ମୁମ୍ବାଇ: ସାଉଦୀ ଆରବରେ ଚଳଚ୍ଚିତ୍ର ‘ଡଂକୀ’ ସୁଟିଙ୍ଗ୍ ଶେଷ କରିବା ପରେ ଅଭିନେତା ଶାହାରୁଖ୍ ଖାନ୍ ମକ୍କାରେ ‘ଉମ୍ରହ୍’ (ମୁସଲ୍ମାନଙ୍କ ଉପାସନା) କରିଛନ୍ତି।
ନଭେମ୍ବର ୩୦ ତାରିଖରେ ଶାହାରୁଖ୍ ସେୟାର୍ କରିଥିବା ଭିଡିଓରେ ଉତ୍ତମ ଆତିଥେୟତା ପାଇଁ ସାଉଦୀ ଆରବ ସଂସ୍କୃତି ମନ୍ତ୍ରଳାୟକୁ କୃତଜ୍ଞତା ଜଣାଇଛନ୍ତି। ଜେଡାରେ ଆୟୋଜନ କରାଯାଉଥିବା ‘ରେଡ୍ ସି ଫିଲ୍ମ ଫେଷ୍ଟିଭାଲ୍’ରେ ଯୋଗ ଦେଉଥିବା କଥା ମଧ୍ୟ ଉକ୍ତ ଭିଡିଓରେ ସେ ସୂଚନା ଦେଇଛନ୍ତି।
ଶାହାରୁଖ୍ ଖାନ୍ ମକ୍କାରେ ଥିବା କଥା ଡିସେମ୍ବର ୨ ତାରିଖରେ ଅନ୍ଲାଇନ୍ରେ ପ୍ରସାରିତ ଫଟୋ ଓ ଭିଡିଓରେ ଦେଖାଯାଉଛି। ଫଟୋରେ ଦେଖାଯାଉଛି ଶାହାରୁଖ୍ ‘ରିଦା’ ଓ ‘ଇଜାର୍’ ପରିଧାନ କରିବା ସହ ମୁହଁରେ ମାସ୍କ୍ ବାନ୍ଧିଛନ୍ତି।
ଉଲ୍ଲେଖଯୋଗ୍ୟ, ସାଉଦୀ ଆରବର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନରେ ରାଜକୁମାର ହିରାନିଙ୍କ ‘ଡଂକୀ’ ସୁଟିଙ୍ଗ୍ ପାଇଁ ଯାଇଛନ୍ତି। ସେ ମକ୍କାରେ ଉମ୍ରହ୍ କରୁଥିବାର ଫଟୋ ସାଉଦୀ ଆରବର ଜଣେ ସାମ୍ବାଦିକ ସାମାଜିକ ଗଣମାଧ୍ୟମରେ ସେୟାର କରି ଲେଖିଛନ୍ତି: ଆଜି ମକ୍କାରେ ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ଉମ୍ରାହ୍ କରିଛନ୍ତି। ଆଲ୍ଲା ସୁଭାନାଉୱାତାଲା ତାଙ୍କର ‘ଉମ୍ରହ୍’ ଗ୍ରହଣ କରନ୍ତୁ।
ସୂଚନାଯୋଗ୍ୟ, ‘ଉମ୍ରହ୍’ ହେଉଛି ସାଉଦୀ ଆରବସ୍ଥିତ ମକ୍କାର ଏକ ତୀର୍ଥଯାତ୍ରା। ସେଠାରେ ‘ଇଦ୍-ଅଲ୍-ଅଦା’ ସମୟରେ ବାର୍ଷିକ ‘ହଜ୍’ ଯାତ୍ରା କରାଯାଏ, କିନ୍ତୁ ବର୍ଷର ଯେକୌଣସି ସମୟରେ ‘ଉମ୍ରହ୍’ କରାଯାଏ।
ଲଣ୍ଡନ୍ରେ ସୁଟିଙ୍ଗ୍ ଶେଷ କରିବା ପରେ ‘ଡଂକୀ’ ସିନେମାର ଅଭିନେତା/ଅଭିନେତ୍ରୀ ଓ ସୁଟିଙ୍ଗ୍ ଦଳ ସାଉଦୀ ଆରବ ଆସିଥିଲେ। ସାଉଦୀ ଆରବର ପ୍ରାକୃତିକ ସୌନ୍ଦର୍ଯ୍ୟର ଭିଡିଓ ସେୟାର୍ କରି ଶାହାରୁଖ୍ ଲେଖିଛନ୍ତି, ସାଉଦୀରେ ‘ଡଂକୀ’ ସୁଟିଙ୍ଗ୍ ଶେଷ କରିବାଠାରୁ ଅଧିକ କିଛି ସନ୍ତୋଷଜନକ କଥା ନାହିଁ।