ଗାୟିକା ହେବାର ଲକ୍ଷ୍ୟ ନେଇ ଜଲିଉଡ୍କୁ ଆସିଥିଲେ। ହେଲେ ଭାଗ୍ୟ ତାଙ୍କୁ ନାୟିକା ହେବାର ସୁଯୋଗ ଦେଲା ଓ ପ୍ରତିଷ୍ଠିତ ବି କଲା। ଯାତ୍ରା ନାୟିକା ସଂଯୁକ୍ତା ମିଶ୍ର ଆଗରପଡ଼ା କଲେଜରେ ପାଠ ପଢୁଥିବାବେଳେ ଥରେ କଳିଙ୍ଗ ଗଣନାଟ୍ୟର ଏକ ନାଟକ ଦେଖିବାର ସୁଯୋଗ ପାଇଲେ। ଭଲ ଗୀତ ଗାଉଥିବାରୁ ଯାତ୍ରା ଜଗତର ଜଣେ ସଫଳ କଣ୍ଠଶିଳ୍ପୀ ହେବାର ଆଶା ଜାଗିଲା। ଯାତ୍ରା ଦୁନିଆରେ ସେ ପାଦ ଦେଲେ। କିନ୍ତୁ ଘଟଣାଚକ୍ରରେ ସିନେଅଭିନେତା ବିଜୟ ମହାନ୍ତିଙ୍କ ପରାମର୍ଶ କ୍ରମେ ‘କାଇଁଚ’ ନାଟକରେ ଶୀର୍ଷକ ଭୂମିକାରେ ଅବତୀର୍ଣ୍ଣ ହେଲେ।
ତା’ପରେ ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି। ତାଙ୍କ ଅଭିନୟ ଜୀବନରେ ସେ ରାଜଶ୍ରୀ ଓ ଗୌରୀ ଗଣନାଟ୍ୟର ବହୁ ସଫଳ ନାଟକରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ‘ଜହ୍ନିଫୁଲ ଠୋ ଠା’, ‘ଛ ଖଣ୍ଡ କାଠରେ ହେବ ସବାରୀ’, ‘ବୋଉଲୋ ବାରହାତ ଖଣ୍ଡା ବୁଲିବ’, ‘ହଜି ଯାଇଥିଲେ ଖୋଜି ଆଣିବି’,‘ସିନ୍ଦୂର ହଜିଲା ଟିକିଲି ପାଇଁ’, ‘ବାଟବଣା ହେଲା ସବାରୀ’, ‘ଫେରିବ ଫଗୁଣ ଅବିର ନେଇ’, ‘ନାଁ ଫେରିବାଲି ଗାଁ ନଖରା’ ଅନ୍ୟତମ। ଜଣେ ଅଭିନେତ୍ରୀ ଅନେକ ସମୟରେ ମନମୁତାବକ ଚରିତ୍ରଟିଏ ପାଏନା ବୋଲି ଅଭିଯୋଗ କରନ୍ତି ସଂଯୁକ୍ତା। ଏଥିପାଇଁ ନିର୍ଦ୍ଦେଶକ ଓ ନାଟ୍ୟକାରଙ୍କୁ ଦାୟୀ କରନ୍ତି ସେ।
- ନାରାୟଣ କୁମାର ରାଉତରାୟ