କାରଗିଲ ଯୁଦ୍ଧକୁ ନେଇ ଆସୁଛି ଫିଲ୍ମ ‘ସେରଶାହା’

ମୁମ୍ବାଇ: ୨୦୦୩ରେ ‘ଏଲଓସି’, ୨୦୦୪ରେ ‘ଲକ୍ଷ୍ୟ’ ଓ ୨୦୦୫ରେ ଟାଙ୍ଗୋ ଚାର୍ଲି । ଇଏ ହେଉଛି ସେହି ସବୁ ସିନେମା ଯେଉଁଥିରେ ଦର୍ଶକ କାରଗିଲ ଯୁଦ୍ଧର କଥାକୁ ପରଦାରେ ଦେଖିବାକୁ ପାଇଥିଲେ । ଭାରତୀୟ ଯବାନ କିଭଳି ଶତ୍ରୁଙ୍କୁ ମାତ ଦେଇ କାରଗିଲ ଉପରେ ବିଜୟ ପତାକା ଉଡାଇଥିଲେ ଏହାକୁ ବିଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଥିଲା । ପ୍ରାୟ ୧୫ବର୍ଷର ବ୍ୟବଧାନ ପରେ ପୁଣି କାରଗିଲରେ ଭାରତୀୟ ଯବାନଙ୍କ ଐତିହାସିକ ବିଜୟ କଥାକୁ ନେଇ ନିର୍ମାଣ ହେବ ବଲିଉଡ ସିନେମା । ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହେବ ଫିଲ୍ମ ସେରଶାହା ।

ନିକଟରେ କରଣ ଜୋହର ଫିଲ୍ମର ଟାଇଟେଲ ଘୋଷଣା କରିଛନ୍ତି । ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମାଲୋହୋତ୍ରା ଓ କିଆରା ଆଡବାଣୀଙ୍କ ଅଭିନୟ ରହିବ । କାରଗିଲ ଯୁଦ୍ଧର ହିରୋ କୁହାଯାଉଥିବା କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ହେବ ଏହି ସିନେମା । ବିକ୍ରମ ବାତ୍ରା ସେହି ବୀର ଯବାନ ଯିଏ ଶତ୍ରୁଙ୍କୁ ମାତ ଦେବା ସହ ନିଜର ଅନେକ ସାଥୀ ଯବାନଙ୍କ ପ୍ରାଣ ରକ୍ଷା କରିଥିଲେ । ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ କ୍ୟାପଟେନ ବିକ୍ରମ ବାତ୍ରାଙ୍କୁ ପାକିସ୍ତାନ ସେନା ବେଶ ଭୟ କରୁଥିଲେ ।

ଏପରିକି ଯୁଦ୍ଧ ସମୟରେ ବାତ୍ରାଙ୍କ ପାଇଁ ପାକସେନା ଏକ କୋଡ୍ ନେମ ରଖିଥଲେ । ବାତ୍ରାଙ୍କୁ ସେମାନେ ସେରଶାହା ବୋଲି ଡାକୁଥିଲେ । ୨୦୦୩ରେ କାରଗିଲ ଯୁଦ୍ଧ ଉପରେ ନିର୍ମିତ ଫିଲ୍ମ ଏଲଓସିରେ ମଧ୍ୟ ବିକ୍ରମ ବତ୍ରାଙ୍କ କଥା ସ୍ଥାନ ପାଇଥିଲା । ଯେଉଁଥିରେ ଜୁନିୟର ବଚ୍ଚନ ଅଭିଷେକ ଅଭିନୟ କରିଥିଲେ ତେବେ ସେରଶାହାରେ ଦେଖିବାକୁ ମିଳିବ କ୍ୟାପଟେନ ବାତ୍ରାଙ୍କ ସମ୍ପୂଣ୍ଣ ଜୀବନୀ । ଫିଲ୍ମର ନିର୍ଦ୍ଦେଶନା ବିଷ୍ଣୁବର୍ଦ୍ଧନ ଦେଇଛନ୍ତି । ସେରଶାହାର ସୁଟିଂ ଶେଷ ହୋଇଛି ଓ ଜୁଲାଇ ୩ରେ ରିଲିଜ କରାଯିବ ବୋଲି ଧର୍ମା ପ୍ରଡକ୍ସନ ଟୁଇଟ କରି ସୂଚନା ଦେଇଛି ।

ସମ୍ବନ୍ଧିତ ଖବର