ଭୁବନେଶ୍ବର: ମନେକରନ୍ତୁ ଆପଣ ଭଲ ପାଉଥିବା ନିଜ ପସନ୍ଦର ଝିଅଙ୍କୁ ବିବାହ କରିଛନ୍ତି | ବେଶ କିଛି ଦିନ ଦାମ୍ପତ୍ୟ ଜୀବନ ଠିକଠାକ କଟିବା ପରେ ବହୁ ବର୍ଷ ଧରି ମନରେ ପତ୍ନୀର ଜାତିକୁ ନେଇ କୁହୁଳୁଥିବା ସନ୍ଦେହ ଆପଣଙ୍କ ଦାମ୍ପତ୍ୟ ଜୀବନକୁ ବିଗାଡି ଦେଉଛି | ଶେଷରେ ସ୍ୱାମୀଙ୍କ ସହ ବୋଧେ ଆଗକୁ ବଢିବା ଉଚିତ ହେବ ନାହିଁ ଭାବି ପତ୍ନୀ ଆତ୍ମହତ୍ୟା କରୁଛି | ଏହା ପରେ ବି ଉଚ୍ଚ-ନୀଚ ଜାତିଭେଦର ମାନସିକତା ସ୍ୱାମୀଙ୍କ ମନରୁ ଦୂର ହୋଇପାରୁନି | କିଛି ଏଭଳି କାହାଣୀକୁ ନେଇ ଓଟିଟି ପ୍ଲାଟଫର୍ମ ଏମଏକ୍ସପ୍ଲେୟାରରେ ରିଲିଜ ହୋଇଛି ଫିଲ୍ମ 'ସୋସାଇଟି' | ସମାଜରେ ଜାତିଭେଦ, ବର୍ଣ୍ଣବୈଷମ୍ୟକୁ ନେଇ କିଭଳି ମାନସିକତା ରହିଥାଏ ଓ ଏହି ମାନସିକତା କିଭଳି ଜଣଙ୍କ ମନରେ ସବୁଦିନ ପାଇଁ ଘର କରି ରହିଥାଏ ଏହାକୁ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଏହାର ମୁଖ୍ୟ କଳାକାର ଅନ୍ୱେଷ ଚାଟାର୍ଜୀ |
ଅନ୍ୱେଷଙ୍କ ସହ ଏହି ଫିଲ୍ମରେ ସହ କଳାକାର ଭାବରେ ଅଭିନୟ କରିଛନ୍ତି ସ୍ୱପ୍ନା ପତି | ୩୦ ମିନିଟ ଅବଧିର ଫିଲ୍ମ 'ସୋସାଇଟି'ରେ ମାନସିକ ବିକାରଗ୍ରସ୍ତ ସ୍ୱାମୀ ଭୂମିକାରେ ଅଭିନୟ କରିଥିବା ଅନ୍ୱେଷ ରାଉରକେଲାରେ ଜନ୍ମ ହୋଇଥିବାବେଳେ ସେ ଜଣେ ଆଇଆରଏସ ଅଧିକାରୀ | ୨୦୧୩ ମସିହାର ଆଇଆରଏସ ଅଧିକାରୀ ଥିବା ଅନ୍ୱେଷ ଏବେ ମୁମ୍ବାଇରେ ଡେପୁଟି କମିଶନର ଥିବାବେଳେ ଏହି ଫିଲ୍ମରେ ପିଲାଦିନ ଜାତିଭେଦକୁ ନେଇ ଘଟିଥିବା କିଛି ଘଟଣା କିଭଳି ତାଙ୍କ ଜୀବନକୁ ବଦଳାଇଦେଇଛି ତାହା ଦେଖିବାକୁ ମିଳିଛି |
‘ସୋସାଇଟି’କୁ ନେଇ କ'ଣ କହନ୍ତି ଅନ୍ୱେଷ?
ଏହି ଫିଲ୍ମକୁ ସୁଟିଂ କରିବାକୁ ପ୍ରାୟ ଦେଢ଼ ଦିନ ସମୟ ଲାଗିଛି। ଫିଲ୍ମଟି ଯେ କେବଳ ମନୋରଞ୍ଜନର ଖୋରାକ ଯୋଗାଇବ ତାହା ନୁହେଁ, ବରଂ ଆମ ସମାଜରେ ଦୈନନ୍ଦିନ ଘଟୁଥିବା କିଛି ଘଟଣାବଳୀ ଓ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବ। ଏହି ଉଦ୍ଦେଶ୍ୟ ନେଇ ଆମେ ଫିଲ୍ମଟି ନିର୍ମାଣ କରିଥିଲୁ |
ଫିଲ୍ମ 'ସୋସାଇଟି'ର ନିର୍ଦ୍ଦେଶନା ଧୀରଜ ସାର୍ଥକ ଦେଇଥିବା ବେଳେ ଏହାର ସଂଗୀତ ନିର୍ଦ୍ଦେଶନା ସହ ମୁଖ୍ୟ ଭୂମିକାରେ ଅନ୍ୱେଷ ଅଭିନୟ କରିଛନ୍ତି | ଫିଲ୍ମର ପ୍ରଯୋଜନା ଭାର ରାଜେଶ ମହାନ୍ତି ସମ୍ଭାଳିଥିବାବେଳେ ମୁମ୍ବାଇରେ ଏହା ସୁଟିଂ ହୋଇଛି | ସେହିପରି ଏହି ଫିଲ୍ମଟି ଖୁବ ଶୀଘ୍ର କାନ୍ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି |