କରୋନା ପାଇଁ ଦୀର୍ଘ ୫ମାସ ଧରି ସିନେମା ହଲ୍ ବନ୍ଦ ରହିବା ପରେ ଏବେ ବଡ଼ବଡ଼ ବଲିଉଡ୍ ତାରକା ଡିଜିଟାଲ୍ ପ୍ଲାଟଫର୍ମମୁହାଁ ହେଲେଣି। ଏବେ ସେହି ତାଲିକାରେ ଅଭିନେତା ସାହିଦ କପୁର ସାମିଲ ହେବାକୁ ଯାଉଛନ୍ତି। ‘ନେଟ୍ଫ୍ଲିକ୍ସ’ରେ ମୁକ୍ତିଲାଭ ହେବାକୁ ଥିବା ଏକ ଆକ୍ସନ୍ ଥ୍ରିଲର ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ତେବେ ଚଳଚ୍ଚିତ୍ରର ଟାଇଟଲ କ’ଣ ରହିବ, ତାହା ଏଯାଏ ଜଣାପଡ଼ି ନଥିବା ବେଳେ ‘ଅପରେସନ୍ କାକଟସ୍’ ଉପରେ ଏହାର କାହାଣୀ ଆଧାରିତ ହେବ। ସାହିଦ୍ ସେଥିରେ ବ୍ରିଗେଡିୟର ଫାରୁକ୍ ବୁଲସାରାଙ୍କ ଚରିତ୍ରରେ ନଜର ଆସିବେ। ଆଦିତ୍ୟ ନିମ୍ବାଲକର ଏହାର ନିର୍ଦ୍ଦେଶନା ଦେବେ। ଅମର ଭୁଟାଲା ପ୍ରଯୋଜନା ଦାୟିତ୍ୱରେ ରହିବେ। ସାହିଦ୍ଙ୍କ ଚଳଚ୍ଚିତ୍ର ‘ଜର୍ସି’ର ସୁଟିଂ ସରିବା ପରେ ଆସନ୍ତା ବର୍ଷ ଏହାର ସୁଟିଂ ଆରମ୍ଭ ହୋଇପାରେ। ପ୍ରକାଶଯୋଗ୍ୟ, ୧୯୮୮ ମସିହାରେ ମାଳଦ୍ୱୀପ ରାଷ୍ଟ୍ରପତି ମୌମୁନ୍ ଅବଦୁଲ ଗୟୁମ୍ଙ୍କୁ ଗାଦିଚ୍ୟୁତ କରିବା ଲାଗି ଶ୍ରୀଲଙ୍କାର ଏକ ଉଗ୍ରବାଦୀ ସଂଗଠନ ପିପୁଲ୍ସ ଲିବରେସନ୍ ଅର୍ଗାନାଇଜେସନ୍ ଅଫ୍ ତାମିଲ୍ ଏଲାମ୍ (ପିଏଲ୍ଓଟିଇ) ଷଡ଼ଯନ୍ତ୍ର କରିଥିଲା। ବିପକ୍ଷବାଦୀ ନେତା ଅବଦୁଲ୍ଲା ଲୁତୁଫିଙ୍କ ନେତୃତ୍ବରେ କିଛି ଅପରାଧୀ ରାତାରାତି ମାଳଦୀପର ଗାଦି ହାତେଇବା ପାଇଁ ଗୟୁମ୍ଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ତେବେ ସେମାନଙ୍କ ଏହି ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରି ଦେଇଥିଲା। ଏହି ଅପରେସନ୍କୁ ‘ଅପରେସନ୍ କାକଟସ୍’ ନାମରେ ନାମିତ କରାଯାଇଥିଲା।