ପୂର୍ବ ଫିଲ୍ମ ଫ୍ଲପ ହୋଇଥିବାରୁ ଡରୁଥିଲେ ଶାହରୁଖ, ‘ପଠାନ’ ଫ୍ଲପ ହୋଇଥିଲେ କରିଥାନ୍ତେ ଏହି କାମ

ମୁମ୍ବାଇ: ଜାନୁଆରି ୨୫ରେ ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜର ପରେ ତାହା ପ୍ରମାଣ ହେବାରେ ଲାଗିଛି। ଭାରତରେ ଏହି ଫିଲ୍ମକୁ ଭଲପାଇବା ମିଳୁଥିବା ବେଳେ ବିଶ୍ବ ବକ୍ସ ଅଫିସରେ ୬୦୦କୋଟି ଆୟ କଲାଣି ‘ପଠାନ’।

ଫିଲ୍ମଟି ଭଲ ବ୍ୟବସାୟ କରିବା ପରେ ଏହାର କଳାକାରମାନେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ସମ୍ମିଳନୀରେ ବଲିଉଡର କିଙ୍ଗ ଖାନ୍ କିଛି ଏଭଳି ଖୁଲାସା କରିଥିଲେ, ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବ ଫିଲ୍ମ ଫ୍ଲପ ହୋଇଥିବାରୁ ଶାହରୁଖ ‘ପଠାନ’ ରିଲିଜ୍ ପୂର୍ବରୁ ଡରୁଥିଲେ ବୋଲି କହିଛନ୍ତି। ଏହା ସହ ଫିଲ୍ମ ଫ୍ଲପ ହେଲେ ସେ କ’ଣ କରିବେ ଏହାର ଯୋଜନା ମଧ୍ୟ କରିସାରିଥିଲେ ବୋଲି ଶାହରୁଖ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।

ସେ କହିଥିଲେ ଯେ, ଯେହେତୁ ମୋର ପୂର୍ବ ଫିଲ୍ମ ଫ୍ଲପ ହୋଇଥିଲା, ସେଥିପାଇଁ ‘ପଠାନ’ ଫ୍ଲପ ହୋଇପାରେ ବୋଲି ମୋ ମନରେ ଡର ଥିଲା। ଏଥିପାଇଁ ମୁଁ କିିଛି ବଡ଼ ପଦକ୍ଷେପ ନେବାକୁ ଯୋଜନା କରିଥିଲି। ଲକଡାଉନ ସମୟରେ ମୁଁ ଘରେ ରୋଷେଇ ଶିଖୁଥିଲି। ଫିଲ୍ମ ଫ୍ଲପ ହୋଇଥିଲେ ମୁଁ ଏକ ରେସ୍ତୋରାଁ ଖୋଲି ରୋଷେଇ କରିବି ବୋଲି ଯୋଜନା କରିଥିଲି। ଶାହାରୁଖଙ୍କ ଏହି କଥା ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ହସାଇଥିଲା।

ସମ୍ବନ୍ଧିତ ଖବର