ବଲିଉଡ୍‌ର ମେଗାଷ୍ଟାର ଶାହରୁଖ ଖାଁଙ୍କ ଲୋକପ୍ରିୟତା ବାବଦରେ ସମସ୍ତେ ଜାଣନ୍ତି। ତେବେ ଗତ ଶନିବାର ତାଙ୍କ ପ୍ରଶଂସକମାନେ ତାଙ୍କ ବାସଭବନ ‘ମନ୍ନତ’କୁ ଆସି ଏକ ନିଆରା ରେକର୍ଡ ସୃଷ୍ଟି କରିବା ଘଟଣା ଏହି ୫୭ ବର୍ଷୀୟ ତାରକାଙ୍କୁ ବିମୁଗ୍‌ଧ କରିଛି। ଆସନ୍ତା ୧୮ ତାରିଖରେ ଶାହରୁଖଙ୍କ ଅତି ସଫଳ ଫିଲ୍ମ ‘ପଠାନ’ର ଟିଭି ପ୍ରିମିଅର୍‌ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ ଏକ ଅଭିନବ ରେକର୍ଡ ସ୍ଥାପନ କରିବା ଲକ୍ଷ୍ୟରେ ମୁମ୍ବାଇର ବାନ୍ଦ୍ରା ଉପକଣ୍ଠରେ ଥିବା ତାଙ୍କ ବାସଭବନ ବାହାରେ ପ୍ରାୟ ୩୦୦ ଜଣ ଉତ୍ସାହୀ ପ୍ରଶଂସକ ଏକାଠି ହୋଇଥିଲେ। ସେମାନେ ଏକା ସମୟରେ ନିଜର ଦୁଇ ବାହୁକୁ ପ୍ରଶସ୍ତ କରି ଶାହରୁଖଙ୍କ ସୁପରିଚିତ ରୋମାଣ୍ଟିକ୍‌ ମୁଦ୍ରାରେ ଚାହିଁ ରହିଥିଲେ। ତେବେ ଶାହରୁଖଙ୍କର ବାରି ହୋଇପଡୁଥିବା ସେହି ମୁଦ୍ରାକୁ ଏକକାଳୀନ ଏତେ ସଂଖ୍ୟକ ପ୍ରଶଂସକ ନକଲ କରିବା ଏକ ଗିନିଜ ରେକର୍ଡ ସୃଷ୍ଟି କରିଛି।

Advertisment

ଏହି ସମୟରେ ଶାହରୁଖ ମଧ୍ୟ ନିଜ ବାଲକୋନିରେ ଠିଆ ହୋଇ ଅନୁରୂପ ଠାଣିରେ ସେମାନଙ୍କ ସ୍ବାଗତ କରିଥିଲେ ଏବଂ ସେମାନଙ୍କର ଏପରି ନିଆରା ସମର୍ଥନ ପାଇଁ ହୃଦୟରୁ କୃତଜ୍ଞତା ଜଣାଇଥିଲେ। ସୂଚନାଯୋଗ୍ୟ, ଦୀର୍ଘ ଚାରି ବର୍ଷର ବ୍ୟବଧାନ ପରେ ‘ପଠାନ୍‌’ ସିନେମା ମାଧ୍ୟମରେ ବଲିଉଡ୍‌ରେ ପୁଣି ଥରେ ଦେଖା ଦେଇଥିବା ଶାହରୁଖଙ୍କ ଏହି ସିନେମା ସଫଳତାର ଅବିଶ୍ବସନୀୟ ଶୀର୍ଷ ଛୁଇଁପାରିଛି। ବିଶ୍ବ ସ୍ତରରେ ଏହା ୧,୦୬୪ କୋଟି ଟଙ୍କାର ବ୍ୟବସାୟ କରି ଚଳିତ ବର୍ଷର ସବୁଠୁ ସଫଳ ହିନ୍ଦୀ ଫିଲ୍ମର ମାନ୍ୟତା ହାସଲ କରିଛି। ତେବେ ‘ମନ୍ନତ’ ଆଗରେ ସମର୍ଥକମାନଙ୍କ ଏହି ବିରଳ ସମାବେଶ କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ବରେ ଶାହାରୁଖଙ୍କ ଅପାର ଲୋକପ୍ରିୟତାର ପ୍ରମାଣ ଭାବେ ପରିଗଣିତ ହେଉଛି।