ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାସ୍ଥିତ ଶାହରୁଖ ଖାନ୍ଙ୍କ ବଙ୍ଗଳା ମନ୍ନତରେ ଗତ ସପ୍ତାହରେ ଦୁଇଜଣ ବ୍ୟକ୍ତି ବେଆଇନ ଭାବେ ପ୍ରବେଶ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହାପରେ ଶାହରୁଖଙ୍କ ଉଭୟ ଫ୍ୟାନକୁ ମୁମ୍ବାଇର ବାନ୍ଦ୍ରା ପୁଲିସ ଗିରଫ କରି ନେଇଥିଲା।
ସୂଚନାଯୋଗ୍ୟ, ଏହି ଦୁଇଜଣ ବ୍ୟକ୍ତି ଶାହାରୁଖ ଖାନଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ବଙ୍ଗଳାକୁ ଲୁଚିଲୁଚି ପ୍ରବେଶ କରିଥିଲେ। ଏହାପରେ ଦୁଇଜଣ ଶାହାରୁଖଙ୍କ ମେକ୍ଅପ୍ ରୁମରେ ପ୍ରାୟ ୮ଘଣ୍ଟା ଧରି ଲୁଚି ତାଙ୍କୁ ଅପେକ୍ଷା କରି ରହିଥିଲେ।
ଶାହରୁଖଙ୍କ ମନ୍ନତ ବଙ୍ଗଳାର ମ୍ୟାନେଜର କୋଲିନ ଡିସୁଜା ଏ ନେଇ ପୁଲିସକୁ ସୂଚନା ଦେଇ କହିଥିଲେ, ବଙ୍ଗଳାରେ କାମକରୁଥିବା ସିକ୍ୟୁରିଟି ଗାର୍ଡ ଫେବୃୟାରି ୨ ତାରିଖ ପୂର୍ବାହ୍ନ ୧୧ଟାରେ ତାଙ୍କୁ ଫୋନକରି କହିଥିଲେ ଯେ, ଦୁଇଜଣ ଲୋକ ବଙ୍ଗଳା ଭିତରକୁ ପ୍ରବେଶ କରିଛନ୍ତି। ଏହି ଦୁଇଜଣ ଅଭିଯୁକ୍ତ ଶାହରୁଖଙ୍କ ବଙ୍ଗଳାର ତୃତୀୟ ମହଲାରେ ଥିବା ମେକ୍ଅପ୍ ରୁମରେ ପହଞ୍ଚି ଯାଇଥିଲେ। ସେଠାରେ ପହଞ୍ଚି ଦୁହେଁ, ପ୍ରାୟଭୋର ୩ଟାରୁ ସକାଳ ୧୦.୩୦ ପର୍ଯ୍ୟନ୍ତ ଶାହରୁଖଙ୍କୁ ଅପେକ୍ଷା କରିଥିଲେ।
ଯେତେବେଳେ କାମ କରୁଥିବା ସତୀଶ ସଫା କରିବା ପାଇଁ ସେଠାରେ ପହଞ୍ଚିଥିଲେ, ସେ ଦୁଇଜଣ ବ୍ୟକ୍ତିଙ୍କୁ ସେଠାରେ ଲୁଚିଥିବା ଦେଖିବାକୁ ପାଇଥିଲେ। ଏହା ପରେ ସତୀଶ ଦୁହିଁଙ୍କୁ ସେଠାରୁ ବାହାରକୁ ଆଣିଥିଲେ। ଏନେଇ ସୂଚନା ଦେବା ପରେ ସିକ୍ୟୁରିଟି ଗାର୍ଡ ଆସି ଉଭୟଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।
ଧରାପଡ଼ିବା ପରେ ଦୁଇଜଣ ବ୍ୟକ୍ତି କହିଥିଲେ, ‘ଆମେ ଦୁହେଁ ଶାହାରୁଖଙ୍କ ବହୁତ ବଡ଼ ପ୍ରଶଂସକ। ଏପରି କାମ କରିବା ଏକ ଚ୍ୟାଲେଞ୍ଜ ଥିଲା। କାରଣ ଜଣାଥିଲା କି ଧରାପଡ଼ିଲେ ପୁଲିସ ଷ୍ଟେସନ ଯିବା ସୁନିଶ୍ଚିତ। କିନ୍ତୁ ଏହା ସତ୍ତ୍ବେ ବି ଶାହରୁଖଙ୍କ ଗୋଟିଏ ଝଲକ ପାଇଁ ଏପରି କରିଥିଲୁ।