ବଲିଉଡ୍ର ପ୍ରଖ୍ୟାତ ଅଭିନେତା ସ୍ୱର୍ଗତ ଶଶି କପୁରଙ୍କ ନାତି ତଥା କୁନାଲ କପୁର-ଶିନା ସିପିଙ୍କ ପୁଅ ଜହାନ କପୁର ପ୍ରଥମ ଥର ପାଇଁ ବଳିଉଡ୍ରେ ପାଦ ଦେଇ ହଂସଲ ମେହେଟାଙ୍କ ‘ଫରାଜ’ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମଟିକୁ ସାଧାରଣରେ ‘କପୁର’ ଡେବ୍ୟୁ ଫିଲ୍ମ ବୋଲି କୁହାଯାଉଥିବାରୁ ସେ ଭୟ କରୁଛନ୍ତି। ଏକ ସାକ୍ଷାତକାରରେ ଜାହାନ କହିଛନ୍ତି, ବିଶେଷ ପୃଷ୍ଠଭୂମିରୁ ଆସିବା ସତ୍ତ୍ବେ ବାସ୍ତବତା ବିଷୟରେ ସଚେତନ ହେବା ଉଚିତ୍। ମୋର ଡେବ୍ୟୁ ଫିଲ୍ମ ପୂର୍ବରୁ ମୋତେ କେହି ମାଗାଜିନ କଭରରେ ମଧ୍ୟ ସ୍ଥାନ ଦେଇ ନାହାଁନ୍ତି। ମୋ ବାପା ଜଣେ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା।
ସେ ଯେତେବେଳେ କାମ ଆରମ୍ଭ କଲେ ସେତେବେଳେ ଆମ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ତେଣୁ ଆମକୁ ପରିଶ୍ରମ କରି ସେହି ପୂର୍ବ ସ୍ଥିତିକୁ ଫେରିବାକୁ ହେବ। ବାପାଙ୍କ କାହାଣୀ ତାଙ୍କ ପିତାଙ୍କଠାରୁ ସ୍ବାଧୀନ ଥିଲା। ମୁଁ ମଧ୍ୟ ଆଶା କରୁଛି ମୁଁ ବି ସ୍ବାଧୀନ ଭାବେ କାମ କରିବି। ଜେଜେବାପା (ଶଶି କପୁର)ଙ୍କ ଜନ୍ମଦିନରେ ଆମ ଘରକୁ ଆସୁଥିବା ଫୁଲତୋଡ଼ାର ସଂଖ୍ୟାରେ ତାଙ୍କ କ୍ୟାରିୟର କେମିତି ଥିଲା ସେ ତାହା କହିପାରିବେ। ସମ୍ମାନ ଓ ଭଲ ପାଇବା ଭିତରେ ଜେଜେ ଖୁସି ରହୁଥିଲେ। ଅାର୍ଥିକ ଅବସ୍ଥା ପ୍ରତି ସେ ଗୁରୁତ୍ବ ଦେଉ ନଥିଲେ। ସବୁଠୁ ବଡ ସୁବିଧା ପରିବାର ନୁହେଁ, ନିଜ ପସନ୍ଦ କରିବାର ସୌଭାଗ୍ୟ। ମୋ ପରିବାର ମୋ ପାଇଁ ଗର୍ବିତ। ତେଣୁ ମୁଁ ଖୁସି।
ବାଂଲାଦେଶର ଢାକାସ୍ଥିତ ହୋଲି ଆର୍ଟିସାନ ବେକେରୀରେ ୨୦୧୬ ଆତଙ୍କବାଦୀ ଆକ୍ରମଣର କାହାଣୀକୁ ନେଇ ‘ଫରାଜ’ ଚଳଚ୍ଚିତ୍ର ନିର୍ମିତ। ଏଥିରେ ଆଦିତ୍ୟ ରାୱଲ ମଧ୍ୟ ଅଭିନୟ କରିଛନ୍ତି। ଲଣ୍ଡନ ଚଳଚ୍ଚିତ୍ର ମହୋତ୍ସବ ୨୦୨୨ରେ ଏହି ଚଳଚ୍ଚିତ୍ରର ବିଶ୍ୱ ପ୍ରିମିୟର୍ ଥିଲା।