ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଶେଫାଲି ଜାରିୱାଲାଙ୍କ ମୃତ୍ୟୁ ପରେ ଅଭିନେତ୍ରୀଙ୍କ ସ୍ୱାମୀ ପରାଗ ତ୍ୟାଗୀ ଏକା ହୋଇଯାଇଛନ୍ତି। ସେ ନିଜ ମନକୁ ବୁଝାଇ ସ୍ତ୍ରୀଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଶେଫାଲିଙ୍କ ସହିତ ବିତାଇଥିବା ସମୟକୁ ସ୍ମୃତି ଭାବେ ଛାତି ତଳେ ଚାପି ରଖି ବଞ୍ଚିବା ଶିଖୁଛନ୍ତି।
ଶେଫାଲି ଜାରିୱାଲାଙ୍କ ମୃତ୍ୟୁ ପରେ ଅଭିନେତ୍ରୀଙ୍କ ସ୍ୱାମୀ ପରାଗ ତ୍ୟାଗୀ ସ୍ତ୍ରୀଙ୍କ ସ୍ୱପ୍ନକୁ ମଉଳିବାକୁ ଦେଇ ନାହାନ୍ତି। ଶେଫାଲି ଜାରିୱାଲା ଶେଫାଲି ଜାରିୱାଲା ରାଇଜ୍ ଫାଉଣ୍ଡେସନ୍ ନାମକ ଏକ ଏନଜିଓ ଚଲାଉଥିଲେ। ଏହି ଫାଉଣ୍ଡେସନ୍ ମାଧ୍ୟମରେ ସେ ଗରିବ ପିଲାମାନଙ୍କର ଶିକ୍ଷା ଇତ୍ୟାଦି ଖର୍ଚ୍ଚ ବହନ କରୁଥିଲେ। କିନ୍ତୁ ଏବେ ତାଙ୍କ ବିଦାୟ ପରେ, ଅଭିନେତ୍ରୀଙ୍କ ସ୍ୱାମୀ ଏହି ମହାନ କାର୍ଯ୍ୟକୁ ଜାରି ରଖିଛନ୍ତି।
ସମ୍ପ୍ରତି, ପରାଗ ତ୍ୟାଗୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, "ବନ୍ଧୁ ନଭ୍ୟା, କାଭ୍ୟ, ଈଶାନ ଏବଂ ଇନାୟାଙ୍କୁ ଅଭିନନ୍ଦନ। ଆଉ କିଛି ବୁନ୍ଦା ଶେଫାଲି ଜାରିୱାଲା ରାଇଜ୍ ଫାଉଣ୍ଡେସନ ସମୁଦ୍ରର ଅଂଶ ହୋଇ ପାରିଛି। ଆମ ପାଇଁ ପ୍ରାର୍ଥନା କରନ୍ତୁ ଆମେ ଶେଫାଲିଙ୍କ ସ୍ୱପ୍ନ ପୂରଣ କରିପାରିବା ଏବଂ ଗରିବ ପିଲାମାନଙ୍କ ଜୀବନକୁ ଉନ୍ନତ କରିପାରିବା।"
ଶେଫାଲିଙ୍କ ମୃତ୍ୟୁ ପରେ ସ୍ବାମୀ ପରାଗଙ୍କ କାମକୁ ଦେଖି, ପ୍ରଶଂସକମାନେ ବହୁତ ପ୍ରଶଂସା କରୁଛନ୍ତି।