ଶିଜାନଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି, ଏବେ ‘ଖତରୋଁ କି ଖିଲାଡି’ରେ ଆସିବେ ନଜର

ମୁମ୍ବାଇ: ଶେଷ ଥର ପାଇଁ ଧାରାବାହିକ ଅଲି ‘ବାବା: ଦାସ୍ତାନ-ଇ-କାବୁଲ’ରେ ନଜର ଆସିଥିବା ଟେଲି ଅଭିନେତା ଶିଜାନ ଖାନ ଏବେ ଖୁବଶୀଘ୍ର ‘ଖତରୋଁ କି ଖିଲାଡି’ରେ ନଜର ଆସିବେ। କିଛି ମାସ ତଳେ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଶିଜାନଙ୍କୁ ଜେଲ ଯିବାକୁ ପଡ଼ିଥିଲା। ୭୦ଦିନ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା। ଜାମିନ ମିଳିବା ପରେ ତାଙ୍କୁ ବିଦେଶ ଯିବାକୁ ଅନୁମତି ମିିଳିନଥିବା ବେଳେ ଏବେ କୋର୍ଟ ତାଙ୍କୁ ବିଦେଶ ଯିବା ପାଇଁ ଅନୁମତି ଦେଇଛନ୍ତି। ରିଆଲିଟି ସୋ’ ‘ଖତରୋଁ କି ଖିଲାଡି’ ପାଇଁ ତାଙ୍କୁ ବିଦେଶ ଯାତ୍ରା କରିବାକୁ ଅନୁମତି ଦେବାକୁ ସେ କୋର୍ଟରେ ଆବେଦନ କରିଥିଲେ। ଆଜି କୋର୍ଟ ତାଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି।

ଶିଜାନ ଖାନଙ୍କ ଓକିଲ ଶୈଳେନ୍ଦ୍ର ମିଶ୍ରା ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି, “କୋର୍ଟଙ୍କ ନିକଟରେ ଆମେ କୃତଜ୍ଞ, କାରଣ ଆମ କରିଥିବା ଆବେଦନକୁ ଅନୁମତି ମିଳିଛି। ‘ଖତରୋଁ କି ଖିଲାଡି’ ପାଇଁ ଶିଜାନ ଖାନଙ୍କୁ ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି କୋର୍ଟ। ”

କୋର୍ଟର ରାୟ ଆସିବା ପରେ ଶିଜାନ କହିଛନ୍ତି, ‘କୋର୍ଟ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା। ନ୍ୟାୟ କଦାପି ମରେ ନାହିଁ। କୋର୍ଟର ଶୁଣାଣି ସମୟରେ ଅଭିନେତାଙ୍କ ଭଉଣୀ ଫଲକ ନାଜ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ରାୟ ବିଷୟରେ ଜାଣିବା ପରେ ‌ସେ କହିଛନ୍ତି ଯେ, ‘ମୁଁ ବହୁତ ଖୁସି ଯେ ମୋ ଭାଇ ପୁଣି ଥରେ ତା’ ପାଦରେ ଠିଆ ହେବାକୁ ଯାଉଛି ଏବଂ ସେ ବର୍ତ୍ତମାନ ତା’ର ଭବିଷ୍ୟତ ଜୀବନ ପାଇଁ ରୋଜଗାର କରିବାକୁ ସକ୍ଷମ ହେବ।’

ସମ୍ବନ୍ଧିତ ଖବର