ଟେଲିଭିଜନ୍‌ର ବାସ୍ତବଧର୍ମୀ ଧାରାବାହିକ ‘ବିଗ୍‌ ବସ୍‌-୧୩’ ମାଧ୍ୟମରେ ଲୋକଲୋଚନକୁ ଆସିଥିବା ଅଭିନେତ୍ରୀ, ଗାୟିକା ତଥା ମଡେଲ୍‌ ସେହନାଜ୍‌ କୌର ଗିଲ୍‌ ଫିଲ୍ମ ଜଗତ୍‌ରେ ସେପରି ପକ୍କା ସଉଦା କରିନପାରି ଥିବା ବେଳେ ବିଭିନ୍ନ ସଂଗୀତ ଭିଡିଓରେ ଦର୍ଶକଙ୍କୁ କିମିଆଁ କରି ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ନିକଟରେ ସେରଶାହ ଫିଲ୍ମର ‘ରାଞ୍ଝା’ ଗୀତରେ ସେ ପରଷିଥିବା ତାଙ୍କ କଣ୍ଠର ନିଆରା ଯାଦୁ ପ୍ରଶଂସକମାନଙ୍କୁ ଏପରି ମତୁଆଲା କରିଦେଇଛି ଯେ, ସଂଗୀତ ଦୁନିଆଁରେ ରାଜ୍‌ କରିବାକୁ ପ୍ରକୃତ ସାମ୍ରାଜ୍ଞୀ ଫେରି ଆସିଛନ୍ତି ବୋଲି ସେମାନେ କୁହାକୁହି ହେଉଛନ୍ତି।

Advertisment

publive-image celebritytadka.com

ଏ ଯାବତ୍‌ ଦୁଇଶହରୁ ଅଧିକ ପଞ୍ଜାବୀ ଓ ହିନ୍ଦୀ ସଂଗୀତ ଆଲବମ୍‌ରେ ନୃତ୍ୟର ମଦିରା ବରଷିଥିବା ସେହନାଜ୍‌ଙ୍କ ହାତରେ ସୀମିତ ଟିଭି ଧାରାବାହିକ ରହିଥିଲେ ହେଁ ‘ବିଗ୍‌ ବସ୍‌-୧୩’ ତାଙ୍କ ପାଇଁ ଅପୂର୍ବ ସଫଳତା ଆଣିଦେଇଥିଲା। ଏଥିରେ ସେ ଦ୍ବିତୀୟ ଉପବିଜୟିନୀ ସାଜିଥିଲେ। ତେବେ ଏକ ଦୁଃଖଦ ଘଟଣାକ୍ରମେ ଏହାର ବିଜେତା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତବର୍ଷ ହଠାତ୍‌ ପରଲୋକ ଘଟିବା ପରେ ସେହନାଜ୍‌ ଭୀଷଣ ଭାବରେ ଭାଙ୍ଗି ପଡ଼ିଥିଲେ। ଏବେ ପ୍ରଶଂସକମାନଙ୍କ ଅନୁରାଗ ଓ ଚାହିଦା କ୍ରମେ ସେ ପୂର୍ବ ପରି ସକ୍ରିୟ ହୋଇ ଉଠିଛନ୍ତି।

ପଞ୍ଜାବର ଅମୃତସର ଅନ୍ତର୍ଗତ ବିଜ୍‌ ଠାରେ ୧୯୯୩ ଜାନୁଆରି ୨୭ରେ ଏକ ଶିଖ୍‌ ପରିବାରରେ ଜନ୍ମିତ ସେହନାଜ୍‌ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ତେବେ ପିଲାଟି ଦିନରୁ ଅଭିନୟ ପ୍ରତି ଏକ ଅହେତୁକ ଦୁର୍ବଳତା ତାଙ୍କ ମନରେ ଜାଗି ରହିଥିଲା। ଫଳସ୍ବରୂପ, ଶିକ୍ଷା ସାରି ୨୦୧୫ରେ ସେ ପଞ୍ଜାବୀ ସଂଗୀତ ଭିଡିଓ ‘ଶିବ ଦି କିତାବ’ ମାଧ୍ୟମରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଏଥିରେ ମିଳିଥିବା ଆଶାତୀତ ଲୋକପ୍ରିୟତା ତାଙ୍କୁ ଆଉ ପଛକୁ ଫେରିବାକୁ ଦେଇନଥିଲା। ତାହା ପରେ ପରେ ‘ମାଝେ ଦି ଜତ୍ତି’ ଓ ‘ପିନ୍ଦାଣ ଦିଆଁ କୁଡ଼ିଆଁ’ରେ ତାଙ୍କ ପ୍ରଦର୍ଶନ ବେଶ ଆକର୍ଷକ ରହିଥିଲା।

publive-image Stark Times

ଏହାପରେ ୨୦୧୭ରେ ସେ ପଞ୍ଜାବୀ ଫିଲ୍ମ ‘ସତ୍‌ ଶ୍ରୀ ଅକାଲ ଇଂଲଣ୍ଡ୍’ରେ ଫିଲ୍ମ ରାଇଜକୁ ପ୍ରଥମ ପଦାର୍ପଣ କରିଥିଲେ। ସେହିପରି ୨୦୧୯ରେ ‘କାଲା ଶାହ କାଲା’ ଓ ‘ଡାକା’ ପରି ପଞ୍ଜାବୀ ସିନେମାରେ ଅଭିନୟ କରିବା ସହ ବିଭିନ୍ନ ସଂଗୀତ ଭିଡିଓରେ କାମ କରିବା ଜାରି ରଖିଥିଲେ। ଏପରିକି ୨୦୧୯ ସେପ୍ଟେମ୍ବରରେ ସେ ‘ବିଗ୍‌ ବସ୍‌ ୧୩’ରେ ପ୍ରବେଶ କରି ମଧ୍ୟ ନିଜର ଏକକ ଆଲବମ୍‌ ‘ବେହମ୍‌’, ‘ସାଇଡ୍‌ଵାକ୍‌’, ‘ରେଞ୍ଜ୍‌’ ଓ ‘ରୋନ୍ଦା ଅଳି ପେଟି’ ଆଦି ବଜାରକୁ ଛାଡ଼ିଥିଲେ। ସେହିପରି ୨୦୨୦ରେ ଅନ୍ୟତମ ରିଅଲିଟି ସୋ’ ‘ମୁଝ୍‌ ସେ ସାଦି କରୋଗେ’ରେ ମଧ୍ୟ ସେ ଭାଗ ନେଇଥିଲେ ଯାହା ମହାମାରୀ କୋଭିଡ୍‌ ଯୋଗୁଁ ବନ୍ଦ ହୋଇଯାଇଥିଲା। ତେବେ ତାଙ୍କର ସଂଗୀତ ଆଲବମ୍‌ର ଶୃଙ୍ଖଳା ସେମିତି ଜାରି ରହିଥିଲା। ଏଥି ସହିତ ଗତବର୍ଷ ମୁକ୍ତିଲାଭ କରିଥିବା ଅନ୍ୟତମ ପଞ୍ଜାବୀ ସିନେମା ‘ହୋଁସଲା ରଖ’ରେ ତାଙ୍କ ଅଭିନୟ ମଧ୍ୟ ମହାମାରୀ କବଳିତ ମନୋରଞ୍ଜନ ଦୁନିଆରେ ପ୍ରଶଂସକମାନଙ୍କ ପାଇଁ ଯଥୋଚିତ ଖୋରାକ ଯୋଗାଇଥିଲା। ଏହି ଛଅ ବର୍ଷର ଗ୍ଲାମର୍ ଦୁନିଆରେ ତାଙ୍କର ଉପସ୍ଥିତି ତାଙ୍କ ପାଇଁ ୨୦୧୯ରେ ଟାଇମ୍‌ସର ଶ୍ରେଷ୍ଠ ଆକାଂକ୍ଷିତ ମହିଳା ତାଲିକାର ୧୩ଶ ସ୍ଥାନ ଓ ୨୦୨୦ରେ ଏକାଦଶ ସ୍ଥାନ ଆଣିଥିଲା। ସେହିପରି ଗତବର୍ଷ ଫିଲ୍ମଫେୟାର ପତ୍ରିକାର ଡିଜିଟାଲ ସଂସ୍କରଣର ସେ ପ୍ରଚ୍ଛଦ ମଣ୍ଡନ କରିଥିଲେ। ଏଥି ସହିତ ‘ଭରସାଯୋଗ୍ୟ ତାଜା ମୁହଁ’ ଭାବେ ସେ ଇଟି ଇନ୍‌ସ୍ପାୟାରିଂ ଓମେନ୍‌ ସମ୍ମାନ ଲାଭ କରିଥିଲେ।