ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ମାଆବାପା ସାଜିଛନ୍ତି ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରା। ପୂର୍ବରୁ ତାଙ୍କର ଏକ ପୁଅ ଥିବା ବେଳେ ଶିଳ୍ପା ପୁଣିଥରେ ସରୋଗେସିି ପ୍ରକ୍ରିୟାରେ ଏକ କନ୍ୟା ସନ୍ତାନକୁ ସ୍ବାଗତ କରିଛନ୍ତି। ଜାଣିବାକୁ ମିଳିଛି ଯେ ଶିଳ୍ପାଙ୍କ ପରିବାର ଲୋକ କନ୍ୟାଟିର ନାମ ସମିଶା ସେଟ୍ଟୀ କୁନ୍ଦ୍ରା ଦେଇଛନ୍ତି। ଶିଶୁଟି ଫେବ୍ରୁଆରି ୧୫ ତାରିଖରେ ଜନ୍ମଲାଭ କରିଛି।
ଶିଳ୍ପା ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଶିଶୁଟିର ଅଧା ଫଟୋ ଦେଇ ଲେଖିଛନ୍ତି, ‘ଗଣେଶାୟ ନମଃ। ଆମ ପ୍ରାର୍ଥନାକୁ ଏକ ଚମତ୍କାର ସହ ଈଶ୍ବର ମଞ୍ଜୁର କରିଛନ୍ତି। ଆମ ଘରେ ଏକ କୁନି ପରୀର ଅବିର୍ଭାବ ହୋଇଛି ବୋଲି ଆମେ ଅତ୍ୟନ୍ତ କୃତଜ୍ଞତାର ସହ ଘୋଷଣା କରୁଛୁ।’ ତାର ନାମର ଅର୍ଥ ମଧ୍ୟ ଶିଳ୍ପା ତାଙ୍କ ପୋଷ୍ଟ୍ରେ ବୁଝାଇଛନ୍ତି। ସଂସ୍କୃତରେ ‘ସ’ ମାନେ ସେ ଲେଖିଛନ୍ତି ‘କିଛି ଜିନିଷ ବା କୌଣସି ବ୍ୟକ୍ତିର ଉପସ୍ଥିତି’ ଓ ସେହିପରି ରୁଷିୟାନ ଭାଷାରେ ‘ମିଶା’ ମାନେ ‘ଭଗବାନଙ୍କ ପରି’। ସେ ସମିଶାର ଅର୍ଥ ଲକ୍ଷ୍ମୀ ବୋଲି ଲେଖିଛନ୍ତି। ଏହାଛଡ଼ା ଶିଳ୍ପା ଓ ଭଉଣୀ ସମିତାଙ୍କ ନାମ ସହ ଏହି ନାମର ସମାନତା ମଧ୍ୟ ରହିଛି। ଫଟୋରେ ଜୁନିୟର୍ ଶିଳ୍ପା ତା’ର କୁନି ଆଙ୍ଗୁଠିରେ ମାଆଙ୍କ ହାତ ଧରିଥିବା ଦେଖିବାକୁ ମିଳିଛି। ଉଲ୍ଳେଖଯୋଗ୍ୟ, ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା ୨୦୦୯ ମସିହାରେ ବିବାହ କରିଥିଲେ। ସେମାନଙ୍କ ବଡ଼ ପୁଅର ନାମ ଭିହାନ-ରାଜ କୁନ୍ଦ୍ରା।