ଦିବ୍ୟାଙ୍ଗ ଭାଇର ଇଚ୍ଛା ପୂରଣ କରିବା ପାଇଁ ଶାହାରୁଖ୍‌ଙ୍କୁ ଟୁଇଟ୍‌ କରୁଥିଲେ ଯୁବକ, ୧୫୦ଟି ଟୁଇଟ୍‌ ପରେ ନିଜର ପ୍ରତିକ୍ରିୟା ରଖିଲେ ଶାହାରୁଖ୍‌

ମୁମ୍ବାଇ : ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କ ଭାରତରେ ଏବଂ ଭାରତ ବାହାରେ କେତେ ପ୍ରଶଂସକ ଅଛନ୍ତି, ତାହା ସମସ୍ତଙ୍କୁ ଜଣା । ଅନେକ ସମୟରେ ଲୋକେ ତାଙ୍କ ଘର ବାହାରକୁ ଯାଇ ତାଙ୍କୁ ଦେଖା କରିବାକୁ ଚେଷ୍ଟା କରୁଥିବା ବେଳେ ଶାହାରୁଖ୍‌ ମଧ୍ୟ ସମୟ ବାହାର କରି ନିଜ ପ୍ରଶଂସକମାନଙ୍କ ଇଚ୍ଛା ପୂରଣ କରିଥାନ୍ତି । ଏ ମଧ୍ୟରେ ଶାହାରୁଖ୍‌ଙ୍କୁ ଭେଟିବା ପାଇଁ ଜଣେ ଯୁବକ ୧୫୦ଟି ଟୁଇଟ୍‌ କରିଥିବା ଜଣା ପଡ଼ିଛି । ୧୫୦ଦିନ ପର୍ଯ୍ୟନ୍ତ ଟୁଇଟ୍‌ କରିବା ପରେ ଶେଷରେ ଶାହାରୁଖ୍‌ ତାଙ୍କ ଟୁଇଟ୍‌ର ଜବାବ ରଖିଥିବା ଦେଖା ଯାଇଛି ।

ସୂଚନା ମୁତାବକ, ଅମ୍ରିତଙ୍କ ବଡ଼ ଭାଇ ରାଜୁ ଶାହାରୁଖ୍‌ ଖାନ୍‌ଙ୍କ ବଡ଼ ପ୍ରଶଂସକ ହୋଇଥିବା ବେଳେ ଶାହାରୁଖ୍‌ ତାଙ୍କୁ ଆସି ଥରେ ଭେଟନ୍ତୁ ବୋଲି ଭିଡିଓ ଟୁଇଟ୍‌ କରି ଅନୁରୋଧ କରିଛନ୍ତି ଅମ୍ରିତ୍‌ । ଭିଡିଓରେ, ରାଜୁ ଦିବ୍ୟାଙ୍ଗ ହୋଇଥିବାରୁ ଖଟରୁ ଉଠି ପାରୁ ନ ଥିବା ଦେଖା ଯାଇଛି । ଅମ୍ରିତ୍‌ ରାଜୁଙ୍କ ପରିଚୟ ଦେଇ, ସେ ଶାହାରୁଖ୍‌ଙ୍କ କେତେ ବଡ଼ ପ୍ରଶଂସକ ତାହା କହୁଛନ୍ତି । ଏହା ସହ ବଡ଼ ଭାଇର ଇଚ୍ଛା ପୂରଣ କରିବା ପାଇଁ ସେ ୧୫୦ଦିନ ହେଲା ଶାହାରୁଖ୍‌ଙ୍କୁ ଟୁଇଟ୍‌ କରି ଆସୁଥିବା କହିଛନ୍ତି ।

ଭିଡିଓରେ, “ଶାହାରୁଖ୍‌ ଭାଇ ମୁଁ ଆପଣଙ୍କୁ ୧୫୦ଦିନ ହେଲା ଟୁଇଟ୍‌ କରି ଆସୁଛି । ଇଏ ହେଉଛନ୍ତି ମୋର ବଡ଼ ଭାଇ ରାଜୁ । ସେ ଆପଣଙ୍କ ବହୁତ ବଡ଼ ପ୍ରଶଂସକ ଏବଂ ଆପଣଙ୍କୁ ଭେଟିବାକୁ ଚାହୁଁଛି । ଆପଣ ସମୟ ବାହାର କରି ରାଜୁ ନିଶ୍ଚୟ ଦେଖା କରିବାକୁ ଆସିବେ” ବୋଲି କହୁଛନ୍ତି ଅମ୍ରିତ୍‌ ।

ଅମ୍ରିତ୍‌ଙ୍କ ଭିଡିଓ ଆସିବା ପରେ ଶାହାରୁଖ୍‌ ଟୁଇଟ୍‌ରେ ନିଜର ପ୍ରତିକ୍ରିୟା ରଖି, “କ୍ଷମା କରିବେ । ମୁଁ ଆପଣଙ୍କ ଭିଡିଓ ଦେଖି ନଥିଲି । ମମ୍ମି ଜୀଙ୍କୁ ମୋର ପ୍ରଣାମ ଜଣାଇବ । ମୁଁ ଖୁବ୍‌ ଶୀଘ୍ର ରାଜୁଙ୍କ ସହ କଥା ହେବି” ବୋଲି ଲେଖିଛନ୍ତି ଶାହାରୁଖ୍‌ ।

ସମ୍ବନ୍ଧିତ ଖବର