ମିହିର ଚାଲିଗଲା ଏଇ ଶିତୁଆ ଜାନୁଆରୀରେ। ହେଲେ, ମତେ ଦେଇଗଲା ତା’ ଅଭିନୟର ଶେଷ ଛିଟା ମୋ ନିର୍ଦ୍ଦେଶିତ ନୂଆ ସିନେମା ’ଅଜାତି’ ରେ। ଯେବେ ଏହିଟି ମୁକ୍ତିଲାଭ କରିବ, ଅସଂଖ୍ୟ ପ୍ରଶଂସକ ଦେଖିବେ ତାର ନୂଆ ଅଭିନୟ। ହେଲେ, ତାକୁ ମନେ ପକାଇଲାବେଳେ ମୋ ମନରେ ଆପେଆପେ ଅନେକ କଥା ଉଙ୍କି ମାରୁଛି।

Advertisment

ଗତ ୨୦୨୧ ମାର୍ଚ୍ଚ ମାସର କଥା। ଅନେକ ବର୍ଷ ପରେ ସିନେମାଟିଏ କରୁଛି, ତେଣୁ ମନ ଖୁବ୍‌ ଅସ୍ଥିର ଥାଏ। ଫୋନ୍‌ କଲଟିଏ ଆସିଲା। ମୋବାଇଲ୍‌ ସ୍କ୍ରିନ୍‌ ଉପରେ ନଜର ପକେଇ ଦେଖିଲି-କଟକରୁ ମିହିର ର କଲ୍‌। ସେପଟରୁ ସିଏ କହୁଥିଲା, ‘ ପ୍ରଣବଭାଇ, ଗତକାଲି ମୁଁ ଏତେ ବ୍ୟସ୍ତ ରହିଲି ଯେ ତୁମ ମିସ୍‌କଲ ଦେଖୁଛି ହେଲେ କଲବ୍ୟାକ କରିପାରିଲି ନାହିଁ। କୁହନ୍ତୁ ଏବେ।’ ମୁଁ କହିଲି , ଅନେକ ବର୍ଷ ପରେ ସିନେମାଟିଏ ପୁଣି କରୁଛି। ତୁମେ ଅଭିନୟ କର ବୋଲି ମୁଁ ରଚନା କରୁଛି। ଭଲ ଚରିତ୍ରଟିଏ। ୧୯୯୮ର ‘ହସ ଲୁହ ଭରା ଦୁନିଆ’ ପରେ ପୁଣି ଆମେ ଦୁହେଁ ସାଙ୍ଗହୋଇ ସିନେମାଟିଏ କରିବା, କ’ଣ କହୁଛ?

ସେପଟରୁ ମିହିର ଉତ୍ତର କଲା, ‘ କ’ଣ ଆଉ କହିବି ପ୍ରଣବଭାଇ। ଏତିକି କହି ମନଟାକୁ ମୋର ଖୁସି କରିଦେଲେ ଆପଣ। କୁହନ୍ତୁ କେବେ କରିବେ?’ ମୁଁ କହିଲି, ଏଇ ମାସ ୧୨ ତାରିଖ, ସମୟ ଦେଇପାରିବ ତ ? ଟିକିଏ ରହିଯାଇ ସେ କହିଲା, ‘ ଯେତେ ଯାହା କାମ ଥାଉନା କାହିଁକି ମୁଁ ଆସିବି। ଆପଣ ନିଶ୍ଚିନ୍ତ ରୁହନ୍ତୁ । ମୋ ବାବଦରେ ଆପଣଙ୍କ ପାଇଁ ମୋ ଡେଟ୍ସ ଓପନ୍‌ ରହିଲା’। ତା ପରେ ମୁଁ ତାର ଚରିତ୍ରକୁ ବୁଝେଇବା ପାଇଁ କହିଲି, ‘ ତା’ହେଲେ କୁହ କେବେ ଯାଇଁ କାହାଣୀ ଏବଂ ତୁମ ଚରିତ୍ରକୁ ବୁଝେଇବି?’ ସେପଟରୁ ତା’ର ସ୍ବଭବ ସୁନ୍ଦର ହସଟିଏ ହସି କହିଲା, ‘ ଭାଇ ଆପଣ ମୋ ପାଖକୁ ଆସିବେ କାହାଣୀ ଶୁଣେଇବାକୁ! ଏମିତି କହି କାହିଁକି କଷ୍ଟ ଦେଉଛନ୍ତି ମତେ? ଏହି ତିରିଶ-ପଇଁତିରିଶ ବର୍ଷ ଭିତରେ କ’ଣ ମୁଁ ଏତେ ପର ହୋଇଗଲି ଆପଣଙ୍କର? ମୋର କାହାଣୀ ବା ଚରିତ୍ର ବାବଦରେ ଶୁଣିବା-ଜାଣିବାର ଆବଶ୍ୟକତା ନାହିଁ। ଆପଣ ଯାହା ମୋ ପାଇଁ ଲେଖିଥି‌ବେ, ନିଶ୍ଚିତ ଭାବେ ଭଲ ‌ଲେଖିଥିବେ। ଏବଂ ଭିଜୁଆଲାଇଜ କରିଥିବେ। ମୁଁ କ’ଣ ଆପଣଙ୍କ ଅପେକ୍ଷା ବେଶୀ ପରଖି କରି ଜାଣିପାରିବ ମୋ ରୋଲ୍‌କୁ!’ ମିହିରର ସେତକ କଥା ଯଥେଷ୍ଟ ଥିଲା ମୋ ଆଖିରୁ ଝରଝର ଲୁହ ବୁହାଇବା ପାଇଁ। କଣ୍ଠ ମୋର ବାଷ୍ପାକୁଳ ହୋଇ ଯାଇଥିଲା। କୌଣସି ମତେ ‘ହଉହେଲା’ କହି କଥାବାର୍ତ୍ତା ଶେଷ କରିଥିଲେ ସେଦିନ।

ତା’ପରେ ଆସିଲା ସିଟିଂର ପ୍ରଥମ ଦିନର କଥା। ସିନେମାଜନିତ ବ୍ୟାପାରରେ ଅନେକ ବର୍ଷ ପରେ ଆମ ଦି’ଜଣଙ୍କ ଏକାଠି ଉପସ୍ଥିତ। ତାକୁ କହିଥିଲି ବାରଙ୍ଗପାଖ ହେଲ୍‌ଥଭିଲେଜରେ ସକାଳସାଢ଼େ ସାତ ବେଳକୁ ପହଞ୍ଚିବାକୁ। ଭାବିଥିଲି ସେ ତ ଷ୍ଟାର ଲୋକ। ତାକୁ ସାଢ଼େସାତ କହିଲେ ସେ ନଅଟା ଦଶଟା ବେଳକୁ ଯାଇ ଆସିବ ନିଶ୍ଚୟ। ତା’ଭିତରେ ମୁଁ ମୋର ସୁଟିଂସ୍ଥଳକୁ ସଜାଡି ନେଇଥିବି ସୁଟିଂ ପାଇଁ। ଲୋକେସନରେ ମୁଁ ପହଞ୍ଚିଲି ଆଠଟା ବେଳକୁ। ସେଠିକାର ମୋର ଚିହ୍ନାଜଣା ବ୍ୟକ୍ତି ଜଣକ କ୍ୟାମ୍ପସରେ ଏପଟସେପଟ ହେଉଥାଆନ୍ତି । ମୋତେ ତେଖି ମୋ ପାଖକୁ ଦୌଡି ଆସି କହିଲେ, ପ୍ରଣବଭାଇ ଆପଣ ଏବେ ପହଞ୍ଚୁଛନ୍ତି ଅଥଚ ମହିର ଦାସ ସାଢ଼େ ସାତଟା ବେଳରୁ ପହଞ୍ଚି ସାରିଛନ୍ତି! ଏକଥା ଶୁଣି ସତରେ ମୁଁ ଚମକି ପଡିଲି। ଭାବିଲି, ‘ କି’କଥା ହେଲା ଇଏ! ସିଏ ପହଞ୍ଚି ଯାଇଛି ନିଧାର୍ଯ୍ୟ ସମୟରେ ଅଥଚ ନିର୍ଦ୍ଦେଶକ ହୋଇ ମୁଁ ପହଞ୍ଚୁଛି ଡେରିରେ!’ ମୋ ବ୍ୟସ୍ତତା ଦେଖି ଡାକ୍ତର ମାନସ କହିଲେ: ବ୍ୟସ୍ତ ହୁଅନ୍ତୁନି, ମୁଁ ତାଙ୍କୁ ଗୋଟେ ଭିଆଇପି ସୁଟ୍‌ ଦେଇଦେଇଛି ରେଷ୍ଟ ନେବାକୁ। ଆପେ ଆପେ ମୋ ମୁହଁରୁ ବାହାରି ଆସିଲା, ‘ ଭଲ କଲେ ଡାକ୍ତର। ମୋତେ ଲଜ୍ଜାଜନକ ସ୍ଥିତିରୁ ବଞ୍ଚେଇ ଦେଲେ!’ ତରତର ହୋଇ ଲିଫ୍ଟରେ ପଶିଲି ଟପ୍‌ ଫ୍ଲୋର ପାଇଁ।

ରୁମ୍‌କୁ ପଶିଲାବେଳକୁ ମହିରି ‌ଛୋଟ ହସଟିଏ ହସିଦେଇ କହିଲା, ‘ ନମସ୍କାର ପ୍ରଣବଭାଇ। , ହେଲ୍‌ଥ ଭିଲେଜକୁ ଆଣଙ୍କୁ ସ୍ବାଗତ!’ ‌କୋଳାକୋଳି ହେବାପରେ ତାକୁ ପଚାରିଲି: କ’ଣ ଖାଇବୁ କହ ଏବେ ମଗେଇ ଦଉଛ। ଉତ୍ତରରେ ସେ କହିଲା, ‘ ଆପଣ ବ୍ୟସ୍ତ ହେବା ଦରକାର ନାହିଁ। ମୁଁ ଘରୁ ମୋ ବ୍ରେକ୍‌ଫାଷ୍ଟ ସବୁ ସାରିଦେଇ ଆସିଛି। ଆପଣ ଯାଇ ନିଜ କାମ କରନ୍ତୁ। ମୁଁ ଏଠି ଫାଇଭ୍‌ଷ୍ଟାର ହସ୍ପିଟାଲଟିକୁ ଉପଭୋଗ କରେ ଶୋଇଶୋଇ ।’ ମୁଁ ପଚାରିଲି, କାହିଁ ତୋର ଫୁଡ୍‌ବାକ୍ସ, ଦେଖେତ ମୁଁ ଟିକିଏ!

ମୋ କଥା ଶୁଣି ଟିକିଏ ରହିଗଲା ମତେ ଅନେଇ। ତା’ପରେ ଫିକ୍‌କି’ନା ହସିଦେଇ ପାଖ ଟି’ପୟ ଉପରେ ରଖାହୋଇଥିବା କଳା ଲେଦର ହାଣ୍ଡ୍‌ବ୍ୟାଗ୍‌କୁ ନିଜ ପାଖକୁ ଟାଣି ଆଣି ତା’ ଜିପ୍‌ ଖୋଲିଲା। ଆଉ ତା’ପରେ ହାତ ଗଳେଇ କାଢ଼ି ଆଣିଲା ‌ଛୋଟ ଏକ ଷ୍ଟିଲ ଟିଫିନ ବାଟି। ଆଉ ତା’ ସହ ପାଞ୍ଚଛଅ ହେଲ୍ଥଡ୍ରିଙ୍କ୍‌ ସାଚେଟ୍‌। ଟିଫିନ୍‌ ବାଟିଟିକୁ ମୋ ସାମ୍‌ନାରେ ଖୋଲି ଧରିଲା। ଭିତରେ ଥିଲା ଅଳ୍ପ ସୁଜି ଖିରି। ଆଉ କହିଲା, ‘ ମିଠା ପଡ଼ିନି ଏଥିରେ। ‌ଭୋକହେଲେ ଚାମୁଚେ ଦି’ଚାମୁଚା ଖାଏ। ଆଉ ମଝିରେ ମଝିରେ ଏ ଜୀବନ ରକ୍ଷାକାରୀ ସାଚେଟକୁ ପାଣିରେ ଗୋଳେଇ ପିଏ।

ପ୍ରଣବଭାଇ, ଏଇ ହେଲା ତୁମ ମିହିରର ବ୍ରେକ୍‌ଫାଷ୍ଟ୍‌ , ଲଞ୍ଚ୍‌ ଆଉ ଟିଫିନ୍‌। ଆଉ କିଛି ଖାଇବାର ଉପାୟ ନାହିଁ ମୋ ପାଖରେ। ଡାଇଲିସିସ୍‌ ଚାଲିଚି।’ କଥା ଶେଷ କଲାବେଳକୁ ଓଠରେ ହସ ସହିତ ଆଖି ଦୁଇଟାରେ ଲୁହ ଜକେଇ ଆସିଥିଲା। ତା’ପରେ ମତେ ଅନୁରୋଧ ଗଳାରେ କହିଲା, ‘ ଏ ହେଲ୍ଥ ଭିଲେଜ କିଚେନ୍‌ରୁ ଯଦି ଗୋଟେ ପ୍ଲେଟ୍‌ କଟା ପିଆଜ ମିଶା ଗଜାମୁଗ ଦେଇ ପାରନ୍ତେ ଆଜି ପାଟିର ଅରୁଚିଟା କଟିଯାଆନ୍ତା।’

କ’ଣ ଆଉ ମୁଁ ତାକୁ ଉତ୍ତର ଦେଇଥା’ନ୍ତି। ମୋ ସାମ୍‌ନାରେ ବସିଥିଲା ଓଡ଼ିଆ ସିନେମାର ସବୁଠାରୁ ଅଭିଜ୍ଞତା ସଂପନ୍ନ ସୁପର ଅଭିନେତା ମିହିର ଦାସ। ତା’ର ଇସାରା ମାତ୍ରକେ କଟକ କି ଭୁବନେଶ୍ବରର ବିଖ୍ୟାତ ହେଟେଲରୁ ସୁସ୍ବାଦୁ ଖାଦ୍ୟ ଆସିପାରନ୍ତା ତା’ ଲଞ୍ଚ୍‌, ଟିଫିନ୍‌ ଏବଂ ଡିନର ପାଇଁ। ଅଥଚ ସେ ଏମିତି ଏକ ପରିସ୍ଥିତି ଭିତରେ ଅଛି ଯେ, ଗଣ୍ଡାଏ ସ୍ବାଦକର ଖାଇବା ତା ପାଇଁ ମନା। ମନଟା ଖରାପ ହେଇଯାଇଥିଲା। ଦିନସାରା ସେ ଅଭିନୟ କରିଥିଲା କ୍ୟାମରା ସାମ୍‌ନାରେ। ରାତି ସାଢ଼େ ଆଠକୁ ସରିଲା ସୁଟିଂ। କିନ୍ତୁ ସାରାଦିନ ଭିତରେ ତା’ ମୁହଁରେ କ୍ଳାନ୍ତି ନଥିଲା। ବିରକ୍ତି ନଥିଲା ଅବା ତରତରରେ ସଟ୍‌ ସବୁ ସାରୁ ନଥିଲା। ପ୍ରତିଟି ସଟ୍‌ ପାଇଁ ବାରମ୍ବାର ସ୍କ୍ରିପ୍ଟ ଉପରେ ନଜର ପକଉ ଥିଲା ଏବଂ ନିଜକୁ ପ୍ରସ୍ତୁତ କରୁଥିଲା ସଟ୍‌ ଦେବାପାଇଁ। ଯଦି କିଛି ତ୍ରୁଟି ରହିଯାଉଥିଲା, ତା’ହେଲେ ଆଉଥରେ ସେ ସଟ୍‌ ନେବାବେଳେ ଆହୁରି ଭଲ ଅଭିନୟ କରୁଥିଲା।

ସିନେମାଟିର ଡବିଂ ପର୍ଯ୍ୟାୟରେ ମଧ୍ୟ ସଠିକ୍‌ ସମୟରେ ଷ୍ଟୁଡିଓକୁ ଆସି ତା’ କାମ ସଠିକ୍‌ ଭାବେ ସାରିଥିଲା। ଆଜି ସିନେମାଟି ସଂପୂର୍ଣ୍ଣ ଏବଂ ସେନ୍‌ସର ସାର୍ଟିଫିକେଟ୍‌ ପାଇସାରିଛି ସର୍ବସାଧାରଣ ପ୍ରଦର୍ଶନ ପାଇଁ । କିନ୍ତୁ, ସେ ଆଜି ନାହିଁ ତା ଅଭିନୀତ ସିନେମାଟିକୁ ଦେଖିବାକୁ।

ପ୍ରଣବ ଦାସ, ବରିଷ୍ଠ ସିନେମା ନିର୍ଦ୍ଦେଶକ