କନସର୍ଟ ପରେ ନିଜର ସ୍ବର ହରାଇ ବସିଲେ ଶ୍ରେୟା ! ଇନଷ୍ଟା ପୋଷ୍ଟରେ ଏଭଳି ଲେଖିଲେ କଣ୍ଠଶିଳ୍ପୀ

ମୁମ୍ବାଇ: କନସର୍ଟ ପରେ ନିଜର ସ୍ବର ହରାଇ ବସିଲେ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ୨୩ଘଣ୍ଟା ପୂର୍ବରୁ ଲେଖାଯାଇଥିବା ଏକ ଇନଷ୍ଟା ପୋଷ୍ଟରେ ଶ୍ରେୟା ଘୋଷାଲ ନିଜ ସହ ଘଟିଥିବା ଏହି ଘଟଣା ବିଷୟରେ ଲେଖିଛନ୍ତି। ଶ୍ରେୟାଙ୍କ ଏଭଳି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ଏବେ ତାଙ୍କୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ଏବେ ନିଜ କନସର୍ଟରେ ବ୍ୟସ୍ତ ଥିବା ଶ୍ରେୟା ଘୋଷାଲ ଲେଖିଛନ୍ତି ଯେ, କନସର୍ଟ ପରେ ତାଙ୍କ ସ୍ୱର ସଂପୂର୍ଣ୍ଣ ଚାଲିଯାଇଥିଲା। ହେଲେ ଡାକ୍ତରଙ୍କ ଚେଷ୍ଟା ପରେ ସେ ଏବେ ଠିକ ଅଛନ୍ତି।

ଇନଷ୍ଟା ଷ୍ଟୋରୀରେ ଶ୍ରେୟା ଘୋଷାଲ ଲେଖିଛନ୍ତି ଯେ, ସେ ତାଙ୍କ ସ୍ୱର ହରାଇ ବସିଥିଲେ। କିନ୍ତୁ ଡାକ୍ତରଙ୍କ ସାହାଯ୍ୟରେ ସେ ବର୍ତ୍ତମାନ ଭଲ ଅଛନ୍ତି। ଚିକିତ୍ସା ପରେ ଶ୍ରେୟା ଘୋଷାଲ ଅନ୍ୟ ଏକ କନସର୍ଟରେ ଯୋଗ ଦେଇଥିବା କହିଛନ୍ତି। ଶ୍ରେୟା ଘୋଷାଲ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି- ଆଜି ମୁଁ ବହୁତ ଭାବପ୍ରବଣ ହୋଇପଡ଼ିଛି। ମୁଁ ମୋର ବ୍ୟାଣ୍ଡ, ମୋ ପରିବାର ଏବଂ ମୋର ‘ଏ’ ଟିମକୁ ଭଲ ପାଏ। ସେମାନେ ମୋର ଉଭୟ ଭଲ ଏବଂ ଖରାପ ପର୍ଯ୍ୟାୟରେ ମୋତେ ସମର୍ଥନ କରିଛନ୍ତି। ଯାହା ହେଉନା କାହିଁକି ସେମାନେ ମୋତେ ଚମକିବାରେ ସାହାଯ୍ୟ କରିଛନ୍ତି।

ସେ ଆହୁରି ଲେଖିଛନ୍ତି ଯେ, ଓର୍ଲାଣ୍ଡୋରେ ଗତ ରାତିର କନସର୍ଟ ଶେଷ ହେବା ପରେ ମୁଁ ମୋର ସ୍ୱର ସମ୍ପୂର୍ଣ୍ଣ ହରାଇଥିଲି। ମୋର ଶୁଭେଚ୍ଛୁମାନଙ୍କ ଆଶୀର୍ବାଦ ଏବଂ ଡକ୍ଟର ସମୀର ଭାର୍ଗବଙ୍କର ସର୍ବୋତ୍ତମ ଯତ୍ନ ହେତୁ ମୁଁ ମୋର ସ୍ୱର ଫେରି ପାଇଲି। ଏହା ପରେ, ମୁଁ ନ୍ୟୁୟର୍କର ଏରିନାରେ ୩ଘଣ୍ଟିଆ କନସର୍ଟରେ ଗୀତ ଗାଇବାରେ ସକ୍ଷମ ହେଲି। ମୋତେ ବହୁତ ଭଲପାଇବା ଦେଇଥିବାରୁ ନ୍ୟୁୟର୍କକୁ ଧନ୍ୟବାଦ।

ସମ୍ବନ୍ଧିତ ଖବର