ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବ୍ଲଡି ଡାଡି’ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟ୍ରେଲର ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ସୃଷ୍ଟି କରିଛି। ଟ୍ରେଲରରେ ଦମଦାର ଆକ୍ସନ୍ କରୁଥିବାର ନଜର ଆସିଛନ୍ତି ଶାହିଦ କପୁର। ଶାହିଦ କପୁର ଏହି ଫିଲ୍ମ ପାଇଁ ୪୦କୋଟିରୁ ଅଧିକ ଟଙ୍କା ନେଇଥିବା ଜଣାଯାଇଛି। ବର୍ତ୍ତମାନ ଏକ ସାକ୍ଷାତକାରରେ ଅଭିନେତା ଦାବି କରିଛନ୍ତି ଯେ ସେ ଟଙ୍କା ପାଇଁ କୌଣସି ଫିଲ୍ମରେ କାମ କରିନାହାଁନ୍ତି।
ଶାହିଦ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତକାର ଦେଇଥିବା ବେଳେ ଅଭିନେତାଙ୍କୁ ୪୦କୋଟି ପାରିଶ୍ରମିକ ନେବା ବିଷୟରେ ପ୍ରଶ୍ନ କରାଯାଇଥିଲା। ଶାହିଦ ହସି ହସି କହିଥିଲେ ଯେ ଥଟ୍ଟାରେ କହିଥିବା କଥା ବର୍ତ୍ତମାନ ଗଣମାଧ୍ୟମର ହେଡଲାଇନ ପାଲଟିଛି। କେହି ଜଣେ ଚିନ୍ତା ନକରି ଥଟ୍ଟା କରି ମୁଁ ୪୦କୋଟି ନେଇଥିବା କହିଥିଲେ ଏବଂ ସମସ୍ତେ ଏହାକୁ ବିଶ୍ବାସ କରିନେଇଛନ୍ତି। ଏଭଳି ଖବର ପରେ, କେହି ମୋତେ ଆଗକୁ କାମ ଦେବେ ନାହିଁ।
ସେ ଆହୁରି କହିଥିଲେ, ସମସ୍ତେ ଧନୀ ହେବାକୁ ଚାହାଁନ୍ତି କିନ୍ତୁ ଏହା ପ୍ରକୃତରେ କଷ୍ଟକର। ମୁଁ ଟଙ୍କା ପାଇଁ ଅଭିନୟ କରିବାକୁ ସମର୍ଥ ହେବି ନାହିଁ, ବୋଧହୁଏ ଟଙ୍କା ପାଇଁ ମୁଁ ଅନ୍ୟ କିଛି କରିପାରେ। ମୁଁ ଅଭିନୟ ପାଇଁ ବହୁତ ଆଗ୍ରହୀ। ଅଭିନୟ କରିବା ମୋ ପାଇଁ ନିଶା ଭଳି। ଏପର୍ଯ୍ୟନ୍ତ ଟଙ୍କା ପାଇଁ ଫିଲ୍ମ କରିନାହିଁ। ମୋର ଅଭିନୟ କରିବାର ଇଚ୍ଛା ଥିବାରୁ ମୁଁ ଏହା କରିଆସିଛି। କେବଳ ଟଙ୍କା ପାଇଁ ଫିଲ୍ମ କରିବା ମୋର ଅଭିନୟ କୌଶଳ ପ୍ରତି ବେଇମାନି ହେବ। ମୁଁ ବେଇମାନ ହୋଇପାରିବି ନାହିଁ।