ବେଙ୍ଗାଲୁରୁ: ରବିବାର ରାତିରେ ବେଙ୍ଗାଲୁରୁ ନଗରୀରେ ଆୟୋଜିତ ପାର୍ଟିରେ ଡ୍ରଗ୍ ସେବନ କରିଥିବା ଅଭିଯୋଗରେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୁଲିସ ଅଟକ ରଖିଛି। ଏ ନେଇ ଗଣମାଧ୍ୟମରେ ମତ ରଖିଛନ୍ତି ବାପା ଶକ୍ତି କପୁର୍। ସେ ଇଣ୍ଡିଆ ଟୁଡେକୁ ତାଙ୍କର ବୟାନ ଦେଇ କହିଛନ୍ତି, ‘ମୁଁ ଏହି ଖବର ଇଣ୍ଡିଆ ଟୁଡେରୁ ଜାଣିବାକୁ ପାଇଲି। ମୋର ଏ ସଂକ୍ରାନ୍ତରେ କିଛି ଜ୍ଞାନ ନାହିଁ। ମୁଁ ଏ ବିଷୟରେ କିଛି ବି ଜାଣେନାହିଁ। ମୁଁ ସକାଳ ୯ଟାରେ ଉଠିବା ପରେ ଏହି ଖବର ଦେଖିଲି। ଜାଣିବାକୁ ପାଇଲି ଯେ ମୋ ପୁଅକୁ ପୁଲିସ୍ ଅଟକ ରଖିଛି। ଆମର ପୂରା ପରିବାର ଯୋଗାଯୋଗରେ ରହିବାକୁ ଚେଷ୍ଟା କରୁଛୁ ମାତ୍ର ଯୋଗାଯୋଗ ହୋଇପାରୁନି। କେହି ବି ଫୋନ୍ ଉଠାଇ ନାହାନ୍ତି। ମୁଁ କିଛି ବୁଝିପାରୁନି ଏ ସବୁ କ’ଣ ହେଉଛି।’
ସିନ୍ଧାନ୍ତ ରବିବାର ରାତିରେ ବେଙ୍ଗାଲୁରୁ ନଗରୀରେ ଆୟୋଜିତ ପାର୍ଟିରେ ଡ୍ରଗ୍ ସେବନ କରିଥିବା ସୂଚନା ପାଇବା ପରେ ଡି. ଜେ. ପାର୍ଟି ଆୟୋଜନ କରାଯାଇଥିବା ଏମ୍ଜି ରୋଡ୍ସ୍ଥିତ ପାର୍କ ହୋଟେଲ୍ ପବ୍ରେ ବେଙ୍ଗାଲୁରୁ ପୁଲିସ ଚଢ଼ାଉ କରିଥିଲା। ସେଠାରେ ସମବେତ ୩୫ଜଣ ଅତିଥିଙ୍କ ନମୁନା ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଅର୍ଥାତ୍ ସେମାନେ ଡ୍ରଗ୍ ସେବନ କରିଥିଲେ। ସେମାନଙ୍କ ମଧ୍ୟରୁ ସିଦ୍ଧାନ୍ତ ଅନ୍ୟତମ ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି। ବାକି ୫ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।