ବେଳେ ବେଳେ ନିଜ ସ୍ବପ୍ନକୁ ସାକାର କରିବା ପଛରେ ପରିବାରର ବିଶେଷ ଭୂମିକା ରହିଥାଏ। ଏମିତି ମଧ୍ୟ ବେଳେ ବେଳେ ପରିବାରର କଟକଣା ପାଇଁ ନିଜର ପ୍ରିୟ ସ୍ବପ୍ନକୁ ଅଚାନକ କବର ଦେବାକୁ ପଡ଼ିଥାଏ। ତେବେ ଦୃଢ଼ ଇଚ୍ଛ ଶକ୍ତି ଥିଲେ ପରିବର୍ତ୍ତିତ ପରିସ୍ଥିତିରେ ସେହି ସମାଧିସ୍ଥ ସ୍ବପ୍ନକୁ ମଧ୍ୟ ଉଜ୍ଜୀବିତ କରିହୁଏ। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ସ୍ବନାମଧନ୍ୟା କଳାକାର, ପରିଚ୍ଛଦ ରୂପକାର, ମଡେଲ ତଥା ଅଭିନେତ୍ରୀ ଶିବାଲି ରାଜପୁତ। ମାତ୍ର ଚାରି ବର୍ଷର ଗ୍ଲାମର ଜୀବନରେ ସେ ଜଣେ ଆଗଧାଡ଼ିର ମଡେଲ ତଥା ଫେସନ ଡିଜାଇନର ହୋଇପାରିବା ସହ ତିନି ତିନିଟି ସମ୍ବେଦନଶୀଳ ହିନ୍ଦୀ ସିନେମାରେ ଅଭିନୟ କରିପାରିଛନ୍ତି। ତେବେ ଜୀବନରେ ଏହି ସଫଳତା ହାସଲ ପାଇଁ ତାଙ୍କୁ ଭିନ୍ନ ଧରଣର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଛି। ନୂଆଦିଲ୍ଲୀରେ ୧୯୯୭ ଜୁଲାଇ ୨ରେ ଜନ୍ମିତ ଶିବାଲିଙ୍କ ବାଲ୍ୟଜୀବନ ଶାଲିମାରଠାରେ କଟିଥିଲା। ତାଙ୍କ ପିତା ଜଣେ ଜଣାଶୁଣା ରାଜନେତା ତଥା କୋଠାବାଡ଼ି ବ୍ୟବସାୟୀ ହୋଇଥିବାରୁ ଶିବାଲିଙ୍କର ଜୀବନ ପ୍ରାଚୁର୍ଯ୍ୟ ଭିତରେ ବିତିବା ସ୍ବାଭାବିକ କଥା। ତେବେ ସେହି ଅଚଳାଚଳ ସମ୍ପତ୍ତି ହିଁ ତାଙ୍କ ସ୍ବପ୍ନର ଅନ୍ତରାୟ ସାଜିଥିଲା। ଶିବାଲି ନିଜକୁ ଜଣେ ଉଚ୍ଚକୋଟୀର ମଡେଲ୍ ତଥା ଫେସନ୍ ଡିଜାଇନର ଭାବେ ଗଢ଼ି ତୋଳିବାର ସ୍ବପ୍ନ ଦେଖିଥିଲେ।
ମାତ୍ର ମଡେଲିଂ କ୍ୟାରିଅର ଭୀଷଣ କଣ୍ଟକିତ ଏବଂ ତହିଁରେ ଉଠିବାକୁ ହେଲେ ଅକ୍ଳାନ୍ତ ପରିଶ୍ରମ କରିବାକୁ ହେବ ତଥା ସଫଳତା ହାର ଅତି ନଗଣ୍ୟ କହି ପରିବାର ଲୋକେ ତାଙ୍କୁ ବାରମ୍ବାର ନିରୁତ୍ସାହିତ କରିଥିଲେ। ତେବେ ଘରର ଆଜ୍ଞାଧୀନ ସନ୍ତାନଟିଏ ଭଳି ସେ ନିଜର ସ୍ବପ୍ନକୁ ଏକରକମ ଜଳାଞ୍ଜଳି ଦେଇଦେଇଥିଲେ। ମାତ୍ର ତାଙ୍କ ଜୀବନରେ ଆସିଥିବା ଏକ ଝଡ଼ ସବୁ କିଛି ବଦଳେଇ ଦେଇଥିଲା। ତାଙ୍କ ବ୍ୟବସାୟୀ ପିତା ପିଲାଛୁଆ ଘରଦ୍ବାର ଛାଡ଼ି ପଳାଇବା ପରେ ଶିବାଲିଙ୍କୁ ଜୀବନର କଠିନତମ ମୁହୂର୍ତ୍ତ ଅତିକ୍ରମ କରିବାକୁ ପଡ଼ିଥିଲା। ସେତେବେଳେ ସେ ଦୃଢ଼ମନା ହୋଇଥିଲେ କି ଅନ୍ୟ କାହା ପାଇଁ କାହିଁକି ସେ ନିଜ ସ୍ବପ୍ନକୁ ପରିହାର କରିଦେବେ? ବାସ୍, ଏହାପରେ ହିଁ ତାଙ୍କର ପ୍ରକୃତ ଜୟଯାତ୍ରା ଆରମ୍ଭ ହୋଇଥିଲା। ନିଜର ଦୃଢ଼ ଆତ୍ମବିଶ୍ବାସ ଓ ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ ୨୦୧୮ରେ ପ୍ରଥମେ ମଡେଲିଂ ଦୁନିଆରେ ପାଦ ଥାପିବା ପାଇଁ ପ୍ରୋତ୍ସାହିତ କରିଥିଲା। ପ୍ରାରମ୍ଭିକ ଅବସ୍ଥାର ସଫଳତା ତାଙ୍କୁ ଆଉ ପଛକୁ ତ ଫେରିବାକୁ ଦେଇନାହିଁ, ଏପରିକି ଶୀର୍ଷରେ ମଧ୍ୟ ପହଞ୍ଚାଇ ଦେଇଛି। ଏହି ଅବସରରେ ସେ ସାତରୁ ଆଠଟି ସଂଗୀତଭିତ୍ତିକ ଭିଡିଓ ଆଲବମ୍ରେ ନିଜର ନୃତ୍ୟାଭିନୟ ପରଖିବା ସହ ‘ତୁଝସେ ମୋହବ୍ବତ’ (୨୦୧୯), ‘ଫିଲିଂସ୍’ ଓ ‘ଗର୍ଲ ୟୁ ନୋ’ (୨୦୨୧) ପରି ତିନିଟି ହିନ୍ଦୀ ଫିଲ୍ମରେ ମଧ୍ୟ ଦର୍ଶକଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହୋଇପାରିଛନ୍ତି। ଆଗକୁ ସେ ଭାରତର ବିଭିନ୍ନ ସହରରେ ନିଜର ପରିଚ୍ଛଦ ଭଣ୍ଡାର ଖୋଲିବା ସହ ସିନେମାରେ ଅଭିନୟ ଜାରି ରଖିବେ ବୋଲି ଆଶା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/sivali-rajput.jpg)