ଓଡ଼ିଆ ଶୈଳୀରେ ହିନ୍ଦୀ ସଙ୍ଗୀତ
ଫକୀର ମୋହନ ସେନାପତିଙ୍କ ଉପନ୍ୟାସ ‘ମାମୁ’ ଆଧାରରେ ନିର୍ମିତ ଟେଲିଫିଲ୍ମରେ ଶାନ୍ତନୁ ମହାପାତ୍ର ସଙ୍ଗୀତ ନିର୍ଦେଶନା ଦେଇଥିଲେ। ପରବର୍ତୀ ସମୟରେ ‘ଲଛମା’ ଓ ‘ରେବତୀ’ରେ ବି ସଙ୍ଗୀତ ନିର୍ଦେଶନା ଦେଇଥିଲେ। ପରେ ‘ମାନିନୀ ରାଧିକା’, ଫକୀର ମୋହନଙ୍କ ଉପରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର, ରସ୍କିନ ବଣ୍ଡଙ୍କ କାହାଣୀ ଆଧାରରେ ନିର୍ମିତ ‘ଏକ ଥା ରୁସ୍ତି’, ମଧୁସୂଦନଙ୍କ ବର୍ଣ୍ଣବୋଧକୁ ନେଇ ନୃତ୍ୟନାଟିକା ନିମନ୍ତେ ସଙ୍ଗୀତ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ।
ବନ୍ଧୁକ ସହ ଧରିଥିଲେ ହାରମୋନିୟମ
ଆଇଏସସି ପାସ କଲା ପରେ ଆଇଆଇଟି ଖଡ଼ଗପୁରରେ ପଢ଼ିବାର ସୁଯୋଗ ପାଇଥିଲେ। ସେଠାରୁ ପାସ କଲାପରେ ଭୂତତ୍ୱବିତ୍ ଚାକିରି ପାଇଲେ। ତେବେ ଚାକିରି ଜୀବନ କେବେ ବି ତାଙ୍କ ସଙ୍ଗୀତ ଜୀବନରେ ପ୍ରଭାବ ପକାଇନଥିଲା। ବରଂ ସେ କହିଥିଲେ, ଯଦି ମୁଁ ସେ ଜଙ୍ଗଲ ପାହାଡ଼ ଭିତରେ ଯୌବନ କଟାଇନଥାନ୍ତି ତେବେ ଏପରି ସଙ୍ଗୀତ ସୃଷ୍ଟି କରିପାରିନଥାନ୍ତି। ମୁଁ ସେଇ ସଙ୍ଗୀତକାର; ଯିଏ ବନ୍ଧୁକ ଧରିଛି ଆଉ ହାରମୋନିୟମ ବି ଧରିଛି। ଶ୍ରେଷ୍ଠ ଭୂତତ୍ୱବିତ ଭାବେ ଖ୍ୟାତି ଅର୍ଜନ କରି ପୁରସ୍କୃତ ହୋଇଛନ୍ତି ସ୍ବର୍ଗତ ମହାପାତ୍ର। ପୁଣି ସଂଗୀତରେ ମଧୁର୍ଯ୍ୟ ବୁଣି ଅଜସ୍ର ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି।
ଗୀତରେ ପରସିଥିଲେ ‘କୋଣାର୍କ ଗାଥା’
କଲେଜରେ ପଢ଼ିବା ସମୟରେ ସଲିଲ ଚୌଧୁରୀଙ୍କ ବିଶେଷ ପ୍ରଭାବ ତାଙ୍କ ଭିତରେ ସଂଗୀତରେ କିଛି ସୃଷ୍ଟି କରିବାର ପ୍ରବଣତା ଜାଗ୍ରତ କରିଥିଲା। ଓଡ଼ିଶା ଫେରି ସେ ଗୁରୁକୃଷ୍ଣ ଗୋସ୍ଵାମୀଙ୍କୁ ଭେଟି ତାଙ୍କ କଳ୍ପନା ବାବଦରେ ଜଣାଇବାରୁ କୋଣାର୍କର କାହାଣୀକୁ ଗୀତରେ ଭେଟି ଦେବାକୁ ପ୍ରସ୍ତୁତି ଆରମ୍ଭ ହେଲା। ଶେଷରେ ଶ୍ରୀ ଗୋସ୍ୱାମୀ କୋଣାର୍କ ଗାଥା ରଚନା କରିବାରୁ ସେ ସେଥିରେ ସଙ୍ଗୀତ ଭରିଲେ। ଗୀତଟି ଥିଲା, ଆଜି ଦରିଆର କୂଳେ...। ‘କୋଣାର୍କ ଗାଥା’ ଥିଲା ପ୍ରଥମ ଓଡ଼ିଆ ଆଧୁନିକ ଗାଥାଗୀତ। ଗୀତଟି ଗାଇଥିଲେ ସ୍ବର୍ଗତ ଅକ୍ଷୟ ମହାନ୍ତି। ଏହା ଏତେ ଲୋକପ୍ରିୟ ହେଲା ଯେ ସୌମେନ୍ଦ୍ର ମିଶ୍ର ତାଙ୍କୁ ଫିଲ୍ମ ‘ସୂର୍ଯ୍ୟମୁଖୀ’ରେ ସଙ୍ଗୀତ କରିବାକୁ ସୁଯୋଗ ଦେଲେ।
ଓଡ଼ିଆ ସଙ୍ଗୀତରେ ଆଣିଲେ ନୂଆ ଧାରା
ସ୍ବର୍ଗତ ମହାପାତ୍ର ଓଡ଼ିଆ ସଙ୍ଗୀତ ଜଗତକୁ ନିଜ ଅନନ୍ୟ ଦାନରେ ଗାରିମାମୟ କରିଯାଇଛନ୍ତି। ଓଡ଼ିଆ ସଙ୍ଗୀତର ଏକ ନୂଆ ଧାରା ସୃଷ୍ଟି କରିଛନ୍ତି। ସେ ପ୍ରଥମ ଆଧୁନିକ ଓଡ଼ିଆ ଗାତାଗୀତ ‘କୋଣାର୍କ ଗାଥା’ର ନିର୍ଦ୍ଦେଶନା ଦେଇଥିଲେ। ଏହାର ଗୀତିକାର ଥିଲେ ଗୁରୁକୃଷ୍ଣ ଗୋସ୍ବାମୀ ଓ ଅକ୍ଷୟ ମହାନ୍ତି କଣ୍ଠଦାନ କରିଥିଲେ। ଏହାପରେ ସେ ସିକନ୍ଦର ଆଲମ୍ ଗାଇଥିବା ‘କାଳିଜାଇ’ ଗାଥାଗୀତର ନିର୍ଦ୍ଦେଶନା ଦେଇଥିଲେ। ଏଥିସହ ଆଧୁନିକ ଓଡ଼ିଆ ଲୋରୀ ଶୋଇପଡ଼ ରେ ଧନ..., ପ୍ରଥମ କବାଲି ଏଇ ରଙ୍ଗ ରହିବ ନାହିଁ..., ପ୍ରଥମ ଭାଙ୍ଗ୍ରା ଟ୍ୟୁନ୍, ପ୍ରଥମ ଫ୍ୟୁଜନ୍ ଓ ପ୍ରଥମ ଜମ୍ପିଂ ନୋଟ୍ ଆଗୋ ଚନ୍ଦ୍ରିକା... ଆଦିର ସଂଯୋଜନା କରି ଓଡ଼ିଆ ସଙ୍ଗୀତ ଜଗତକୁ ପ୍ରାଚୁର୍ଯ୍ୟମୟ କରି ଯାଇଛନ୍ତି।
ସ୍ବର ସାମ୍ରାଜ୍ଞୀଙ୍କୁ ବି ନିର୍ଦ୍ଦେଶନା ଦେଇଥିଲେ
ସର୍ବଦା ସଙ୍ଗୀତ ସାଧନାରେ ଲିପ୍ତ ରହୁଥିଲେ ସ୍ବର୍ଗତ ମହାପାତ୍ର। ଯେତେବେଳେ ସମୟ ପାଉଥିଲେ ନିଜର ହାର୍ମୋନିୟମ୍ ଧରି ସ୍ୱର ସଂଯୋଜନା କରୁଥିଲେ। ସେ ବଲିଉଡ୍ର ମହମ୍ମଦ ରଫିଙ୍କଠାରୁ ଆରମ୍ଭ କରି ଲତା ମଙ୍ଗେସକର, ଉଷା ମଙ୍ଗେସକର, ମାନ୍ନା ଦେ, ସୁରେଶ ୱାଦେକର, ଅନୁରାଧା ପୌଡ଼ୱାଲ, ଉଷା ଉଥ୍ଥପ ଓ କବିତା କ୍ରିଷ୍ଣାମୂର୍ତ୍ତି ଆଦି ବଡ଼ ବଡ଼ କଣ୍ଠଶିଳ୍ପୀଙ୍କୁ ନେଇ ଓଡ଼ିଆ ଗୀତ ନିର୍ଦ୍ଦେଶନା ଦେଇଥିଲେ। ଏଥିସହ ସେତେବେଳେ ଓଡ଼ିଆ ସଙ୍ଗୀତ ଦୁନିଆରେ ପ୍ରଥମ ଥର ପାଇଁ ସେ ମୁମ୍ବାଇ ଷ୍ଟାଇଲ୍ ଅର୍କେଷ୍ଟ୍ରା ମ୍ୟୁଜିକ୍ ଓ କାରୋଲ୍ ସଙ୍ଗୀତକୁ ସଂଯୋଗ କରାଇଥିଲେ। ଶାନ୍ତନୁଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ‘ଅରୁନ୍ଧତୀ’ ଚଳଚ୍ଚିତ୍ରର ମୟୂରୀ ଗୋ... ଓ ତୁମକୁ ପାରୁନି ତ’ ଭୁଲି... ସଙ୍ଗୀତ ମହମ୍ମଦ ରଫି ଗାଇଥିଲେ। ସେହିଭଳି ଅରୁନ୍ଧତୀ ଚଳଚ୍ଚିତ୍ରର ଆଜି ମୁଁ ଶ୍ରାବଣୀ... ସଙ୍ଗୀତ ସହ ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ରର ‘ସେଇ ଚୁନା ଚୁନା ତାରା ଫୁଲେ ଆଜି’... ଲତା ମଙ୍ଗେସକର ଗାଇଥିଲେ। ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ରର ଦୁନିଆରେ ସମୟର ନଇ ବହିଯାଏ... ସଙ୍ଗୀତ କଣ୍ଠଶିଳ୍ପୀ ମାନ୍ନା ଦେ ଗାଇଥିଲେ। ସେହିଭଳି ଅରୁନ୍ଧତୀ ଚଳଚ୍ଚିତ୍ରର ଏଇ ଛୋଟ କଥାଟିଏ... ସଙ୍ଗୀତକୁ ଉଷା ମଙ୍ଗେସକର ଓ ପ୍ରଣବ ପଟ୍ଟନାୟକ ଦ୍ବୈତ ଭାବେ ଗାଇଥିଲେ।
ଅଭୁଲା ଗୀତର ତାଲିକା
ଚୁନା ଚୁନା..(ସୂର୍ଯ୍ୟମୁଖୀ)
ମୟୂରୀ ଗୋ...(ଅରୁନ୍ଧତୀ)
ଯାଆ ଯାଆ ରେ ଭାସି ଯା.. (ଚିଲିକା ତୀରେ)
ମୁଁ ଖୋଜି ବୁଲେ(ଅଗ୍ନି ପରୀକ୍ଷା)
ମୁଁ ତ’ ଥିଲି ଏକୁଟିଆ...(ଡୋରା)
ଆଜି ମୁଁ ଶ୍ରାବଣୀ...(ଅରୁନ୍ଧତୀ)
ଆହେ କଳା ଶ୍ରୀମୁଖ...(ଅଗ୍ନି ପରୀକ୍ଷା)
ତୁନି ତୁନି କଥା ଲାଗେ ଭାରି ମିଠା... (ଝିଅଟି ସୀତା ପରି)
ତୁମକୁ ପାରୁନି ତ’ ଭୁଲି... (ଅରୁନ୍ଧତୀ)
ଦୁନିଆରେ ସମୟର ନଇ ବହି ଯାଏ
(ସୂର୍ଯ୍ୟମୁଖୀ)