ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ଅସୁବିଧା ପିଛା ଛାଡ଼ୁ ନାହିଁ। ଅଶ୍ଳୀଳତା ବା ପର୍ଣ୍ଣ ଫିଲ୍ମ ତିଆରି କରୁଥିବା ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଥିଲେ। ନିକଟରେ ସେ ଜାମିନରେ ଫେରିଥିଲେ।
ତେବେ ଶିଳ୍ପା ଓ ରାଜ ୧.୫୧ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
ପୁଣେରେ ରହୁଥିବା ନିତିନ ବାରାଇ ନାମକ ଜଣେ ବ୍ୟକ୍ତି ଶିଳ୍ପା ଓ ରାଜଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଶିଳ୍ପା ଓ ରାଜ ଏକ ଫିଟନେସ କମ୍ପାନି ମାଧ୍ୟମରେ ୨୦୧୪ରୁ ୨୦୧୫ ମସିହା ମଧ୍ୟରେ ତାଙ୍କ ଠାରୁ ୧.୫୧ କୋଟି ଟଙ୍କାର ଠକେଇ କରିଛନ୍ତି।
ନିତିନ ବାରାଇଙ୍କ ଅଭିଯୋଗ ପରେ ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କ ବିରୋଧରେ ବାନ୍ଦ୍ରା ପୁଲିସ ଆଇପିସି ଧାରା ୪୦୬, ୪୦୯, ୪୨୦, ୫୦୬, ୩୪ ଓ ୧୨୦(ବି) ଆଧାରରେ ମାମଲା ରୁଜୁ କରିଛି। ଶିଳ୍ପା ଓ ରାଜ କୁନ୍ଦ୍ରଙ୍କୁ ଟଙ୍କା ଠକେଇ ନେଇ ପୁଲିସ ପଚରାଉଚରା ଜାରି ରଖିଛି।