୨୦୨୨କୁ ଶିଳ୍ପାଙ୍କ ବିନତି

୨୦୨୧ ମସିହା ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ପାଇଁ ଥିଲା ଘଟଣାବହୁଳ। ଗୋଟିଏ ପଟେ ଦୀର୍ଘ ବର୍ଷର ବ୍ୟବଧାନ ପରେ ‘ହଙ୍ଗାମା ୨’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍ ଦୁନିଆକୁ ଫେରିବାର ଉତ୍ସାହ ତ ଆଉ ଗୋଟିଏ ପଟେ ସ୍ବାମୀଙ୍କୁ ନେଇ ବିବାଦରେ ଛନ୍ଦି ହେବାର କରୁଣ ଅଭିଜ୍ଞତା। ଶିଳ୍ପାଙ୍କ ନିଜ ଭାଷାରେ ୨୦୨୧ ମସିହା ଥିଲା ଆବେଗର ଏକ ମିଶ୍ରିତ ଥଳି। ଏ ବର୍ଷ ତାଙ୍କ ପାଇଁ ହସ, ଲୁହ, ବିଦାୟ ଓ ଆହୁରି ଅନେକ କିଛିର ସମାହାର ଥିଲା। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ଦିନଗୁଡ଼ିକ ଭଲ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ଶିଳ୍ପା।

ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଦୀର୍ଘ ଭାବପୂର୍ଣ୍ଣ ଲେଖାରେ ସେ ଉଲ୍ଲେଖ କରିଛନ୍ତି, ‘୨୦୨୨ ପାଇଁ ଆମେ ପ୍ରସ୍ତୁତ। ୨୦୨୨କୁ ଅନୁରୋଧ ଯେ ଏହା ଆମ ପାଇଁ ଭଲ ହେଉ।’ ସତ କହିବାକୁ ଗଲେ ଗତ ଜୁଲାଇ ମାସରେ ସ୍ବାମୀ ରାଜ କୁନ୍ଦ୍ରା ବେଆଇନ ଅଶ୍ଳୀଳ ସିନେମା ନିର୍ମାଣ ଅଭିଯୋଗରେ ଛନ୍ଦି ହୋଇ ଗିରଫ ହେବା ପରେ ଶିଳ୍ପା ସେଟ୍ଟୀଙ୍କ ଜୀବନରେ ଏକପ୍ରକାର ଝଡ଼ ସୃଷ୍ଟି ହୋଇଥିଲା। ଏହି ମାମଲାରେ ଶିଳ୍ପାଙ୍କର କୌଣସି ସଂପୃକ୍ତି ନ ଥିଲେ ହେଁ ତାଙ୍କୁ ଅନେକ ଟାହିଟାପରାରର ଶରବ୍ୟ ହେବାକୁ ପଡ଼ିଥିଲା। ଏହା ସତ୍ତ୍ବେ ସାହସର ସହ ସେ ସବୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଥିଲେ। ସ୍ବାମୀଙ୍କୁ ଜାମିନ ମିଳିବା ପରେ ସେମାନେ ସପରିବାର ହିମାଚଳ ପ୍ରଦେଶ ବୁଲିବାକୁ ଯାଇଥିଲେ। ଦୁଇ ସନ୍ତାନଙ୍କ ସହ ମସୁରୀର ପାହାଡ଼ିଆ ଅଞ୍ଚଳରେ ଖ୍ରୀଷ୍ଟମାସ ଛୁଟି କାଟି ସେମାନେ ମୁମ୍ବାଇ ଫେରିଛନ୍ତି। ତେବେ ରାଜ ଏ ପର୍ଯ୍ୟନ୍ତ ଲୋକଲୋଚନରୁ ଦୂରେଇ ରହିଛନ୍ତି। ବିବାଦୀୟ ପରିସ୍ଥିତିରେ ଶିଳ୍ପା ଯେଉଁଭଳି ଦମ୍ଭ ଦେଖାଇଛନ୍ତି ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ।

୨୦୨୧କୁ ବିଦାୟ ଦେବା ସହିତ ଶିଳ୍ପା ନିଜ ଅଭିଜ୍ଞତା ଜରିଆରେ ସଭିଙ୍କୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାର ଶିକ୍ଷା ଦେଇଛନ୍ତି। ଯଦି କୋଭିଡ୍-୧୯ ସ୍ଥିତି ନିୟନ୍ତ୍ରଣରେ ରହେ ତେବେ ଆସନ୍ତା ଏପ୍ରିଲ ମାସରେ ‘ନିକମ୍ମା’ ଚଳଚ୍ଚିତ୍ରରେ ଦର୍ଶକ ପୁଣି ଥରେ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବେ।

ସମ୍ବନ୍ଧିତ ଖବର