ଶ୍ରେୟା ଧନ୍ବନ୍ତରୀ ସବୁବେଳେ ଗମ୍ଭୀର ଚରିତ୍ରରେ ଅଭିନୟ କରୁଥିବାରୁ ସେ ବାସ୍ତବ ଜୀବନରେ ମଧ୍ୟ ଗମ୍ଭୀର ବୋଲି ପ୍ରଶଂସକଙ୍କ ମନରେ ଏକପ୍ରକାର ବଦ୍ଧମୂଳ ଧାରଣା ସୃଷ୍ଟି ହୋଇଯାଇଛି। କିନ୍ତୁ ଶ୍ରେୟା ନିଜେ ଏହାକୁ ଖଣ୍ଡନ କରି ଏବେ ହାଲୁକା ଚରିତ୍ର ଅନ୍ବେଷଣରେ ବାହାରିପଡ଼ିଛନ୍ତି। ‘ଦି ଫ୍ୟାମିଲି ମ୍ୟାନ୍’ ୱେବ୍ ଧାରାବାହିକରେ ଜଣେ ଇଣ୍ଟେଲିଜେନ୍ସ ଅଧିକାରୀ ଭୂମିକାରେ ଅଭିନୟ କରି ସେ ପ୍ରଥମେ ଲୋକଲୋଚନକୁ ଆସିଥିଲେ। ପୁଣି ‘ସ୍କାମ୍ ୧୯୯୨’ରେ ଜଣେ ସାମ୍ବାଦିକ ଭୂମିକାରେ ଦେଖାଦେଇ ଅଧିକ ପ୍ରଶଂସିତ ହୋଇଥିଲେ। ଗତ ବର୍ଷର ‘ମୁମ୍ବାଇ ଡାଏରିଜ୍ ୨୬/୧୧’ରେ ପୁଣି ଆଉ ଏକ ଗୁରୁତ୍ବପୂର୍ଣ୍ଣ କିନ୍ତୁ ଗମ୍ଭୀର ଚରିତ୍ରରେ ବାହାରିବାର ସୁଯୋଗ ତାଙ୍କୁ ମିଳିଥିଲା। ଉଭୟ ଦର୍ଶକ ଓ ସିନେ ନିର୍ମାତାମାନେ ଶ୍ରେୟାଙ୍କର ଗୁରୁଗାମ୍ଭୀର୍ଯ୍ୟ ଭୂମିକା ଚୟନ ଅନୁଯାୟୀ ତାଙ୍କୁ ମଧ୍ୟ ସେହିଭଳି ଜଣେ ବ୍ୟକ୍ତି ବୋଲି ଧରିନେଇଛନ୍ତି। ତେଣୁ ତାଙ୍କୁ ଏବେ ଖାଲି କଠୋର ଭୂମିକାରେ ଅଭିନୟର ପ୍ରସ୍ତାବ ମିଳୁଛି।
ସେହି କାରଣରୁ ଏବେ ସେ ଲୋକଙ୍କ ଧାରଣା ବଦଳାଇବାକୁ ଚାହୁଛନ୍ତି। ସେ ଏଭଳି ଚରିତ୍ରରେ ଅଭିନୟ କରିବାକୁ ଚାହୁଁଛନ୍ତି ଯେଉଁଥିରେ ତାଙ୍କର ଭୂମିକା ଅନ୍ତତଃ ପକ୍ଷେ ଖୁବ୍ ରୁକ୍ଷ ହୋଇ ନ ଥିବ; ମଜାଳିଆ ହୋଇଥିଲେ ଖୁବ୍ ଭଲ। ଆଜି ଦେଶରେ ପ୍ରଦର୍ଶିତ ଅଧିକାଂଶ କାହାଣୀ ଅତ୍ୟନ୍ତ ଗମ୍ଭୀର ପର୍ଯ୍ୟାୟର ହୋଇଯାଉଥିବା କଥା ତାଙ୍କୁ ନିରାଶ କରିଛି। ଏଥିରେ ପରିବର୍ତ୍ତନ ହେବା ଦରକାର ବୋଲି ତାଙ୍କର ମତ। ଚିରାଚରିତ ଧାରାକୁ ଛାଡ଼ି ବିବିଧ ରକମର କାହାଣୀରେ ତାଙ୍କୁ ନେବାଲାଗି ସିନେନିର୍ମାତାଙ୍କୁ ସେ ଏକପ୍ରକାର ଖୋଲା ଆହ୍ବାନ ଦେଇଛନ୍ତି। ଏହା ଦ୍ବାରା ସେ ଅଧିକ ଦର୍ଶକଙ୍କ ଦୃଷ୍ଟିରେ ଆସିବେ ବୋଲି ଆଶା ରଖିଛନ୍ତି। ଆଜି ଶ୍ରେୟାଙ୍କର ‘ବାର୍ଥ’ ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ର ଏକ ଷ୍ଟ୍ରିମିଂ ମଞ୍ଚରେ ମୁକ୍ତିଲାଭ କରିଛି। ଏଥିରେ ସେ ଜଣେ ଆଠମାସର ଗର୍ଭବତୀ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହାର କାହାଣୀ ବି ଗମ୍ଭୀର ଶ୍ରେଣୀର। ନିକଟ ଭବିଷ୍ୟତରେ ତାଙ୍କର ଦୁଇଟି ବହୁପ୍ରତୀକ୍ଷିତ ଚଳଚ୍ଚିତ୍ରର ଶୁଭମୁକ୍ତି ହେବାର ଅଛି। ଗୋଟିଏ ହେଲା ନଵାଜୁଦ୍ଦୀନ ସିଦ୍ଦୀକୀଙ୍କ ସହ ‘ଅଦ୍ଭୁତ’ ଏବଂ ଅନ୍ୟଟି ଆର୍ ବାଲକୀଙ୍କ ‘ଚୁପ୍’।