ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ ୨୦୨୧ ମସିହା ସେତେ ଭଲ ନଥିଲା। ‘ଆଡଲ୍ଟ ଫିଲ୍ମ ସ୍କାଣ୍ଡାଲ’ ମାମଲାରେ ରାଜ ଜେଲ ଯାଇଥିବାବେଳେ ସେତେବେଳେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଏକ ଏକ୍ସ ପୋଷ୍ଟ୍ କରି ଚର୍ଚ୍ଚାରେ ରହିଛନ୍ତି ରାଜ୍। ତାଙ୍କ ପୋଷ୍ଟ୍ ଦେଖିବା ପରେ ସେ ପତ୍ନୀ ଶିଳ୍ପାଙ୍କଠାରୁ ଅଲଗା ହୋଇ ଯାଇଛନ୍ତି ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି।
ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା 'ୟୁଟି ୬୯' ରେ ଅଭିନୟ ଆରମ୍ଭ କରିବାକୁ ଯାଉଛନ୍ତି। ନିକଟରେ ତାଙ୍କ ଫିଲ୍ମର ଟ୍ରେଲର ମଧ୍ୟ ଲଞ୍ଚ୍ ହୋଇଥିଲା। ନଭେମ୍ବର ୨ ତାରିଖରେ ଏହି ଚଳଚ୍ଚିତ୍ରଟି ରୁପେଲୀ ପରଦାରେ ଦେଖିବାକୁ ମିଳିବ। ଏହାରି ମଧ୍ୟରେ ଜଣେ ବ୍ୟବସାୟୀ ରାଜ କୁନ୍ଦ୍ରା ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ୍ କରିଛନ୍ତି ଯେ ‘‘ଆମେ ଅଲଗା ହୋଇଯାଇଛୁ। ଏହି କଠିନ ସମୟରେ ଆମକୁ ସମୟ ଦେବାକୁ ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ।’’ ତାଙ୍କ ପୋଷ୍ଟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଅନେକ ଏହାକୁ ଏକ ପ୍ରମୋସନାଲ କୌଶଳ ବୋଲି କହୁଛନ୍ତି।
ଜେଲରୁ ବାହାରିବା ପରେ ରାଜ ସବୁବେଳେ ଗଣମାଧ୍ୟମରୁ ମୁହଁ ଲୁଚାଇ ରଖିଥିଲେ। କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ହେଉ କିମ୍ବା ବିମାନବନ୍ଦର ହେଉ, ରାଜ କୁନ୍ଦ୍ରା ସବୁବେଳେ ମାସ୍କ ପିନ୍ଧି ମୁହଁ ଲୁଚାଇ ରଖିଥିଲେ। କିଛି ସମୟ ପୂର୍ବରୁ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ନିଜର ବଲିଉଡ ଡେବ୍ୟୁ ଘୋଷଣା କରିଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ନିଜ ଫିଲ୍ମ ସଂପର୍କରେ ସୂଚନା ଦେଇଥିଲେ।