ସିଦ୍ଧାର୍ଥଙ୍କ ଅନ୍ତିମ ସଂସ୍କାରବେଳେ କାନ୍ଦି କାନ୍ଦି ଲୋଟି ପଡ଼ୁଥିଲେ ଶେହନାଜ

ମୁମ୍ବାଇର ଓସିୱାଡ଼ା ଶ୍ମଶାନ ଘାଟ ଶୁକ୍ରବାର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା। ଅପରାହ୍ନରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର ଏହି ଶ୍ମଶାନ ଘାଟରେ ହୋଇଥିଲା। ତାଙ୍କ ମା’ ମୁଖାଗ୍ନି ଦେଇଥିଲେ। ମା, ଆତ୍ମୀୟସ୍ବଜନ, ପ୍ରଶଂସକ ସମସ୍ତଙ୍କ ଆଖିରେ ଲୁହ ଭରି ରହିଥିଲା। ହେଲେ ସିଦ୍ଧାର୍ଥଙ୍କ ପ୍ରେମିକା ଶେହନାଜ ଗିଲ୍‌ ତାଙ୍କ ଭାଇଙ୍କ ସହ ଶ୍ମଶାନଘାଟରେ ପହଞ୍ଚି କାନ୍ଦି କାନ୍ଦି ତଳେ ଲୋଟି ପଡ଼ୁଥିବା ଦୃଶ୍ୟ ଥିଲା ସବୁଠୁ ଅଧିକ ହୃଦୟ ବିଦାରକ ଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁ ପରଠାରୁ ଶେହନାଜ ନିଜ ପରିବାର ସହ ଅଛନ୍ତି। ସେ ଦୁଃଖରେ ଭାଙ୍ଗି ପଡ଼ିଥିବା କଥା ଗତକାଲି ତାଙ୍କ ପିତା କହିଥିଲେ। ଆଜି ବି ସେ ନିଜ ଭାଇଙ୍କ ସହ ଶ୍ମଶାନଘାଟକୁ ଆସିଥିଲେ। ସିଦ୍ଧାର୍ଥଙ୍କ ମୃତଦେହ ଆସିଥିବା ଆମ୍ବୁଲାନ୍ସ ନିକଟକୁ ଯାଇ ସେ ମୁଣ୍ଡ ପିଟି କାନ୍ଦିଥିଲେ। ନିଜକୁ ସମ୍ଭାଳିବା ଏବଂ ଲୁହକୁ ଅଟକାଇବାରେ ସେ ବିଫଳ ହୋଇଥିଲେ। ଶେହନାଜଙ୍କ ଅବସ୍ଥା ଦେଖି ଶ୍ମଶାନଘାଟରେ ଉପସ୍ଥିତ ଲୋକଙ୍କ ଆଖିରୁ ବି ଲୁହ ଝରି ପଡ଼ୁଥିଲା।

ବିଗ୍‌ ବସ୍‌ ୧୩ରେ ଦୁହେଁ ଦୁହିଙ୍କୁ ଭଲପାଇ ବସିଥିଲେ। ବିଗ୍‌ ବସ୍‌ ବ୍ୟତୀତ ରିଅଲିଟି ସୋ’ରେ ବି ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ଦୁହିଁଙ୍କ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଅନେକ ଚର୍ଚ୍ଚା ହୋଇଥିଲା। ତଥାପି ସେମାନଙ୍କ ସମ୍ପର୍କ ଅତୁଟ ରହିଥିଲା। ଅସୁମାରୀ ସ୍ବପ୍ନ ନେଇ ସେମାନଙ୍କ ସମ୍ପର୍କ ଦିନକୁ ଦିନ ନିବିଡ଼ ହେଉଥିଲା। ହେଲେ ବିଧିର ବିଧାନ ବଡ଼ ବିଚିତ୍ର। ଗୁରୁବାର ହଠାତ୍‌ ସିଦ୍ଧାର୍ଥଙ୍କ ପରଲୋକ ଖବରକୁ ଆଦୌ ବିଶ୍ବାସ କରିପାରୁ ନଥିଲେ ଶେହନାଜ। ଖବର ପାଇବା ପରେ ସେ ସିଦ୍ଧାର୍ଥଙ୍କ ଘରକୁ ଯାଇ ତାଙ୍କ ମା ଓ ଭଉଣୀଙ୍କ ସହ ଥିଲେ ଏବଂ ସେ ଆଜି ଖୁବ୍‌ ଭାଙ୍ଗି ପଡ଼ିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ହୃଦ୍‌ଘାତରେ ପରଲୋକ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ଆଜି ମଧ୍ୟାହ୍ନରେ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଘରେ ପ୍ରଜାପିତା ବ୍ରହ୍ମାକୁମାରୀ ରୀତିନୀତି ଅନୁସାରେ ପୂଜାପାଠ କରାଯାଇ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର