ମୁମ୍ବାଇ: ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ହାସ୍ୟ ଅଭିନେତା ଶେଖର ସୁମନ ଅନେକ ସମୟରେ ନିଜ କମେଡି ଓ ନିଜ ଗୀତକୁ ନେଇ ଲାଇମଲାଇଟରେ ରହିଥାନ୍ତି। କିଛି ଦିନ ତଳେ ବିଗ୍ ବସରେ କମେଡି ସୋ’ କରି ଚର୍ଚ୍ଚାକୁ ଆସିଥିଲେ ଶେଖର। ଏବେ ଶେଖର ସୁମନ ତାଙ୍କ ସାକ୍ଷାତକାର ପାଇଁ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି। ସାକ୍ଷାତକାରରେ ଶେଖର ସୁମନ ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ ତାଙ୍କ ପୁଅ ଅଧ୍ୟୟନ ସୁମନଙ୍କ ପ୍ରେମ ସମ୍ପର୍କରେ ତାଙ୍କର ଭୂମିକା କିଭଳି ଥିଲା ତାହା ଜଣାଇଛନ୍ତି।
ତାଙ୍କ ପୁଅ ଅଧ୍ୟୟନ ସୁମନ ଏବଂ କଙ୍ଗନା ରାନାୱତଙ୍କ ପ୍ରେମ ସମ୍ପର୍କ ବିଷୟରେ ବଲିଉଡ ହଙ୍ଗାମାକୁ ସାକ୍ଷାତକାର ଦେଇ ଶେଖର ସୁମନ କହିଛନ୍ତି, 'ମୁଁ ତାଙ୍କ ସମ୍ପର୍କ ବିଷୟରେ ସବୁକିଛି ଜାଣିଥିଲି। କିନ୍ତୁ ମୁଁ ଚୁପ୍ ରହିବା ଭଲ ବୋଲି ଭାବିଲି। ମୁଁ ଚାହୁଁଥିଲି ମୋ ପୁଅ ନିଜ ସମସ୍ୟାର ସମାଧାନ କରୁ। ମୁଁ କେବେ ବି ସେମାନଙ୍କ ସମ୍ପର୍କର ବିରୋଧୀ ନଥିଲି। ମୁଁ କୌଣସି ସମ୍ପର୍କକୁ ବିରୋଧ କରେ ନାହିଁ। ତେଣୁ ସେମାନଙ୍କ ବ୍ରେକଅପ୍ ପାଇଁ ମୁଁ କାହାକୁ ଦାୟୀ କରିବା ଉଚିତ୍ ନୁହେଁ। ଦୁହିଁଙ୍କ ବ୍ରେକଅପକୁ ନେଇ ମୁଁ କଙ୍ଗନା ରାନାୱତଙ୍କ ସହ କଥା ହୋଇନଥିଲି। କାରଣ ମୁଁ ଜାଣିଥିଲି ଯେ ଏହା ସେମାନଙ୍କର ବ୍ୟକ୍ତିଗତ କଥା ଏବଂ ସେମାନେ ଏହାର ସମାଧାନ କରିବା ଉଚିତ୍। କେହି କେହି ନିଜ ସମ୍ପର୍କରେ ସଫଳ ହୁଅନ୍ତି ଆଉ କେହି ବିଫଳ। ଏଇତ ଜୀବନ। ତେଣୁ ସମ୍ପର୍କ ଭାଙ୍ଗିବା ପଛରେ ନା ଅଧ୍ୟୟନଙ୍କ ଦୋଷ ଥିଲା ନା କଙ୍ଗନାଙ୍କର। ଏସବୁ ପରିସ୍ଥିତି ପାଇଁ ହୋଇଥାଏ। ବେଳେବେଳେ ପରିସ୍ଥିତି ଭଲ ଥାଏ ଏବଂ ବେଳେବେଳେ ଖରାପ ହୋଇଯାଏ।