ଦିନେ ମହାଦେବ ଶିବ ଓ ମା’ ପାର୍ବତୀଙ୍କ ମଧ୍ୟରେ ଝଗଡ଼ା ହୁଏ। ଭଗବାନ ଶିବ କହନ୍ତି, ନାରୀମାନେ ପୁରୁଷମାନଙ୍କୁ ଅଧିକ କଷ୍ଟ ଦିଅନ୍ତି। ହେଲେ ଦେବୀ ପାର୍ବତୀ ପାଲଟା ଜବାବ ଦେଇ କହନ୍ତି ଯେ ନାରୀ ପୁରୁଷଙ୍କ ପାଇଁ ଅଧିକ ସମସ୍ୟା ଓ କଷ୍ଟ ଭୋଗେ। ଏଭଳି କଥା କଟାକଟି ଭିତରେ ମହାଦେବ ଜଣେ ପୁରୁଷଙ୍କୁ ନାରୀ ରୂପ ଓ ପ୍ରକୃତି ଦିଅନ୍ତି। ତା’ ପରେ ପୁରୁଷ ଜଣକ କିପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି ଓ ତାକୁ ନେଇ କିପରି ହାସ୍ୟରୋଳ ସୃଷ୍ଟି ହୁଏ, ତାହା ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ବାବାଜୀକା ଠୁଲୁ’ରେ ଦେଖିବାକୁ ମିଳିବ।
ନିର୍ଦ୍ଦେଶକ ରଞ୍ଜନ ମିଶ୍ର କହିବା ଅନୁଯାୟୀ, ପ୍ରଯୋଜକ ବାବୁ ସିଂ ଦିନେ ମୋତେ ଶିବ-ପାର୍ବତୀଙ୍କ ଏଭଳି କାଳ୍ପନିକ ଉପାଖ୍ୟାନକୁ ନେଇ ସିନେମା ନିର୍ମାଣ ଲାଗି ପ୍ରସ୍ତାବ ଦେଲେ। ଆଉ ମୁଁ ବି ରାଜି ହୋଇଥିଲି।

Advertisment

ଭୁବନେଶ୍ବର ମଧ୍ୟ ବିଧାୟକ ବାବୁ ସିଂଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ‘ବାବାଜିକା ଠୁଲୁ’ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ। ପ୍ରଯୋଜକ ବାବୁ ସିଂଙ୍କର ଏହା ପ୍ରଥମ ସିନେମା ନୁହେଁ। ସେ ଆଗରୁ ଲର୍ଡ ଜଗନ୍ନାଥ ଫିଲ୍ମସ୍ ବ୍ୟାନରରେ ‘ହସିବ ପୁଣି ମୋ ସୁନାସଂସାର’ ନିର୍ମାଣ କରିଥିଲେ, ଯେଉଁଥିରେ ସିଦ୍ଧାନ୍ତ, ଅନୁ ଚୌଧୁରୀ, ମିହିର ଦାସ, ଅପରାଜିତା ଓ ପିଣ୍ଟୁ ନନ୍ଦ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ୨୦୦୮ରେ ମୁକ୍ତିପ୍ରାପ୍ତ ଏହି ସିନେମାର ନିର୍ଦ୍ଦେଶନା ବି ଦେଇଥିଲେ ରଞ୍ଜନ ମିଶ୍ର। ‘ବାବାଜୀକା ଠୁଲୁ’ରେ ନାୟକ ଭୂମିକାରେ ଅଛନ୍ତି ଦେବରାଜ। ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସ୍ୱାତୀ। ଏତଦ୍‌ ବ୍ୟତୀତ ମିହିର ଦାସ, ଉଷସୀ ମିଶ୍ର, ପୁଷ୍ପା ପଣ୍ଡା, ସଲିଲ ମିତ୍ର, ଜୀବନ ପଣ୍ଡା, ଶୁଭ୍ରାଂଶୁ, ପ୍ରଜ୍ଞା ଓ ଦେବୀ ବାରିକ ପ୍ରମୁଖ ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହି ସିନେମାର ସହପ୍ରଯୋଜନାରେ ଅଛନ୍ତି ବିଜୟକେତନ ମିଶ୍ର ଏବଂ ଦେବାଶିଷ ପ୍ରଧାନ। ବିଜୟ ବରାଳ ସଂଳାପ ରଚନା କରିଥିବା ବେଳେ ବୁବୁ-ସୌରଭ ଏହାର ସଙ୍ଗୀତକାର ଅଛନ୍ତି।