ଶାହରୁଖ ସିଦ୍ଧାର୍ଥଙ୍କୁ କହିଥିଲେ ‘ଭଦ୍ରଲୋକ’

ବଲିଉଡ୍‌ର ସୁପର୍‌ହିରୋ କୁହାଯାଉଥିବା ଶାହରୁଖ ଖାନ୍ ଦିନେ ଟେଲିଭିଜନ୍‌ର ପପୁଲାର୍ ସୋ’ ‘ଝଲକ୍ ଦିଖ୍ ଲା ଜା’ରେ ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ‘ଭଦ୍ରଲୋକ’ କହି ସମ୍ବୋଧିତ କରିଥିଲେ। ସେତେବେଳକୁ ଏହି ସୋ’ରେ ଶାହରୁଖଙ୍କ ଝିଅ ସାନା ସଇଦଙ୍କ ସହ ପ୍ରତିଯୋଗୀ ସିଦ୍ଧାର୍ଥ ଡ୍ୟାନ୍ସ କରିସାରିଥିଲେ। ଚଳଚ୍ଚିତ୍ର ‘କୁଚ୍ଛ କୁଚ୍ଛ ହୋତା ହୈ’ରେ ଶାହରୁଖ ଓ କାଜଲ ଯେଉଁ ରୋମାଣ୍ଟିକ୍ ଗୀତରେ ଡ୍ୟାନ୍ସ କରିଥିଲେ, ସେଇ ଗୀତରେ ନାଚିଥିଲେ ସିଦ୍ଧାର୍ଥ ଓ ସାନା। ୨୦୧୩ରେ ଶାହରୁଖ ‘ଝଲକ୍ ଦିଖ୍ ଲା ଜା’ ସୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ। ସିଦ୍ଧାର୍ଥ-ସାନାଙ୍କ ଡ୍ୟାନ୍ସ ଦେଖି ଶାହରୁଖ ଅତିଥି ଆସନରୁ ମଞ୍ଚ ଉପରକୁ ଉଠି ଆସିଥିଲେ ଏବଂ କହୁ କହୁ ସିଦ୍ଧାର୍ଥଙ୍କୁ ସେ କହି ଦେଇଥିଲେ, ‘ସିଦ୍ଧାର୍ଥ ତୁମ୍ ସରିଫ୍ ହୋ, ମୈନେ ନୋଟ୍ କରଲିୟା ହୈ. ତୁମ୍‌ନେ ଜାଦା ମେରେ ସାମ୍‌ନେ ତୋ ବଦ୍‌ତମିଜୀ ନହିଁ କୀ’।

‘ଝଲକ୍ ଦିଖ୍ ଲା ଜା’ର ପ୍ରତିଯୋଗୀ ସିଦ୍ଧାର୍ଥ ମଧ୍ୟ ‘ବିଗ୍ ବିସ୍’ ସିଜିନ୍-୧୩, ଫିୟର୍ ଫ୍ୟାକ୍ଟର୍, ଖତ୍ରୋଁ କେ ଖିଲାଡି ଭଳି ପପୁଲାର୍ ଟେଲି ରିୟଲିଟି ସୋ’ରେ ଅଂଶଗ୍ରହଣ କରି ନିପୁଣ ନୃତ୍ୟ ଓ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଟେଲି ଦର୍ଶକଙ୍କ ନିକଟରେ ସିଦ୍ଧାର୍ଥ ପ୍ରଥମେ ମେଗା ଧାରାବାହିକ ‘ବାଳିକାବଧୂ’ ମାଧ୍ୟମରେ ପରିଚିତ ହେଇଥିଲେ। ଛୋଟ ପରଦାରୁ ସେ ମଧ୍ୟ ଧୀରେଧୀରେ ବଡ଼ ପରଦାକୁ ପାଦ ବଢ଼େଇଥିଲେ। କରନ୍ ଜୋହରଙ୍କ ‘ହମ୍ପଟି ଶର୍ମା କୀ ଦୁଲହନିଆଁ’ରେ ମଧ୍ୟ ତାଙ୍କ ଅଭିନୟ ଦର୍ଶକଙ୍କୁ ବହୁ ଭାବରେ ପ୍ରଭାବିତ କରିଥିଲା। ଗତ ଗୁରୁବାର ଦିନ ସିଦ୍ଧାର୍ଥ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଆଜି ସିଦ୍ଧାର୍ଥ ତାଙ୍କ ସହକଳାକାର, ଦର୍ଶକ, ପରିବାରବର୍ଗ ଏପରିକି ପ୍ରେମିକା ଶେହନାଜ ଗିଲଙ୍କ ଗହଣରେ ନାହାନ୍ତି। ମାତ୍ର ବିବିଧବର୍ଣ୍ଣ କଳାକାର ସିଦ୍ଧାର୍ଥଙ୍କୁ ଅନେକ ଝୁରିହେବେ, ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର