ମୁମ୍ବାଇ: ଆଜି ୫୭ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ ଅଭିନେତା ଶାହରୁଖ ଖାନ। ଗତ ତିନି ଦଶନ୍ଧି ଧରି ବଲିଉଡରେ କାର୍ଯ୍ୟ କରି ଆସୁଥିବା କିଙ୍ଗ୍ ଖାନ୍ଙ୍କୁ ଗତକାଲି ବିଳମ୍ବିତ ରାତିରୁ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନ ମନ୍ନତ ବାହାରେ ପ୍ରଶଂସକମାନେ ଏକାଠି ହୋଇ ତାଙ୍କ ଜନ୍ମଦିନକୁ ଅଧିକ ସ୍ୱତନ୍ତ୍ର କରିଥିଲେ। ସେମାନଙ୍କ ସହ ସେଲ୍ଫି ଉଠାଇ ଶାହରୁଖ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା ଶାହରୁଖ ଖାନଙ୍କ ‘କାଲ୍ ହୋ ନା ହୋ’ର ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କଠାରୁ ଆରମ୍ଭ କରି ‘ଦିଲ୍ ତୋ ପାଗଲ ହୈ’ର ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ପର୍ଯ୍ୟନ୍ତ ଶୁଭେଚ୍ଛା ଜଣାଇଛନ୍ତି। ‘କୁଛ୍ କୁଛ୍ ହୋତା ହୈ’ର ଅଭିନେତ୍ରୀ କାଜୋଲଙ୍କ ସହ ବଲିଉଡ୍ର ଅନ୍ୟ ଅଭିନେତା, ଅଭିନେତ୍ରୀ ତାଙ୍କୁ ଟ୍ବିଟ୍ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।
ଶାହରୁଖ ଖାନଙ୍କ ସହ ‘କାଲ୍ ହୋ ନା ହୋ’, ‘କଭି ଅଲ୍ବିଦା ନା କେହେନା’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରୀତି ଜିଣ୍ଟା ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଇନଷ୍ଟାଗ୍ରାମରେ ଦୁଇ ତାରକାଙ୍କର ଅନେକ ଚିତ୍ର ପ୍ରଦର୍ଶିତ ହୋଇଛି। ସେ ଏହାର କ୍ୟାପସନରେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ମୋର ପ୍ରିୟ ଶାହରୁଖ ଖାନ। ସର୍ବଦା ମୋ ସହ ଥିବାରୁ ଏବଂ ମୋ ଜୀବନ ଓ କ୍ୟାରିୟରର ପ୍ରତ୍ୟେକ ପର୍ଯ୍ୟାୟରେ ମୋତେ ପ୍ରେରଣା ଦେଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି। ମୁଁ ତୁମକୁ ଭଲ ପାଏ (ଆଇ ଲଭ୍ ୟୁ)। ବର୍ତ୍ତମାନ ପାଇଁ ଏତିକି.... ଅବଶିଷ୍ଟ ଦେଖାହେଲେ କହିବି। ହୃଦୟର ଇମୋଜି ସହ ପ୍ରୀତି ତାଙ୍କ ଶୁଭେଚ୍ଛା ବାର୍ତ୍ତା ଶେଷ କରିଛନ୍ତି।