯ୍ୟ କରିଦେଇଥିଲା। ଫ‌ଟୋଟିରେ ଦିଲ୍ଲୀପ ସାହେବ ପୂରାପୂରି ମୋ ଭଳି ହିଁ ଦେଖାଯାଉଥିଲେ କିମ୍ବା ମୁଁ ଏବେ ସମ୍ପୂର୍ଣ୍ଣ ଭାବେ ଦିଲ୍ଲୀପ ସାହେବଙ୍କ ଭଳି ‌ଦେଖାଯାଉଛି। ସେ ଯାହା ବି ହେଉ ଦିଲ୍ଲୀପ ସାହେବଙ୍କ ସହ ମୋର ସମ୍ପର୍କ ଏସବୁରୁ ବହୁ ଊର୍ଧ୍ବରେ ବୋଲି ଶାହରୁଖ୍ କହିଛନ୍ତି। ଶାହରୁଖ୍ କହିଛନ୍ତି, ମୋ ମା’ଙ୍କ ପ୍ରିୟ ଅଭିନେତା ବିଶ୍ବଜିତ ଥିଲେ। କିନ୍ତୁ ଦିଲ୍ଲୀପ କୁମାରଙ୍କୁ ଦେଖିବା ପରେ ସେ ତାଙ୍କୁ ବେଶି ଭଲ ପାଇବାକୁ ଲାଗିଲେ। କାରଣ ମୋ ମା’ଙ୍କର କହିବା କଥା ଥିଲା, ଦିଲ୍ଲୀପ ସାହେବ ମୋ ଭଳି ଦେଖିବାକୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.