ମୁମ୍ବାଇ: ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତୀ’ରୁ ‘ପଦ୍ମାବତ୍’ ହେବା ମଧ୍ୟରେ ଯାହା ସବୁ ଘଟିଯାଇଛି ତାହା ବି ଏକ ଚଳଚ୍ଚିତ୍ର ହେବା ପାଇଁ ଯଥେଷ୍ଟ। ପ୍ରଥମେ ଚଳଚ୍ଚିତ୍ରକୁ ବିରୋଧ, ପରେ ରିଲିଜ୍ ତାରିଖ ଘୁଞ୍ଚିବା, ତାପରେ କୋର୍ଟ ଯିବା ଶେଷରେ ଶଂସୋଧନ ପରେ ପ୍ରେକ୍ଷାଳୟକୁ ଆସିବା ଭିତରେ ହୋଇଥିଲା ଦୁନିଆ ଡ୍ରାମା। ତେବେ, ଦୁନିଆ ଲୋକ ଦୁନିଆ ମତ ରଖିଥିବା ବେଳେ ବଲିଉଡ୍ର ବଡ଼ ବଡ଼ ଷ୍ଟାର୍ମାନେ ଏ ସଂପର୍କରେ କିଛି ମତ ରଖିନଥିଲେ। କର୍ଣ୍ଣି ସେନାର ବିରୋଧକୁ ଏକା ଏକା ସାମ୍ନା କରିଥିଲେ ‘ପଦ୍ମାବତ୍’ର କ୍ରିୟୁ ମେମ୍ବର।
ଏ ସଂପର୍କରେ ସୁପର୍ଷ୍ଟାର୍ ଶାହାରୁଖ୍ ଯାହା ମନ୍ତବ୍ୟ ଦେଇଛନ୍ତି ତାହା ବାସ୍ତବରେ ଚିନ୍ତା କରିବା ପରି ବିଷୟ। ଶାହାରୁଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ସେ ଉତ୍ତର ଦେଇ କହିଛନ୍ତି, ‘ବଲିଉଡ୍ ଇଣ୍ଡଷ୍ଟ୍ରି ନା ଭୟ କରିଥିଲା ନା ଲୁଚିଥିଲା। ଯଦି ବି ଚୁପ୍ ଥିଲା ତାହାର କାରଣ ଭିନ୍ନ। ଆମେ ସେ ବିବାଦରେ ମତ ରଖି ବିରୋଧ କରୁଥିବା ଦଳର ଗୁରୁତ୍ୱ ବଢ଼ାଇବୁ ନାହିଁ ବୋଲି ନିଷ୍ପତ୍ତି ନେଇଥିଲୁ। ଯଦି ବଡ଼ ବଡ଼ ଷ୍ଟାର୍ମାନେ ମତ ରଖିଥାନ୍ତେ ତେବେ ସେମାନଙ୍କର ମୁହଁ ଆହୁରି ବଢ଼ିଥାନ୍ତା, ସେ ଆହୁରି ଦୃଢ଼ ଭାବେ ବିରୋଧ କରିଥାନ୍ତେ।’ ନିଆଁକୁ ପବନ ମିଳିଯାଇଥାନ୍ତା ଓ ସେ ନିଆଁ ଆହୁରି ଜୋର୍ ଜଳିଥାନ୍ତା ବୋଲି କିଙ୍ଗ୍ଖାନ୍ ମତ ରଖିଛନ୍ତି।