ସଚିନ୍‌ଙ୍କ ସୁଯୋଗ୍ୟା କନ୍ୟା ଶ୍ରୀୟା ପିଲଗାଓଁକର

‘ଯାହାର ବାପା ଚଢ଼େ ଘୋଡ଼ା, ତା ପୁଅ ଥୋଡ଼ା ଥୋଡ଼ା’ ନ୍ୟାୟରେ ଅଭିନେତ୍ରୀ ଶ୍ରୀୟା ପିଲଗାଓଁକର ଏକାଧାରରେ ଜଣେ ମଞ୍ଚ କଳାକାର, ସିନେ ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଯୋଜିକା ହୋଇପାରିଛନ୍ତି। ମୁମ୍ବାଇରେ ୧୯୮୯ ଏପ୍ରିଲ ୨୫ ତାରିଖରେ ଜନ୍ମିତା ଶ୍ରୀୟା ହେଉଛନ୍ତି ବିଗତ ଦିନର ପ୍ରଖ୍ୟାତ ମରାଠୀ-ହିନ୍ଦୀ ସିନେ ନିର୍ଦ୍ଦେଶକ, ଅଭିନେତା ତଥା ପ୍ରଯୋଜକ ସଚିନ ପିଲଗାଓଁକରଙ୍କ ଏକମାତ୍ର ଦୁହିତା। ଝିଅକୁ ଭବିଷ୍ୟତରେ ଜଣେ ଅନୁବାଦିକା ତଥା ଭାଷାବିତ୍‌ କରିବାକୁ ଚାହୁଁଥିବା ସଚିନ ତେଣୁ ଶ୍ରୀୟାଙ୍କୁ ପିଲାଟି ବେଳୁ ଜାପାନୀ ଭାଷା ଶିଖାଇଥିଲେ।

ସେ ମଧ୍ୟ କଥକର ଜଣେ ପ୍ରଶିକ୍ଷିତା ନୃତ୍ୟାଙ୍ଗନା। ମାତ୍ର ପିତା ସଚିନଙ୍କ ପରି ଜଣେ ମହାନ କଳାକାରଙ୍କ ରକ୍ତ ବହନ କରୁଥିବା ଶ୍ରୀୟା ଶେଷରେ ନିଜ ଅଜାଣତରେ ସଚିନଙ୍କ ପରି ବହୁବିଧ ବୃତ୍ତିର ଅଧିକାରିଣୀ ବନିଗଲେ। ଶ୍ରୀୟାଙ୍କୁ ଯେତେବେଳେ ମାତ୍ର ୫ ବର୍ଷ, ସେ ସଚିନଙ୍କ ନିର୍ଦ୍ଦେଶିତ ଟିଭି ଧାରାବାହିକ ‘ତୁ ତୁ ମେଁ ମେଁ’ରେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ଦିନର ନିରବତା ପରେ ୨୦୧୨ରେ ‘ଫ୍ରିଡମ୍‌ ଅଫ୍‌ ଲଭ୍‌’ ନାମକ ମଞ୍ଚ ନାଟକରେ ଦେଖା ଦେଇଥିଲେ। ତେବେ ୨୦୧୩ରେ ତାଙ୍କର ଫିଲ୍ମ ଜଗତ୍‌କୁ ପ୍ରଥମ ପ୍ରବେଶ ହୋଇଥିଲା ନିଜ ପିତାଙ୍କ ନିର୍ଦ୍ଦେଶିତ ତଥା ପ୍ରଯୋଜିତ ମରାଠୀ ଫିଲ୍ମ ‘ଏକୁଲତି ଏକ’ ମାଧ୍ୟମରେ। ଏଥିପାଇଁ ଶ୍ରେଷ୍ଠ ନବାଗତା ଭାବରେ ତାଙ୍କୁ ମହାରାଷ୍ଟ୍ର ରାଜ୍ୟ ଫିଲ୍ମ ସମ୍ମାନ ମିଳିଥିଲା।

ଏହାପରେ ୨୦୧୫ରେ ସେ ଫରାସୀ ଫିଲ୍ମ ‘ଅନ୍‌ ପ୍ଲସ୍‌ ୟୁନ୍‌’ରେ ଅଭିନୟ କରି ଆନ୍ତର୍ଜାତିକ ସ୍ତରରେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ବିଭିନ୍ନ ମଞ୍ଚ ନାଟକ ଓ ଧାରାବାହିକରେ ଅଭିନୟ ଜାରି ରଖିବା ସହ ୨୦୧୬ରେ ହିନ୍ଦୀ ସିନେମା ‘ଫ୍ୟାନ୍‌’ରେ ପ୍ରଥମ ପଦାର୍ପଣ କରି ଦର୍ଶକମାନଙ୍କୁ ଆକର୍ଷିତ କରିଥିଲେ। ୨୦୧୮ରେ ତାଙ୍କ ଅଭିନୀତ ୱେବ୍‌ ଧାରାବାହିକ ‘୧୩ ମୁସୌରି’ ଓ ‘ମିର୍ଜାପୁର’ ତାଙ୍କୁ ଯଥେଷ୍ଟ ଲୋକପ୍ରିୟ କରାଇ ପାରିଥିଲା। ସେହିପରି ‘ଜୟ ମାତା ଦି’, ‘ହାଉସ୍‌ ଆରେଷ୍ଟ’ ଓ ‘କଦମ୍‌’ ଆଦି ହିନ୍ଦୀ ଫିଲ୍ମ ଦର୍ଶକୀୟ ସ୍ବୀକୃତିର ଅନ୍ୟତମ ସ୍ବାକ୍ଷର ବହନ କରିଥାନ୍ତି। ନିଜକୁ କେବଳ ଅଭିନୟରେ ସୀମିତ ନ ରଖି ଶ୍ରୀୟା ‘ଦି ପେଣ୍ଟେଡ୍‌ ସିଗ୍ନାଲ’ ଓ ‘ଡ୍ରେସଵାଲା’ ପରି କ୍ଷୁଦ୍ର ଫିଲ୍ମ ଓ ‘ପଞ୍ଚଗବ୍ୟ’ ପରି ବୃତ୍ତଚିତ୍ରର ନିର୍ଦ୍ଦେଶନା ଦେଇ ସମୀକ୍ଷକମାନଙ୍କୁ ସନ୍ତୁଷ୍ଟ କରିପାରିଛନ୍ତି। ଚଳିତ ବର୍ଷ ମୁକ୍ତିଲାଭ ଅପେକ୍ଷାରେ ଥିବା ‘ଇସ୍କ-ଏ-ନାଦାନ’ ଓ ‘ଅଭି ତୋ ପାର୍ଟି ସୁରୁ ହୁଇ ହୈ’ ଆଦି ହିନ୍ଦୀ ସିନେମାରେ ଦର୍ଶକ ଶ୍ରୀୟାଙ୍କର ଭିନ୍ନ ଅଭିନୟ ଯାଦୁ ଦେଖିବାକୁ ପାଇବେ ବୋଲି ସେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର