ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନ ଦିଲ୍ଲୀରୁ ମୁମ୍ବାଇ ଆସିବା ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବା ଘଟଣା ସିନେମା ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ସୁନ୍ଦର ଘଟଣା ମଧ୍ୟରୁ ଗୋଟିଏ।
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶାହରୁଖ ଦିନେ ଅଭିନୟ ହେବେ ଏକଥା ସେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ଶାହରୁଖ ସିନେମା ଦୁନିଆକୁ ଆସିବା ସିନେମାକୁ ଭଲ ପାଇବା ପଛରେ ତାଙ୍କ ମା’ଙ୍କ ହାତ ରହିଛି।
ଶାହରୁଖ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଖୋଲାଖୋଲି ଆଲୋଚନା କରି କହିଛନ୍ତି, ‘ସତ କହିବାକୁ ଗଲେ ମୁଁ ସିନେମା କରିବି ବୋଲି କେବେ ଚିନ୍ତା କରି ନଥିଲି। ମୁଁ ସ୍କୁଲରେ ପ୍ରତିଟି ପ୍ରତିଯୋଗିତାରେ ଭାଗ ନେଇଥାଏ। ଏହା ମୋତେ ଖୁବ ଭଲ ଲାଗିଥାଏ। ସେ ସମୟରେ ମୋ ସାଙ୍ଗମାନେ ସିନେମା ଦେଖି ସ୍କୁଲରେ ଆସି ଆଲୋଚନା କରିଥାଆନ୍ତି। କିନ୍ତୁ ମୋତେ ଏସବୁ ପସନ୍ଦ ନଥିଲା। କିନ୍ତୁ ମୋ ମା’ଙ୍କ ସିନେମା ପ୍ରତି ଖୁବ ଦୁର୍ବଳତା ଥିଲା।
ତେଣୁ ମା’ ପ୍ରତିଦିନ ସିନେମା ଦେଖନ୍ତି। ଆମ ଘରେ ଅନେକ ଭିଡିଓ କ୍ୟାସେଟ ରେକର୍ଡର ଥିଲା। ରାତିରେ ମା’ ସିନେମା ଦେଖିବା ସହିତ ମୋତେ ତାଙ୍କ ଗୋଡ଼ ଚିପିବାକୁ କହିଥାଆନ୍ତି। ମୁଁ ମା’ଙ୍କ ଗୋଡ଼ି ଚିପିଲା ବେଳେ ତାଙ୍କ ସହିତ ସିନେମା ଦେଖିଥାଏ।
ମା’ ଥରେ ମୋତେ କହିଥିଲେ ଯଦି ମୁଁ ହିନ୍ଦୀରେ ୧୦ରୁ ୧୦ନମ୍ବର ରଖିଦିଏ ତେବେ ସେ ମୋତେ ସିନେମା ଦେଖିବା ପାଇଁ ଥିଏଟର ନେଇଯିବେ।
ମା’ଙ୍କ କଥା ରଖି ୧୦ନମ୍ବର ରଖିବା ପରେ ଥିଏଟର ଆସିଥିଲି ‘ଜୋସିଲେ’ ସିନେମା ଦେଖିବା ପାଇଁ। ଏହାପରେ ସିନେମା କ’ଣ ଏହାକୁ କରିବା ପାଇଁ କ’ଣ କ’ଣ କରିବାକୁ ପଡ଼େ ସେ ବିଷୟରେ ଜାଣିବା ପାଇଁ ଆଗ୍ରହ ବଢ଼ିଲା। ମା’ଙ୍କ ଦେହାନ୍ତ ହେବାପରେ ଦିଲ୍ଲୀରୁ ମୁମ୍ବାଇ ଆସିଥିଲି। କ’ଣ କରିବି କି କାମ କରିବି ଭାବି ମୁଁ ସିନେମା ନିର୍ଦ୍ଦେଶନା ଦେବା ପାଇଁ କମ୍ୟୁନିକେସନ ଓ ଫିଲ୍ମମେକିଙ୍ଗରେ ମାଷ୍ଟର୍ସ ଡିଗ୍ରି କରିଥିଲି। ଏହାପରେ ସିନେମାରେ ଛୋଟଛୋଟ ଭୂମିକାରେ କାମ କରିବାର ସୁଯୋଗ ମିଳିଲା। ମୁଁ ଭାବିଲି କାମ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବା ପରେ ଦିଲ୍ଲୀ ଫେରି ଯାଇ ସାମ୍ବାଦିକତା କରିବି କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଆଉ ଫେରି ପାରିଲି ନାହିଁ।